ହାଇୱା ଚାପାରେ ୨ ଯୁବ ଯନ୍ତ୍ରୀ ମୃତ

ଚନ୍ଦକା : ରାଜଧାନୀରେ ପୁଣି ଦୁର୍ଘଟଣା ବଢାଉଛି ହାଇୱା ଯାନ। ୪ ଦିନ ତଳେ କାର୍‌କୁ ଚାପି ଜଣେ ଯନ୍ତ୍ରୀଙ୍କ ଜୀବନ ନେଇଥିବା ଏଭଳି ଭାରୀଯାନ ଆଜି ଆଉ ଦୁଇ ଜଣ ଯୁବ ଯନ୍ତ୍ରୀଙ୍କ ପ୍ରାଣ ନେଇଛି। ବାଇକ୍‌ରେ ଯାଉଥିବା ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ (ଓୟୁଟିଆର୍‌)ର ଦୁଇ ଛାତ୍ର(ଦୁଇ ଯୁବ ଇଞ୍ଜିନିୟର)ଙ୍କୁ ପଛପଟୁ ହାଇୱା ଚପାଇ ଦେଇଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ପଟିଆ ଅଞ୍ଚଳରେ ଏକ ସଂସ୍ଥାରେ ଉତ୍ତୀର୍ଣ୍ଣ ହୋଇ ଉଭୟ ଇଣ୍ଟର୍ଣ୍ଣସିପ୍ କରୁଥିଲେ। ମୃତକ ଦ୍ବୟ ଘାଟିକିଆ ଅଞ୍ଚଳର ସ୍ବରାଜ ସାହୁ(୨୬) ଓ ନୟାଗଡ଼ କରଡ଼ାପଲ୍ଲୀର ସାଫଲ୍ୟ ନାୟକ(୨୩)। ସାଫଲ୍ୟ ବିଟେକ୍‌ର ୪ର୍ଥ ବର୍ଷର ଛାତ୍ର ଥିବାବେଳେ ସ୍ବରାଜ ଏମ୍‌ଟେକ୍‌ର ୨ୟ ବର୍ଷର ଛାତ୍ର ଥିଲେ। ଡିଏଲ୍‌ଏଫ୍‌ରେ ସେମାନେ ଇଣ୍ଟର୍ଣ୍ଣସିପ୍‌ କରୁଥିଲେ।
ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଦୁହେଁ ଏକ ବାଇକ୍‌ରେ ଚନ୍ଦକା-ଭୁବନେଶ୍ବର ରାସ୍ତାର ପଥରଗାଡ଼ିଆ ଦେଇ ଡିଏଲ୍‌ଏଫ୍ କାର୍ଯ୍ୟାଳୟକୁ ଯାଉଥିଲେ। ଅନ୍ଧାରୁଆ ପର୍ବତସୋରା ବାଙ୍କ ନିକଟ କଟ୍‌ରେ ୟୁଟର୍ଣ୍ଣ ନେବା ସମୟରେ ସେମାନଙ୍କୁ ପଛରୁ ଦ୍ରୁତ ଗତିରେ ଆସୁଥିବା ହାଇୱା ଧକ୍କା ଦେଇ ପଳାଇଥିଲା। ଘଟଣାସ୍ଥଳରେ ଦୁହେଁ ରାସ୍ତା କଡ଼କୁ ଛିଟିକି ପଡିଥିଲେ। ଏହି ଦୁୁଇ ଜଣ ଛାତ୍ର କୃତୀ ଛାତ୍ରଙ୍କ ଅକାଳ ବିୟୋଗକୁ ନେଇ ଓୟୁଟିଆର୍‌ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ରାଜଧାନୀ ଚିକିତ୍ସାଳୟକୁ ପଠାଇଛି। ଦୁର୍ଘଟଣା ଘଟାଇଥିବା ହାଇୱାର ନମ୍ବର ଜଣାପଡିଥିଲେ ବି ଗାଡ଼ି ଓ ଚାଳକଙ୍କୁ ଠାବ କରିପାରିନି ପୁଲିସ।
ସୂଚନାଯୋଗ୍ୟ, ଗତ ସୋମବାର ପଳାସୁଣୀ ଛକ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏକ ମାଲ୍‌ ବୋଝେଇ ହାଇୱା ନିୟନ୍ତ୍ରଣ ହରାଇ ଏକ କାର୍‌ ଉପରେ ମାଡ଼ି ଯିବାରୁ ଗାଡ଼ିରେ ଏକାକୀ ଥିବା ଯନ୍ତ୍ରୀ ଶ୍ରୀମନ୍ତ ଚାପି ହୋଇ ପ୍ରାଣ ହରାଇଥିଲେ। ପରିବହନ ବିଭାଗର ଚେତା ପଶିବାରୁ ପ୍ରଶିକ୍ଷଣ ଶିବିର କରି ଗୁରୁବାର ରାତି ୮ଟାଠାରୁ ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ହଇୱା, ଟିପର ଓ ଡମ୍ଫର ଗାଡ଼ିକୁ ଯାଞ୍ଚ କରିବା ଲାଗି ଏକ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଏପଟେ ଯାଞ୍ଚ ଚାଲିଥିବା ବେଳେ ଅନ୍ୟପଟେ ବାଲି ଆଣିବାକୁ ଦ୍ରୁତ ଗତିରେ ଯାଉଥିବା ହାଇୱା ମାଡ଼ି ଆଜି ୨ ଜଣ ଯୁବ ଯନ୍ତ୍ରୀଙ୍କର ମୃତ୍ୟୁ ଘଟିଛି।
ରାଜଧାନୀରେ ଯାଞ୍ଚ କରାଯାଇଥିବା ୪୧ଟି ହାଇୱାରୁ ୧୨ଟିରେ ଅଧିକ ପରିମାଣରେ ମାଲ୍‌ ପରିବହନ, ୨ଟି ଗାଡ଼ି ଚାଳକଙ୍କର ଲାଇସେନ୍ସ ନ ଥିବା ଓ ୪ଟି ଗାଡ଼ି ବିନା ଟିକସରେ ଚାଲୁଥିବା ବେଳେ ୫ଟି ଗାଡ଼ିର ପରିମିଟ୍‌ ନ ଥିଲା। ୩ଟି ଗାଡ଼ିର ବୀମା ନ ଥିବାବେଳେ ଏଭଳି ତ୍ରୁଟି ଥିବା ୯ଟି ଗାଡ଼ିକୁ ପରିବହନ ବିଭାଗ ପକ୍ଷରୁ ଜବତ କରାଯାଇଛି। ପରିବହନ ବିଭାଗ ପକ୍ଷରୁ ମୁସ୍‌କାନ୍ ନାମକ ସଂଗଠନ ମାଧ୍ୟମରେ ଦୁର୍ଘଟଣା ପରେ ଏହାର କାରଣ ଖୋଜିବା ଲାଗି ପରବର୍ତ୍ତୀ ତଦନ୍ତ କିଭଳି କରାଯିବ ସେନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ସବୁ ଥାନାର ଏକାଧିକ ତଦନ୍ତକାରୀ ଅଧିକାରୀ ସାମିଲ୍‌ ହୋଇଥିଲେ।

Comments are closed.