ସଡ଼କ ଦୁର୍ଘଟଣାରେ ବାପ,ମା’ ଓ ଝିଅ ମୃତ

0

କେନ୍ଦୁଝର ଗଡ଼/କେନ୍ଦୁଝର/ପାଟଣା : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଧିନ ୪୯ନଂ ଜାତୀୟ ରାଜପଥ ଚେମଣା ନିକଟରେ ବୁଧବାର ସନ୍ଧ୍ୟା ପ୍ରାୟ ୫ଟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ୬ବର୍ଷର ଝିଅ ଏବଂ ଦୁର୍ଘଟଣା ଘଟାଇଥିବା ଯାନର ଚାଳକ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମୟୂରଭଞ୍ଜ ଜିଲା ଚଢ଼େଇଭୋଳର ମହମ୍ମଦ ସାଜିଦ ସ୍ତ୍ରୀ ତମନା ବିବି ଏବଂ ୮ବର୍ଷର ଝିଅ ଅପିଫା ତେହେରୀ ଓ ୬ବର୍ଷ ଝିଅ ତେହେସି ପରବିନଙ୍କୁ ଏକ ବାଇକରେ ବସାଇ କେନ୍ଦୁଝରରୁ ନିଜ ଗ୍ରାମ ଚଢ଼େଇଭୋଳ ଅଭିମୁଖେ ଯାଉଥିଲେ। ଚେମଣା ନିକଟରେ ସମ୍ମୁଖ ଭାଗରୁ ପିକ୍‍ଅପ ଭ୍ୟାନ ମହମ୍ମଦ ସାଜିଦଙ୍କ ବାଇକ୍‍ ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣାର ଶୀକାର ମହମ୍ମଦ ସାଜିଦଙ୍କ ସମେତ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ସାଜିଦ, ସାଜିଦଙ୍କ ସ୍ତ୍ରୀ ତମନା ଏବଂ ୮ବର୍ଷର ଝିଅ ଅପିଫା ତେହେରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସାନ ଝିଅ ତେହେସି ପରବିନଙ୍କୁ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଥିବା ଚିକିତ୍ସାଳୟ ସୂତ୍ରରୁ ପ୍ରକାଶ। ତେବେ ଦୁର୍ଘଟଣା ଘଟାଇଥିବା ପିକଅପ୍‍ ଭ୍ୟାନର ଚାଳକକୁ ସ୍ଥାନୀୟ ଉତ୍ତ୍ୟକ୍ତ ଜନତା କାବୁ କରି ନିସ୍ତୁକ ମାଡ ମାରିଥିବା ବେଳେ ଚାଳକ ଜଣକ ଗୁରୁତର ହେବାରୁ ତାଙ୍କୁ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଲାଗି ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୁଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, ୪୯ନଂ ଜାତୀୟ ରାଜପଥ ସିଙ୍ଗଡ ଠାରୁ ଜଗମୋନପୁର ପର୍ଯ୍ୟନ୍ତ ମରଣଯନ୍ତା ପାଲଟିଥିବା କାରଣରୁ ଦୈନିକ ଛୋଟବଡ ସଡକ ଦୁର୍ଘଟଣାଜନିତ କାରଣରୁ ବ୍ୟାପକ ଧନଜୀବନ ହାନି ଘଟୁଥିଲେ ହେଁ ଏହାର ସ୍ଥାୟୀ ନିରାକରଣ ନେଇ ପ୍ରଶାସନିକସ୍ତରରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଜିଲାବ୍ୟାପୀ ସାଧାରଣରେ ତୀବ୍ର ଅସନ୍ତୋଷ କ୍ରମେ ଆନ୍ଦୋଳନ ଆଡକୁ ମୁହାଁଇଛି।

Leave A Reply