ଟାଟା ଏସି ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ

ଭୁବନେଶ୍ବର : ପୁରୀ ଜାତୀୟ ରାଜପଥ ନମ୍ବର ୩୧୬ ପଟ୍ଟନାୟିକିଆ ଛକ ଠାରୁ ଚଣାଗୋରଡା ଗ୍ରାମ ମଧ୍ୟସ୍ଥଳରେ ସୋମବାର ଅପରାହ୍ନରେ ଗୋଟିଏ ଟାଟାଏସି ଗାଡି ଧକ୍କା ଦେବାରୁ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ହେଲେ ସତ୍ୟବାଦୀ ଥାନା ଅନ୍ତର୍ଗତ କୁଶୁମେଶ୍ୱର ଗ୍ରାମର ଜମ୍ବେଶ୍ଵର ନାୟକ ।
ସୂଚନା ଅନୁଯାୟୀ, ଜମ୍ବେଶ୍ଵର ସାଇକେଲରେ ସାକ୍ଷୀଗୋପାଳ ଆଡକୁ ଯାଉଥିଲେ। ଏହି ସମୟରେ ତାଙ୍କ ପଛରୁ ଏକ ଟାଟାଏସି ମାଲ ବୁହା ଗାଡି ଦୃତ ଗତିରେ ଆସି ଧକ୍କା ଦେଇଥିଲା। ଜମ୍ବେଶ୍ୱର ସାଇକେଲରୁ ତଳେ କଚାଡି ହୋଇ ପଡି ଯାଇଥିଲେ । ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟଲୋକେ ଉଦ୍ଧାର କରି ସାକ୍ଷୀଗୋପାଳ ଡାକ୍ତରଖାନା ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଖବର ପାଇ ସତ୍ୟବାଦୀ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସାଇକେଲ ଓ ଟାଟାଏସି ଗାଡିକୁ ଜବତ କରି ଡ୍ରାଇଭରକୁ ଅଟକ ରଖିଛି ।