କାର-ଟ୍ରକ ମୁହାଁମୁହିଁ ଧକ୍କା ; ଗୋଟିଏ ପରିବାରର ୪ ମୃତ

ପାଟନା : ବିହାରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦିଲ୍ଲୀରୁ ଘରକୁ ଫେରୁଥିବା ଗୋଟିଏ ପରିବାରର ୪ ଜଣ ସଦସ୍ୟ ମୃତ୍ୟୁ ହୋଇଥିବା ନେଇ ଶନିବାର ଖବର ମିଳିଛି।
ବିହାରର ଗୋପାଳଗଞ୍ଜ ଜିଲାର ମହମ୍ମଦପୁର ଥାନା ଅନ୍ତର୍ଗତ ଡୁମାରିଘାଟ ମହାସେତୁ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଲଙ୍କା ବୋଝେଇ ଟ୍ରକ-କାର ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କାର ଥିବା ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦମ୍ପତି, ୨ ଶିଶୁଙ୍କ ମଧ୍ୟରେ ଜଣେ ପୁଅ ଓ ଝିଅ ରହିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ସୂଚନା ଯୋଗ୍ୟ , ଉକ୍ତ ପରିବାର ହୋଲି ପାଇଁ ନିଜ ଘରକୁ ଫେରୁଥିବା ସମୟରେ ଡୁମାରିଘାଟ ମହାସେତୁ ଉପରେ କାର ଓ ଟ୍ରକ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ୨ ଜଣଙ୍କର ଓ ହସ୍ପିଟାଲରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ କାର-ଟ୍ରକକୁ ଜବତ କରିଛି। ଘଟଣାର ତଦନ୍ତ ଜାରି ରହିଛି।

Comments are closed.