ବରଯାତ୍ରୀ ଗାଡି-ବାଇକ ମୁହାଁମୁହିଁ ଧକ୍କା ; ୩ ବାଇକ ଆରୋହୀ ଗୁରୁତର

କଣ୍ଟାବାଞ୍ଝି :  ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଗନ୍ଧରାବନ୍ଧ ଛକ ବ୍ରିଜ ପାଖରେ ୩ ଜଣ ବାଇକ ଆରୋହୀଙ୍କୁ ଏକ ବରଯାତ୍ରୀ ଗାଡି ଧକ୍କା ଦେବା ଫଳରେ ସେମାନେ ଗୁରୁତର ଆହାତ ହୋଇଛନ୍ତି । ସେମାନଙ୍କୁ କଣ୍ଟାବାଞ୍ଝି ମେଡିକାଲରେ ଭର୍ତ୍ତି କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ,୩ ବାଇକ ଆରୋହୀ ମୁରିବାହାଲ ତଙ୍ଗମିଆ ଗାଁର ଡୋଲାମଣି ବାଗ(୩୦),ଯୋଗେଶ୍ୱର ବାଗ(୧୯), ଲିଙ୍ଗରାଜ ନାଗ(୨୯) ବୋଲି ଜଣାପଡିଛି । ରବିବାର ସେମାନେ କୌଣସି କାମରେ ବଙ୍ଗୋମୁଣ୍ଡା ଯାଇଥିବା ବେଳେ ରାତିରେ ଘରକୁ ଫେରୁଥିଲେ। ଏହି ସମୟରେ ବରଯାତ୍ରୀ ଗାଡି ସହ ମୁହାଁମୁହିଁ ହୋଇଥିଲେ। ସେଠାରୁ ବରଯାତ୍ରୀ ଗାଡି ଫେରାର ହୋଇ ଯାଉଥିବା ବେଳେ ଭାଲୁମୁଣ୍ଡା ଛକରେ ଲୋକଙ୍କ ହାବୁଡରେ ଧରାପଡିଥିବା ଜଣାପଡିଛି। ଦୁର୍ଘଟଣା ସ୍ଥଳରେ ଲୋକଙ୍କ ଭିଡ ଜମିବା ସହ ଲୋକେ ଉଦ୍ଧାର ଓ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ପାଇଁ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ଅଧିକାରୀ ଓ ଜବାନ ବିଭାଗୀୟ ଗାଡିରେ କଣ୍ଟାବାଞ୍ଝି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ମେଡିକାଲକୁ ପଠାଇ ଦିଆ ଯାଇଥିବା ଜଣାପଡିଛି। ସୂଚନା ଥାଉକି ୩ ଜଣଙ୍କ ଡାହାଣ ଗୋଡରେ ଗଭୀର ଆଘାତ ଲାଗିଛି। ତାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଖବର ଦିଆଯାଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Comments are closed.