୨୨ ଦିନ ପରେ ଅସହାୟା ପତ୍ନୀଙ୍କୁ ମେଡିକାଲରୁ ନେଲେ ଫେରାର ସ୍ୱାମୀ

ବୁର୍ଲା: ଏପ୍ରିଲ ମାସ ୩୦ ତାରିଖ ଦିନ ବରଗଡ଼ ଜିଲ୍ଲା ବୁଡ଼େନଥାନା ଅନ୍ତର୍ଗତ ବାମନଡ଼ିହି ଗ୍ରାମର ନବ କୁମ୍ଭାରଙ୍କ ସ୍ତ୍ରୀ ଉମା କୁମ୍ଭାର(୬୦)ଙ୍କୁ ୧୦୮ ଆମ୍ବୁଲାନସରେ ପଦମ୍ପୁର ମେଡ଼ିକାଲରୁ ଭିମସାରକୁ ପଠାଯାଇଥିଲା। ଉମା ଚାଲିବୁଲି ପାରୁ ନ ଥିବା ବେଳେ ତାଙ୍କ ସ୍ୱାମୀ ନବ କୁମ୍ଭାର ଭିମସାରରେ ଉମାଙ୍କୁ ଛାଡ଼ି ଟଙ୍କାବ୍ୟାଗ ନେଇ ଫେରାର ହୋଇଯାଇଥିଲେ। ଉମାଙ୍କ ପାଖରେ କାଣି କଉଡ଼ିଟିଏ ମଧ୍ୟ ନ ଥିବା ଏବଂ ଚାଲି ପାରୁ ନ ଥିବା ଯୋଗୁଁ ଅତ୍ୟନ୍ତ ଚିନ୍ତାଗ୍ରସ୍ତ ହୋଇ ଆଶୁଚିକିତ୍ସା ବିଭାଗ ନିକଟରେ ରହି କାନ୍ଦୁଥିଲେ। ଅସହାୟା ବୃଦ୍ଧାଙ୍କୁ ସମାଜସେବୀ ନାରାୟଣ ପତି କୌଣସି ମତେ ଭେଟିବା ପରେ ଏହି ଘଟଣା ବିଷୟରେ ଅବଗତ ହେବା ପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ଗଣମାଧ୍ୟମକୁ ଅବଗତ କରାଇଥିଲେ। ବୃଦ୍ଧାଜଣକ କାନ୍ଦି କାନ୍ଦି ତାଙ୍କ ସ୍ୱାମୀ ନବ କିପରି ଭାବରେ ତାଙ୍କର ଚିକିତ୍ସା ପାଇଁ ଆଣିଥିବା ପ୍ରାୟ ୨୦ ହଜାର ଟଙ୍କା ରହିଥିବା ଭର୍ତ୍ତି ବ୍ୟାଗକୁ ଧରି ଫେରାର ମାରିବା କହିଥିଲେ।

ଏହାପରେ ଗଣମାଧ୍ୟମ ପ୍ରତିନିଧି ଏବଂ ସମାଜସେବୀଙ୍କ ହସ୍ତକ୍ଷେପ କ୍ରମେ ବୃଦ୍ଧାଙ୍କୁ ଭିମସାର ହସପିଟାଲର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିଲା। ଉକ୍ତ ବୃଦ୍ଧାଙ୍କ ପୁର୍ବରୁ ଗତ ପ୍ରାୟ ପାଞ୍ଚମାସ ତଳେ ଏକ ଦୁର୍ଘଟଣାରେ ଆହତ ହୋଇ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା। ସେପଟେ ବୃଦ୍ଧାଜଣକ ତାଙ୍କର କେହି ପୁଅ କିମ୍ବା ଝିଅ ନ ଥିବା ଏବଂ ତାଙ୍କ ସ୍ୱାମୀ ହିଁ ଏକମାତ୍ର ସାହାରା ମାତ୍ର ସେ ମଧ୍ୟ ଭିମାସାରରେ ଉମାଙ୍କୁ ଛାଡ଼ି ଫେରାର ମାରିଥିଲା। ପରେ ଭିମସାର ପକ୍ଷରୁ ଷ୍ଟିୱାର୍ଡ଼ ଅଶ୍ୱିନୀ ମେହେରଙ୍କ ଦ୍ୱାରା ବୃଦ୍ଧାଙ୍କ ପାଇଁ ଜଣେ ଆଟେଣ୍ଡାଣ୍ଟ ବ୍ୟବସ୍ତା କରାଯାଇ ତାଙ୍କର ଚିକିତ୍ସା ଅସ୍ଥିଶଲ୍ୟ ବିଭାଗର ଡ଼ାକ୍ତର, ସେବିକା ଏବଂ କର୍ମଚାରୀମାନେ ବୃଦ୍ଧାଙ୍କ ଚିକିତ୍ସା ଏବଂ ଅସ୍ତ୍ରୋପଚାର ବ୍ୟବସ୍ତା କରିଥିଲେ। ବୃଦ୍ଧା ଅସ୍ତ୍ରୋପଚାର ମଧ୍ୟ ସମାପ୍ତ ହୋଇଥିଲା। ଇତିମଧ୍ୟରେ ବୃଦ୍ଧାଙ୍କୁ ଛାଡ଼ିବାର ୨୦ ଦିନ ବିତିଯାଇଥିଲା ମାତ୍ର ରୋଗୀ ଉମାଙ୍କ ସ୍ୱାମୀ ନବ କୁମ୍ଭାରଙ୍କ କୌଣସି ପତ୍ତା ମିଳି ପାରି ନ ଥିଲା।

ପରେ ବରଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ସ୍ତାନିୟ ପୁଲିସ ନବ କୁମ୍ଭାରଙ୍କୁ ଠାବ କରିବା ସହିତ ଗ୍ରାମରକ୍ଷୀ ମିତ୍ରଭାନୁ କୁମ୍ଭାରଙ୍କ ସହିତ ଗ୍ରାମର ସୁରେନ୍ଦ୍ର ସାହୁ ଏବଂ ସୁରେଶ ବାଗ ପ୍ରମୁଖ ଭିମସାରକୁ ଏକ ଗାଡ଼ିଭଡ଼ା କରି ପହଞ୍ଚିଥିଲେ। ଏହା ପାରେ ବୃଦ୍ଧାଙ୍କୁ ନିଜସ୍ୱ ଗ୍ରାମକୁ ନେବା ସମ୍ଭବପର ହୋଇଥିଲା। ଏପରିକି ଇତିହାସର ଫର୍ଦ୍ଦକୁ ଓଲଟାଇ ଦେଖିଲେ ଗତ ବର୍ଷ ଡ଼ିସେମ୍ବର ମାସରେ ମଧ୍ୟ ଏହି ବୃଦ୍ଧା ଉମା କୁମ୍ଭାର ଭିମସାରର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କୁ ସେହି ସମୟରେ ରେଡ଼କ୍ରସର ପାଟ୍ରନ ନିହାଲ ସିଂ ଘରକୁ ପ୍ରେରିତ ବ୍ୟବସ୍ତା କରାଇଥିବାର ଦୃଷ୍ଟାନ୍ତ ରହିଛି। ତେବେ ଭିମସାରକୁ ଚାପଗ୍ରସ୍ତ କରାଯିବା କ୍ଷେତ୍ରରେ ଏଭଳି ଭାବରେ ନିଜର ସମ୍ପର୍କିୟ ରହିଥିବା ସତ୍ୱେ ବୁର୍ଲା ଭିମସାରରେ ନିଜ ରୋଗୀଙ୍କୁ ଫେରାର ମାରିବା ଘଟଣା ଘଟିବାର ଅନେକ ଦୃଷ୍ଟାନ୍ତ ରହିଛି। ଯାହାଫଳରେ ବ୍ୟସ୍ତବହୁଳ ଭିମସାର ମାତ୍ରାଧିକ ଚାପଗ୍ରସ୍ତ ହୋଇ ରହୁଛି। ଏହାକୁ ହୃଦୟଙ୍ଗମ କରିବା କ୍ଷେତ୍ରରେ କୌଣସି ଦୃଷ୍ଟି ଦିଆଯାଉ ନାହିଁ।

Comments are closed.