ବାଇକରୁ ପଡି ମହିଳା ମୃତ

ଖୁଣ୍ଟା : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ରାଜ୍ୟ ରାଜପଥ ୧୯ର ପଥରା ଛକ ନିକଟରେ ବାଇକରୁ ଖସିପଡି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।  ଠିାକଦାର ଦ୍ୱାରା ରାସ୍ତାରେ ପକାଯାଇଥିବା ବାଲି ବସ୍ତା ଉପରେ ଚଢିଯିବାରୁ ବାଇକ ପଛରେ ବସିଥିବା ମହିଳା ଖସିପଡି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ମୃତ ମହିଳା ହେଉଛନ୍ତି କହ୍ନେଇଁବନ୍ଧର ନିରଞ୍ଜନ ହାଁସଦା ପତ୍ନୀ ପ୍ରିସ୍କିଲା(୨୫)। ଏହି ଘଟଣାରେ କହ୍ନେଇଁବନ୍ଧ ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।

ନିରଞ୍ଜନ ଓ ତାଙ୍କ ପତ୍ନୀ ଖୁଣ୍ଟା ସାପ୍ତାହିକ ହାଟରୁ ଫେରୁଥିବା ବେଳେ ରାତି ସାଢେ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ନିକଟରେ ଖୁଣ୍ଟା ଗ୍ରାମ୍ୟ ନିର୍ମାଣ ଉପବିଭାଜନ ଦ୍ୱରା ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ଅଧୀନରେ ଏକ କଲଭର୍ଟ ନିର୍ମାଣ ଚାଲିଥିବା ବେଳେ ଠିକାଦାର ଦ୍ୱାରା କୌଣସି ସତର୍କ ସୂଚନ ଦିଆ ନଯାଇ ବେଆଇନ ଭାବେ ରାଜପଥ ଉପରେ ମିକ୍ସଚର ମେସିନ ଓ ବାଲିବସ୍ଥା ଜମା କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ଅନୁସାରେ ଦିନ ବେଳା ବାଲିବସ୍ଥା ନଥିବା ବେଳେ ସନ୍ଧ୍ୟାରେ ବାଲିବସ୍ଥା ରାଜପଥ ଉପରେ ରଖା ଯାଇଥିଲା । ନିରଞ୍ଜନ ପତ୍ନୀଙ୍କ ସହିତ ଖୁଣ୍ଟାରୁ ବର୍ଷା ରାତିରେ ବାଇକରେ ଫେରୁଥିବା ବେଳେ ସାମ୍ନାରୁ ଆସୁଥିବାରୁ ଗାଡି ଲାଇଟ ପାଇଁ ରାସ୍ତାରେ ପଡିଥିବା ବାଲିବସ୍ତା ଦେଖିପାରିନଥିଲେ । ବାଲିବସ୍ତା ଉପରେ ବାଇକ ଚଢିଯିବାରୁ ପ୍ରିସ୍କିଲା ରାସ୍ତା ଉପରେ ଖସି ପଡିଥିଲେ। ତାଙ୍କର ମୁଣ୍ଡ ପଛପଟରେ ଗଭୀର କ୍ଷତ ସୃଷ୍ଟି ହେବା ସହିତ ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ଖୁଣ୍ଟା ଦମକଳ ବାହିନୀ ତାଙ୍କୁ ଗୁରୁତର ଅବସ୍ଥାରେ ଖୁଣ୍ଟା ଡାକ୍ତର ଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖୁଣ୍ଟା ପୁଲିସ ଘଟଣା ସ୍ଥଳ ପରିଦର୍ଶନ କରି ମୃତଦେହ ନିଜ ହେପାଜତକୁ ନେଇଛି। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସମ୍ପୃକ୍ତ ଠିକାଦାର ଓ ଦାୟୀତ୍ୱରେ ଥିବା ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି ହେଉଛି ।

Comments are closed.