ଘାଟିରୁ ଖସିଲା ମିନି ବସ୍: ୧୨ ମୃତ, ୧୫ ଆହତ

0

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ରାମବନ ଜିଲାର ବନିହାଲ ନିକଟରେ ଶନିବାର ସକାଳେ ଏକ ମିନି ବସ୍ ଘାଟିରୁ ଖସି ପଡିଛି । ଏହି ଦୁର୍ଘଟଣାରେ ବସରେ ଥିବା ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବସଟି ଯାତ୍ରୀଙ୍କୁ ନେଇ ରାମବନରୁ ବନିହାଲ ଯାଉଥିଲା। ହେଲେ ରାସ୍ତାରେ ବସଟି ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସି ପଡିଥିଲା । ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ସ୍ଥାନୀୟଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣାସ୍ଥଳରୁ ୧୫ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଅନ୍ୟପକ୍ଷରେ ଜାମ୍ମୁ-କାଶ୍ମୀରର ସୋପିଆନ୍‌ ଜିଲାରେ ଏକ ସଡକ ଦୁର୍ଘଟଣାରେ ୧୩ ଜଣ ଯବାନ ଆହତ ହୋଇଛନ୍ତି । ଶନିବାର ସକାଳେ ଦକ୍ଷିଣ କାଶ୍ମୀରର କାନୀପୋରା ନିକଟରେ ସେନା ବାହିନୀର ଏକ ଭ୍ୟାନ ଓଲଟି ପଡିଥିଲା। ଆହତ ଯବାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

Leave A Reply