ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ, ଉତ୍ତେଜିତ ଲୋକଙ୍କ ମାଡ଼ରେ ୬ ଆହତ

0

ବଡ଼ସାହି : ବୁଧବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଉଦଳା-ବାରିପଦା ରାସ୍ତାର ଚାଉଳିଆଶୋଳ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ପରେ ଅଭାବନୀୟ ଘଟଣା ଘଟିଛି। ଉତ୍ତେଜିତ ଲୋକଙ୍କ ମାଡ଼ରେ ଚାଳକ, ଫାର୍ମାସିଷ୍ଟ ଓ କର୍ମଚାରୀ ମୋଟ ୬ ଜଣ ଆହତ ହୋଇ ବାରିପଦା ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ମାଡ଼ ମାରିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ୧୦୮ ଆମ୍ବୁଲାନ୍ସ ଚାଳକ/କର୍ମଚାରୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଉଦଳାରୁ ଏକ ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ ବାରିପଦା ଯାଉଥିବା ବେଳେ ରାତିରେ ଘନକୁହୁଡ଼ି ପାଇଁ ଚାଉଳିଆଶୋଳ ନିକଟରେ ଏକ ଟ୍ରଲିକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ବାରିପଦାରୁ ଅନ୍ୟ ଏକ ଆମ୍ବୁଲାନ୍ସକୁ ଡ଼କାଇ ରୋଗୀଙ୍କୁ ସ୍ଥାନାନ୍ତର କରିବା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଉଭୟ ଆମ୍ବୁଲାନ୍ସ ଚାଳକ ଓ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ଫାର୍ମାସିଷ୍ଟ ବେଣୁଧର ମହାନ୍ତ, ମାନସ ଦାଶ, ଚାଳକ ପ୍ରଶାନ୍ତ ପାତ୍ର, ମନୋଜ ବେହେରା, ଆଟେଣ୍ଡାଣ୍ଟ ସାଗର ମୁଦୁଲି ଓ ଲକ୍ଷ୍ମଣ ନାଥ ଆହତ ହୋଇଥିଲେ। ଭୟରେ ୬ଜଣ ସେଠାରୁ ଦୌଡ଼ି ପଳାଇ ବଡ଼ସାହି ଥାନାକୁ ଖବର ଦେବାରୁ ପୁଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାକୁ ପଠାଇଛି। ଖବର ପ୍ରଚାରିତ ହେବା ପରେ ୧୦୮ ଆମ୍ବୁଲାନ୍ସ ଚାଳକ/କର୍ମଚାରୀ ସଂଘ ଘଟଣାକୁ ନିନ୍ଦା କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି। ଅନ୍ୟଥା ସେମାନେ ସମୂହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ବଡ଼ସାହି ପୁଲିସ୍‍ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Comments
Loading...