ଦୁର୍ଘଟଣାରେ ବାଇକ ଚାଳକ ମୃତ

0

ପିପିଲି: ପିପିଲି-ନିମାପଡା ରାସ୍ତାର ଗୋଡିମାଳ ଓ ଶାଳଜଙ୍ଗ ମଧ୍ୟବର୍ତ୍ତି ସ୍ଥାନରେ ସୋମବାର ରାତିରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକଙ୍କ ଘର ନିମାପଡା ଥାନା ଅନ୍ତର୍ଗତ ଏକମକଣା ନିକଟବର୍ତ୍ତି ଆଙ୍କୁଶପୁର ଗ୍ରାମରେ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଯୁବକ ଜଣକ ବାଇକ ଚଳାଇ ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ସାଢେ ୧୦ଟା ସମୟରେ ଗୋଡିମାଳ ଓ ଶାଳଜଙ୍ଗ ମଧ୍ୟବର୍ତ୍ତି ସ୍ଥାନରେ କୌଣସି ଏକ ଅଜଣା ଗାଡି ତାଙ୍କୁ ବାଇକ୍‍କୁ ଧକ୍କା ଦେଇ ପଳାଇଥିଲା । ଫଳରେ ସେ ବାଇକ ସହ ରାସ୍ତା ଉପରେ ଛିଟିକି ପଡିଥିବା ବେଳେ ତାଙ୍କ ମୁଣ୍ଡ ଓ କାନମୁଣ୍ଡାରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବଳଙ୍ଗା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକ୍‍କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

Leave A Reply