ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୯ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଓ କାର ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଲକ୍ଷ୍ନୌର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତକମାନେ ଗୋଟିଏ ପରିବାରର। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା, ୪ ଜଣ ପୁରୁଷ, ଜଣେ ଯୁବତୀ, ଜଣେ ଶିଶୁ ରହିଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଏକ କାରରେ ୯ ଜଣ ହରିୟାଣାରୁ ବିହାର ଯାଉଥିଲେ। ସମସ୍ତେ ବିହାରର ଭୋଜପୁର ଜିଲ୍ଲାର ବାସିନ୍ଦା। ଲକ୍ଷ୍ନୌ-ପ୍ରୟାଗରାଜ ରାସ୍ତାର ପ୍ରତାପଗଡ଼ ଜିଲ୍ଲାର ନବାବଗଞ୍ଜ ଥାନା ଅନ୍ତର୍ଗତ ବାଜିଦପୁରର ପରାଗନଗରରେ ଆଜି ସକାଳେ ସେହି କାର ଓ ଏକ ଟ୍ରକ ମଧ୍ୟରେ ଧକ୍କା ହୋଇଥଲା। କାରକୁ ପ୍ରଥମେ ଗ୍ୟାସ କଟରରେ କଟାଯାଇ ମୃତଦେହ ଉଦ୍ଧାର କରାଯାଇଥଲା। ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Comments are closed.