ଅଟୋ ଓ ବାଇକ ଉପରେ ଚଢ଼ିଗଲା ବସ : ୧ ମୃତ, ୩ ଗୁରୁତର

ସମ୍ବଲପୁର : ସମ୍ବଲପୁରର ଜିଲାସ୍କୁଲ ଛକ ଠାରେ ଏକ ଯାତ୍ରୀବାହୀ ବସ ଦୁଇଟି ଅଟୋ ଓ ଗୋଟିଏ ବାଇକ ଉପରେ ଚଢ଼ିଯିବାରୁ ଜଣେ ବୃଦ୍ଧାଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ସ୍ଥାନୀୟ ବ୍ରୃକ୍ସହିଲ ଠାରେ ଥିବା ଶ୍ରୀରାମ ମନ୍ଦିରରେ ଏକ ବିବାହ ପାଇଁ ଏକ ବସ(ଓଆର – ୧୫ – ପି – ୪୬୩୬)ରେ କିଛି ଲୋକ ଆସିଥିଲେ। ଏହି ଗଡାଣି ରାସ୍ତାରେ ଅତ୍ୟନ୍ତ କ୍ଷିପ୍ରଗତିରେ ବସଟି ଆସି ଜିଲା ସ୍କୁଲ ଛକରେ ପ୍ରଥମେ ଏକ ଅଟୋ (ଓଡି-୧୫-୭୪୦୬) ଧକ୍କା ପରେ ଏକ ବାଇକକୁ ମଧ୍ୟ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର ଥିଲା ଯେ ଅଟୋରେ ଥିବା ଯାତ୍ରୀ ମାନେ ଓ ବାଇକ ଚାଳକ କିଛି ମିଟର ଦୁରକୁ ଛିଟିକି ପଡିଥିଲେ। ଧକ୍କା ପରେ ବସଟି ପୁଣି ଏକ ମାଲବାହୀ ଅଟୋକୁ ଧକ୍କା ଦେଇଥିଲା।
ତେବେ ସ୍ଥାନୀୟ ଲୋକେ ବସକୁ ଗୋଡାଇ ଗୋଡାଇ ସେନପାର୍କ ସମ୍ମୁଖରେ ଧରିବାକୁ ସକ୍ଷମ ହୋଇଥିଲେ। ଦୁର୍ଘଟଣାରେ ଅଟୋରେ ଥିବା ମହିଳା ଯାତ୍ରୀ ସୁପ୍ତି ଦାସଗୁପ୍ତା (୮୧)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣାରେ ଆହତ ଯାତ୍ରୀବାହୀ ଅଟୋର ଚାଳକ ଏସ.କେ. ସକିଲ (୩୯), ତନ୍ମୟ ମହାରଣା (୩୫) ଓ ପିଣ୍ଟୁ ଘୋଷ (୩୪)ଙ୍କୁ ଲୋକେ ତୁରନ୍ତ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଦୁର୍ଘଟଣା ଘଟାଇଥିବା ବସକୁ ପୁଲିସ ହେପାଜତରେ ନେଇ ଚାଳକକୁ ଅଟକ ରଖିଥିବା ଧନୁପାଲୀ ଥାନାଧିକାରୀ କହିଛନ୍ତି।

Comments are closed.