ବିବାହ ଉତ୍ସବରୁ ଫେରିବାବେଳେ ବଲେରୋକୁ ଧକ୍କା ଦେଲା ଟ୍ରକ୍; ଚାଲିଗଲା ୩ ଜଣଙ୍କ ଜୀବନ

ଅମ୍ବାଭୋନା ବରଗଡ଼ ଜିଲାର କଟାପାଲି ଓ ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୁକ୍ତା ଗ୍ରାମର ୮ଜଣ ଯୁବକ ଗତକାଲି ଛତିଶଗଡ଼ ରାଜ୍ୟକୁ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ସେମାନଙ୍କ ମଧ୍ୟରୁ ୩ଜଣ ପ୍ରାଣ ହରାଇଥିବା ଜଣାଯାଇଛି। ଦୁଇଜଣ ଗୁରୁତର ଆହତ ହୋଇଥିବା ମଧ୍ୟ ଜଣାଯାଇଛି। ଏହି ଦୁର୍ଘଟଣା ବୁଧବାର ବିଳମ୍ବିତ ରାତିରେ ଛତିଶଗଡ଼ ରାଜ୍ୟର କୋଡ଼ାତରାଇରେ ଘଟିଛି।

ଉକ୍ତ ଯୁବକମାନେ ଏକ ବୋଲେରୋରେ ଛତିଶଗଡ଼ର କିରୋଡ଼ିମଲରେ ଅନୁଷ୍ଠିତ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ। ଫେରିବା ବାଟରେ ୩ଜଣ ରାୟଗଡ଼ ସହରଠାରୁ ପ୍ରାୟ ୧୦କି.ମି. ଦୂରରେ ଥିବା କୋଡ଼ାତରାଇ ଠାରେ ଓହ୍ଲାଇ ଯାଇଥିଲେ। ଏହାର କିଛି ସମୟ ପରେ ରାୟଗଡ଼ରୁ ଚନ୍ଦ୍ରପୁର ଯାଉଥିବା ଏକ ଟ୍ରକ (ନଂ ସିଜି ୧୫ଡିଏ ୧୬୫୧) ବଲେରୋ (ଓଆର ୧୭ଏଫ ୮୦୮୦ )କୁ ମୁହଁମୁହିଁ ଧକ୍କା ଦେଇଥିଲା। ଏହା ଏତେ ତୀବ୍ର ଥିଲା ଯେ ବଲେରୋଟି ଚୁରମାର ହୋଇଯାଇଥିଲା। ଛତିଶଗଡର ପୌଷର ଥାନା ପୁଲିସ୍ ଆହତମାନଙ୍କୁ ଉଦ୍ଧାର କରି ପୌଷର ଡାକ୍ତରଖାନାକୁ ପଠାଇଥିଲା। ସେଠାରେ ୩ଜଣଙ୍କୁ ମୃତ ଘୋଷଣା କରାଯାଇଛି। ଅନ୍ୟ ୨ଜଣ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ବିକାଶ ମାହାତୋ ଓ ସ୍ବରପ ବରାଇ। ଅନ୍ୟଜଣେ ମୃତକ ତଥା ଆହତମାନଙ୍କ ପରିଚୟ ମିଳି ପାରିନାହିଁ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିବା ପ୍ରାପ୍ତ ଖବରରୁ ପ୍ରକାଶ। ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରିବାସହ ପୌଷର ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଛି।

Comments are closed.