କାର୍‍ ଧକ୍କାରେ ଲୁନା ଚାଳକ ଗୁରୁତର

0

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ଷଣ୍ଢବଟ ଗ୍ରାମ୍ୟ ଛକ ଠାରେ ସୋମବାର ଅପରାହ୍ନରେ ଏକ କାର୍‍ ଧକ୍କାରେ ଜଣେ ଲୁନାଚାଳକ ଗୁରୁତର ହୋଇଥିବା ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଅଧିକ ଗୁରୁତର ହେବାରୁ ପରେ କ୍ୟାପିଟାଲ ହସପିଟାଲ୍‍କୁ ସ୍ଥାନାନ୍ତର କରାଯାଇଥିଲା। ପରେ ସେଠାରୁ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଥିବା ସୂଚନା ମିଳିଛି। ଆହତଙ୍କ ନାମ କ୍ଷେତ୍ରମୋହନ ବେହେରା (୬୦) ଓ ତାଙ୍କ ଘର ସାତଶଙ୍ଖ ନିକଟ ଯଶୁଆପୁର ଗ୍ରାମରେ ହୋଇଥିବା ସୂଚନା ମିଳିଛି। ସେ ଏକ ମୋପେଡ ଲୁନା ଚଳାଇ ଯାଉଥିବା ବେଳେ ଷଣ୍ଢବଟ ଗ୍ରାମ୍ୟଛକ ଠାରେ ଥିବା ଜାତୀୟ ରାଜପଥର କଟ୍‍ ନିକଟରେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର୍‍ ତାଙ୍କୁ ଧକ୍କା ଦେବା ସହ ଲୁନା ଉପରେ ଚଢିଯାଇ କିଛିଦୂର ପର୍ଯ୍ୟନ୍ତ ଲୁନାକୁ ଘୋଷାରି ନେଇଥିଲା। ଫଳରେ ସେ ଛିଟିକି ଯାଇ କାର୍‍ର ସମ୍ମୁଖ କାଚରେ ମାଡ ହୋଇ ରାସ୍ତା ଉପରେ ପଡିଥିଲେ। ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପିପିଲି ଥାନା ଏଏସ୍‍ଆଇ ବିନୟ କୁମାର ଦାସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇଟି ଯାକ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।

Leave A Reply