ଡାଲା ଅଟୋକୁ ଧକ୍କା ଦେଲା ବାଇକ: ଜଣେ ମୃତ, ଜଣେ ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଶିରିପୁର ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବାଇକ ଓ ଡାଲା ଅଟୋ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ବୁଧବାର ଓଡ଼ି୧୮ ୭୪୩୯ ନମ୍ବର ଗୋଟିଏ ବାଇକରେ ତିନି ଜଣ ଯୁବକ ନିଜ ଗାଁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁର ପଞ୍ଚାୟତର ମଦାନଗୁଡା ଗାଁକୁ ମଧ୍ୟାହ୍ନ ସମୟରେ ଯାଉଥିବା ବେଳେ ଶିରିପୁର ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକ ଡାଲା ଅଟୋକୁ ଧକ୍କା ଦେଇଥିଲେ । ଘଟଣା ସ୍ଥଳରେ ଫିଙ୍ଗି ହୋଇ ପଡ଼ିଥିଲେ ଯୁବକମାନେ। ଏହାକୁ କିଛି ଲୋକ ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଗାଡି ପହଞ୍ଚିବା ବେଳକୁ ଥାନା ଗାଡି ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେତେବେଳକୁ ସୁଶୀଳ ମାଝୀ(୧୯)ଙ୍କ ମୃତ୍ୟୁ ହୋଇଯାଇଥିଲା । ଅଜିତ ମାଝୀ (୨୨)ଗୁରୁତର ହୋଇଥିଲେ। ଡାକ୍ତର ଚିନ୍ମୟୀ ଲିମା ପ୍ରାଥମିକ ଚିକିତ୍ସା କରି ଗୁରୁତର ଅଜିତଙ୍କୁ ଜିଲା ଚିକିତ୍ସାଳୟାକୁ ପଠାଇଥିଲେ । ସୁଶୀଳ ମାଝୀଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ଏସଆଇ ବିମଲ କହଁର ପହଞ୍ଚି ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିଲେ । ଘାଟଣାର ତଦନ୍ତ ଜାରି ରହିଛି। ବର୍ତ୍ତମାନ ମୃତ ପରିବାରକୁ ସୂଚନା ଦିଆଯାଇଛି ବୋଲି ପୁଲିସ ସୂଚନା ଦେଇଛି ।

Comments are closed.