ରାଜଧାନୀ ଭୁବନେଶ୍ଵରରେ ଦୁଇ କାର ମୁହାଁମୁହିଁ ଧକ୍କା, ଗୋଟିଏ ପରିବାରର ୪ ମୃତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନାନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ଭୁବନେଶ୍ଵରର ନାଲକୋ ଛକରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ଏକ କାର୍ ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ଦେଇ ନାଲକୋ ଛକରେ ପହଞ୍ଚିଥିବା ବେଳେ ଅନ୍ୟ ଏକ କାର୍ ଡମଣାରୁ ଜୟଦେବ ବିହାର ଆଡ଼କୁ ଆସୁଥିଲା। ଚନ୍ଦ୍ରଶେଖର ଥାନା ଅନ୍ତର୍ଗତ ନାଲକୋ ଛକରେ ଏହି ଦୁଇ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ବିଳମ୍ବିତ ରାତ୍ରିରେ ଘଟିଥିବା କାରଣରୁ ଚନ୍ଦ୍ରଶେଖରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତିକରିଥିଲେ। ଦୁର୍ଘଟଣାରେ ମୃତକ ୪ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି। ମୃତକମାନଙ୍କ ଘର ନୀଳାଦ୍ରି ବିହାର ଅଞ୍ଚଳରେ ବୋଲି ସୂଚନା ମିଳିଛି। ଏହାଛଡ଼ା ୩ଜଣ ଗୁରୁତର ହୋଇଥିବା ଜଣାପଡିଛି।

Comments are closed.