ବାଇକକୁ ଧକ୍କା ଦେଲା ପିକଅପ୍‍ : ମାଂସ ଦୋକାନୀ ଗୁରୁତର, ସହଯୋଗୀ ମୃତ

ବୌଦ୍ଧ : ରବିବାର ପ୍ରତ୍ୟୁଷରୁ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବୌଦ୍ଧ ସହର ହାତୀଶାଳ ଛକ ନିକଟରେ ବାଇକରେ ଯାଉଥିବା ଜଣେ ମାଂସ ଦୋକାନୀ ଓ ତାଙ୍କର ସହଯୋଗୀଙ୍କୁ ଏକ ପିକଅପ୍‍ ଧକ୍କା ଦେବା ଫଳରେ ମାଂସ ଦୋକାନୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ସହଯୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ସୂଚନା ମୁତବାକ, ବୌଦ୍ଧ ମୁସଲମାନ ପଡାର ମାଂସ ଦୋକାନୀ ଅଲ୍ଲୀ ଆକବର ଖାଁ(୫୦) ଓ ତାଙ୍କର ସହଯୋଗୀ ଆଠମଲ୍ଲିକର ଆୟାନ ଖାଁ(୧୮) ବାଇକ୍‍ ଯୋଗେ ଦୁଇଗୋଟି ଛେଳି ନେଇ ହାତୀଶାଳ ଛକକୁ ଦୋକାନ ଖୋଲିବାକୁ ଯାଉଥିବାବେଳେ ତାଙ୍କ ଦୋକାନଠାରୁ ମାତ୍ର ଅଳ୍ପ ଦୂରରେ ଚାରିଛକ ପଟରୁ ଆସୁଥିବା ଏକ ପିକ୍‍ଅପ୍‍ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟ ବାଇକ୍‍ ଆରୋହୀ ଗୁରୁତର ଆହତ ହୋଇପଡିଥିବାବେଳେ ଗୋଟିଏ ଛେଳିର ମୃତ୍ୟୁ ହୋଇଯାଇଥିଲା। ୧୦୮ ଆମ୍ବୁଲାନସ ଯୋଗେ ଆହତମାନଙ୍କୁ ତୁରନ୍ତ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଉଭୟଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ଆୟାନ ଖାଁଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣାପରେ ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିବା ବେଳେ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ପିକଅପକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.