ଅଜଣା ଗାଡି ଧକ୍କାରେ ପ୍ରାଣ ହରାଇଲେ ବୃଦ୍ଧ ଦମ୍ପତି

ତରଭା / ସୋନପୁର : ସୋନପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବଇରାସରରୁ କିଛି ଦୂରରେ ଥିବା ଏକ କୁକୁଡା ଫାର୍ମ ଆଗରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ପତି ପତ୍ନୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ସୋନପୁର ବଡବଜାର ଗଙ୍ଗାଧର ଛକ ନିକଟ ନୂଆଁପଡାର ଖଗେଶ୍ୱର ସାହୁ (୬୨) ଓ ତାଙ୍କ ଧର୍ମପତ୍ନୀ ଗାୟତ୍ରୀ ସାହୁ(୫୬) ସୋନପୁର ରୁ ଏକ ବାଇକ ନଂ-ଓଡି ୩୧ ସି ୨୨୭୮ ରେ ବଲାଙ୍ଗୀରକୁ କୌଣସି କାମରେ ଯାଉଥିଲେ। ତେବେ ବଇରାସର ନିକଟରେ ଥିବା ଏକ କୁକୁଡାଫାର୍ମ ଆଗରେ ସୋନପୁର ପଟରୁ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ତାଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବାଇକରେ ଘୋସାରି ହୋଇ ଉଭୟ ସ୍ୱାମୀ-ସ୍ତ୍ରୀ କିଛି ଦୂର ଛିଟିକି ପଡ଼ିଥିଲେ। ଗାୟତ୍ରୀ ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଖଗେଶ୍ୱର ସାହୁ ଗୁରୁତର ଆହତ ହୋଇଥିଲେ। ୧୦୮ ଆମ୍ବୁଲନ୍ସ ଘଟଣା ସ୍ଥଳରେ ପହଞ୍ଚି ଖଗେଶ୍ୱରଙ୍କୁ ତୁରନ୍ତ ବଲାଙ୍ଗୀର ଭୀମଭୋଇ ମେଡିକାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଆଯାଇଥିସା। ଖବର ପାଇ ପୁଇଁନ୍ତଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଓ ଦୁର୍ଘଟଣା ବାଇକକୁ ଜବତ କରିବା ସହିତ ମହିଳାଙ୍କୁ ପୋଷ୍ଟମଟମ ପାଇଁ ବଲାଙ୍ଗୀର ଡାକ୍ତରଖାନାକୁ ନେଇଥିଲା। ତେବେ ବଲାଙ୍ଗିର ଠାରେ ଚିକିତ୍ସାଧିନ ଅବସ୍ଥାରେ ଥିବା ଖଗେଶ୍ୱର ସାହୁଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୁଲିସ ଉଭୟ ପତି-ପତ୍ନୀଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ପୁଇଁନ୍ତଲା ପୁଲିସ ପ୍ରକାଶ କରିଛି।

 

 

Comments are closed.