ମା’ ଆଗରେ ଚାଲିଗଲା ଝିଅ ଆଉ ସ୍ବାମୀଙ୍କ ଜୀବନ; ୩ ଦୁର୍ଘଟଣାରେ ୪ ମୃତ

ଫୁଲବାଣୀ/ବ୍ରହ୍ମପୁର :  ବାଲିଗୁଡା ପାଇଁ ଆଜି ଦୁର୍ଘଟଣାର ଦିନ। ଗୋଟିଏ ରାସ୍ତାରେ ତିନୋଟି ପୃଥକ ପୃଥକ ଦୁର୍ଘଟଣାରେ ବାପା-ଝିଅ ସମେତ ୪ଜଣ ପ୍ରାଣ ହରାଇଛନ୍ତି।

ସୂଚନା ଅନୁସାରେ ବିପ୍ର ଚରଣ ସାହୁ, ଝିଅ ରାଜଲକ୍ଷ୍ମୀ ସାହୁ(୧୦) ଓ ତାଙ୍କ ସ୍ତ୍ରୀ ରଶ୍ମିତା ସାହୁ କୋଟଗଡ ବ୍ଲକର ଶ୍ବଶୂର ଘର ପାରିଗଡକୁ ଏକ ଲୁନାରେ ଯାଇଥିଲେ। ଶ୍ୱଶୁର ଘରୁ ନିଜ ଗାଁ ସାରଙ୍ଗଡ ନିକଟ ସଲାଗୁଡାକୁ ଫେରିବା ସମୟରେ ଜକିକିଆଠାରେ ଏକ ବାଇକ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାପା ବିପ୍ର ଚରଣ ସାହୁ(୪୦) ଓ ଝିଅ ରାଜଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଯାଇଥିଲା। ବିପ୍ରଙ୍କ ପତ୍ନୀ ରଶ୍ମିତା ସାହୁ ଓ ଧକ୍କା ଖାଇଥିବା ଅନ୍ୟବାଇକର ଚାଳକ ଉତ୍ସବ ମଳିକଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। କିନ୍ତୁ ଏହି ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଫୁଲବାଣୀ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଉତ୍ସବ ମଳିକ ପ୍ରାଣ ହରାଇଥିବା ସୂଚନା ମିଳିଛି। ବାଲିଗୁଡା ଥାନାରେ ଏ ନେଇ ମାମଲା ରୁଜୁ କରାଯାଇଛି ଓ ଏସଆଇ ଦୀପକକୁମାର ରାଉତ ଘଟଣାର ତଦନ୍ତ କରୁଛନ୍ତି।
ସେହିପରି ସେହି ରାସ୍ତାରେ ଏକ ପେଟ୍ରୋଲ ବୋଝେଇ ଟ୍ରକ ଗଦ୍ରିଙ୍ଗିଆ ଘାଟିରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି। କିନ୍ତୁ କାହାର କିଛି କ୍ଷତି ହୋଇନାହିଁ। ଡ୍ରାଇଭର ଓ ହେଲପର ସାମାନ୍ୟ ଆଘାତ ହୋଇଥିବାରୁ ସେମାନଙ୍କୁ ବାଲିଗୁଡା ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି।
ଜାତୀୟ ରାଜପଥ ୫୯ରେ ବାଲିଗୁଡାରୁ ତୁମୁଡିବନ୍ଧ ଯାଉଥିବା ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ ଗାଡି ବାଲିଗୁଡା ଥାନା ନିକଟସ୍ଥ ତଗାକିଆ ନିକଟରେ ଜଣେ ବୃଦ୍ଧଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବୃଦ୍ଧ ପ୍ରହଲ୍ଲାଦ ମଳିକ(୯୦) ଅଚେତ ହୋଇପଡିଥିଲେ। ଦୁର୍ଘଟଣା ପରେ ଚାଳକ ଫେରାର ହୋଇଯାଇଥିଲା। ଗୁରୁତର ପ୍ରହଲ୍ଲାଦଙ୍କୁ ପରିବାର ଲୋକେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲିଗୁଡା ଥାନା ଏସଆଇ କୁଳମଣି ରାଉତ ଏହି ଘଟଣାର ତଦନ୍ତ କରୁଛନ୍ତି।
ସେହିଭଳି ଜାତୀୟ ରାଜପଥ-୫୯ ଜକିକିଆ ଠାରେ ଅନ୍ୟ ଏକ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ବାପା- ଝିଅର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଓ ମେଡିକାଲକୁ ନେବା ସମୟରେ ଆଉ ଜଣକର ମୃତ୍ୟୁ ହୋଇଛି।

Comments are closed.