ବାଇକ ଧକ୍କାରେ ହକି ଖେଳାଳୀଙ୍କର ମୃତ୍ୟୁ
ବାଇକ ଆରୋହୀଙ୍କ ସମେତ ୪ ଗୁରୁତର

ଦେବଗଡ଼/ରିଆମାଳ : ରବିବାର ସଂଧ୍ୟାରେ ରିଆମାଳ ଥାନା ଅନ୍ତର୍ଗତ କିର୍ତ୍ତନପାଲି ଗ୍ରାମ(ବାଲିନାଳ) ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ ବାଇକ ଧକ୍କାରେ ଜଣେ ହକି ଖେଳାଳିଙ୍କର ମୃତ୍ୟୁ ଘଟିଛି। ସେହିପରି ସମ୍ପୃକ୍ତ ବାଇକ ଆରୋହୀଙ୍କ ସମେତ ୪ଜଣ ଆହତ ହୋଇ ଛତାବର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟା ପ୍ରାୟ ୬ଟା ସମୟରେ ଚିଙ୍ଗୁଡିଝରଣ ଗ୍ରାମର ଆଦାମ ଡାଙ୍ଗ(୧୬), ସନ୍ତୋଷ କୁଜୁର(୧୯), ପ୍ରତାପ ହସ(୧୭) ଓ କାଳିଆ ହସ(୧୮) ନାମକ ୪ ଜଣ ହକି ଖେଳାଳୀ କିର୍ତ୍ତନପାଲି ପଡିଆରେ ହକି ଖେଳିସାରି ୫୩ ନମ୍ବର ଜାତୀୟ ରାଜପଥ ଦେଇ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ପଛପଟୁ ଏକ ବାଇକରେ ଆସୁଥିବା ଖଣ୍ଡାଧୁଆଁ ଗ୍ରାମର ଟଙ୍କଧର ପ୍ରଧାନଙ୍କ ପୁଅ ସୁଶାନ୍ତ ପ୍ରଧାନ(୨୨)ନାମକ ଜଣେ ଯୁବକ ସେମାନଙ୍କୁ ପଛପଟୁ ଧକ୍କା ଦେବାରୁ ହକି ଖେଳାଳି ଆଦାମ, ସନ୍ତୋଷ, ପ୍ରତାପ ଓ କାଳିଆ ଗୁରୁତର ଆହତ ହୋଇଥିଲେ। ସେହିପରି ବାଇକ ଆରୋହୀ ସୁଶାନ୍ତ ମଧ୍ୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତ ମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବାସହ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସରେ ନିକଟସ୍ଥ ଛତାବର ଡାକ୍ତରଖାନାରେ ଭର୍ତୀ କରିଥିଲେ। ମାତ୍ର ସେଠାରେ ଆଦାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଆହତ ମାନେ ଏବେ ମଧ୍ୟ ସେଠାରେ ଚିକିତ୍ସାଧିନ ଥିବା ଜଣାପଡିଛି।