କରୋନା ଯୁଦ୍ଧରେ ବଳିଦାନ ଦେଲେଣି ୩ହଜାରରୁ ଊର୍ଧ୍ବ ଡ଼ାକ୍ତର; କେବଳ ଭାରତରେ ୯୩

  • ଭାରତରେ ୧୨୭୯ ଡ଼ାକ୍ତର କରୋନା ସଂକ୍ରମଣର ଶିକାର, ଏହାମଧ୍ୟରୁ ୭୭୧ ଜଣଙ୍କ ବୟସ ୩୫ ବର୍ଷରୁ କମ୍
  • ବିଶ୍ବରେ ୯୦ ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ, ପିପିଇ କିଟ୍ ଅଭାବରୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ଆକଳନ

ନୂଆଦିଲ୍ଲୀ: କରୋନା ସାରା ବିଶ୍ବକୁ କବଳିତ କରିଛି । ସଂକ୍ରମିତଙ୍କ ସଂଖ୍ୟା ୧.୩ କୋଟିରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ବଢ଼ୁଛି । ଭାରତ ବି ଏଥିରୁ ବାଦ ପଡ଼ିନାହିଁ । କରୋନାକୁ ରୋକିବା ନିମନ୍ତେ ଲାଗିଛନ୍ତି ଯୋଦ୍ଧା । ଆଉ ବିଡ଼ମ୍ବନା ହେଉଛି ଏହି ଯୋଦ୍ଧାମାନେ ବି କରୋନା ଆକ୍ରମଣରୁ ବାଦ ପଡ଼ିନାହାନ୍ତି । ସାରା ବିଶ୍ବରେ ବହୁ ସଂଖ୍ୟକ ସ୍ବାସ୍ଥ୍ୟ କର୍ମୀ କରୋନା ସଂକ୍ରମିତ ହୋଇଛନ୍ତି । ଆମନେଷ୍ଟି ଇଣ୍ଟରନେସନାଲ ତଥ୍ୟ ଅନୁସାରେ ସାରା ବିଶ୍ବରେ କରୋନାରେ ଏ ପର୍ଯ୍ୟନ୍ତ ୩ ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କ ଜୀବନ ଗଲାଣି । ଅସୁରକ୍ଷିତ ପରିବେଶରେ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଏଥିପାଇଁ ଦାୟୀ କରାଯାଇଛି । ବିଡ଼ମ୍ବନା ହେଉଛି ଯେଉଁ ଡ଼ାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଯୋଦ୍ଧା ଭାବରେ କରୋନା ମୁକାବିଲା ପାଇଁ ଆଗରେ ଅଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ହିଂସାତ୍ମକ କାର୍ଯ୍ୟ କରିବାକୁ ଲୋକମାନେ ପଛାଉ ନାହାନ୍ତି ।

data

ସେଣ୍ଟର ଫର ଡ଼ିଜିଜ୍ କଂଟ୍ରୋଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆମେରିକାରେ ପ୍ରତି ୧୦ ଜଣ ସ୍ବାସ୍ଥ୍ୟ କର୍ମୀଙ୍କ ମଧ୍ୟରୁ ଜଣେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ସେହିପରି ଆମନେଷ୍ଟି ଇଣ୍ଟରନେସନାଲ ବିଶ୍ବର ୭୯ଟି ଦେଶର ସ୍ବାସ୍ଥ୍ୟ କର୍ମୀଙ୍କ ଉପରେ ଆଧାରିତ ତଥ୍ୟ ପ୍ରକାଶ କରିଛି । ଏଥିରେ ରୁଷରେ ସର୍ବାଧିକ ୫୪୫ ଜଣ ଡ଼ାକ୍ତର ପ୍ରାଣ ହରାଇଥିବା ସୂଚନା ଦେଇଛି । ସେହିପରି ଆମେରିକାରେ ୫୦୭, ଇଂଲଣ୍ଡରେ ୫୪୦, ବ୍ରାଜିଲରେ ୩୫୧, ଇରାନରେ ୧୧୧ ସ୍ବାସ୍ଥ୍ୟ କର୍ମୀ ମୃତ୍ୟୁ ବରଣ କରିଥିବା କୁହାଯାଇଛି । ଭାରତରେ ଡ଼ାକ୍ତରଙ୍କ ମୃତ୍ୟୁ ସଂଖ୍ୟା ୯୩ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ଅଛି । ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ ଅଧ୍ୟକ୍ଷ ଡ଼ା. ରଞ୍ଜନ ଶର୍ମା ଗଣମାଧ୍ୟମକୁ ଦେଇଥିବା ରିପୋର୍ଟ ଅନୁସାରେ ଭାରତରେ ଏ ପର୍ଯ୍ୟନ୍ତ ୯୩ ଡ଼ାକ୍ତର କରୋନାରେ ପ୍ରାଣ ହରାଇଛନ୍ତି । ବର୍ତମାନ ସୁଦ୍ଧା ୧୨୭୯ ସ୍ବାସ୍ଥ୍ୟ କର୍ମୀ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୭୧ ଜଣ ଡ଼ାକ୍ତରଙ୍କ ବୟସ ୩୫ ବର୍ଷରୁ କମ୍ ଓ ୨୪୭ଜଣ ଡ଼ାକ୍ତରଙ୍କ ବୟସ ୩୫ରୁ ଅଧିକ । ୫୦ ବର୍ଷରୁ ଅଧିକ ବୟସର ୨୬୧ ଜଣ କରୋନା ସଂକ୍ରମିତ ହୋଇଥିବା ଡ଼ା. ଶର୍ମା କହିଛନ୍ତି ।

ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଡ଼ାକ୍ତର କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ୫୪ ବର୍ଷ ବୟସ୍କ ଡ଼ା ଅଶ୍ବିନୀ ନନ୍ଦକୁଲିଆର ଗୟାରେ କାର୍ଯ୍ୟ କରୁଥିଲେ ଓ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିଲେ । ଏହି ଅବସରରେ ସେ ସଂକ୍ରମିତ ହୋଇଗଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣାସ୍ଥିତ ଏମ୍ସରେ ଭର୍ତି କରାଯାଇଥିଲା, ମାତ୍ର ଗତ ସୋମବାର ତାଙ୍କର ମୃତ୍ୟୁ ଘଟିଛି । ସେହିପରି ମଙ୍ଗଳବାର କରୋନାରେ ପିଏମସିଏଚର ଜଣେ ଡ଼ାକ୍ତରଙ୍କ ମୃତ୍ୟୁ ଘଟିଛି । ଡ଼ାକ୍ତରଙ୍କ ନାମ ଏ.କେ.ସିଂହ ଓ ସେ ଇଏନଟିର ଆସୋସିଏଟ ପ୍ରଫେସର ଥିଲେ । ତାଙ୍କୁ ମଧ୍ୟ ପାଟଣାର ଏମ୍ସରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗତ ମାସରେ ଦିଲ୍ଲୀର ଲୋକନାୟକ ହସପିଟାଲର ଡ଼ା. ଅସୀମ ଗୁପ୍ତା କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିଲେ ।

flowers on corona warrier india

ସୁରକ୍ଷା ଓ ପିପିଇ କିଟର ଅଭାବ

କରୋନାକାଳରେ ଉପଯୁକ୍ତ ପିପିଇ କିଟ୍ ଓ ସୁରକ୍ଷା ଅଭାବ ଯୋଗୁଁ ସ୍ବାସ୍ଥ୍ୟ କର୍ମୀମାନଙ୍କ ନିମନ୍ତେ ଅଧିକ ବିପଦ ସୃଷ୍ଟି ହୋଇଛି । ଭାରତ, ପାକିସ୍ତାନ, ବ୍ରାଜିଲ ଓ ଅନ୍ୟ କିଛି ଦେଶରେ ପିପିଇ କିଟ୍ ଏବଂ ସୁରକ୍ଷା ବ୍ୟବସ୍ଥା ଠିକ୍ ନାହିଁ । ଭାରତରେ ସବୁଠାରୁ ବେଶୀ ସ୍ବାସ୍ଥ୍ୟ କର୍ମୀ ଦିଲ୍ଲୀରେ କରୋନା ସଂକ୍ରମିତ ହୋଇଛନ୍ତି । ଦିଲ୍ଲୀରେ ଅନ୍ୟୂନ ୧୮ ଜଣ ଡ଼ାକ୍ତର କରୋନାରେ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ଦୀର୍ଘ ସମୟ ଧରି ପିପିଇ କିଟ୍ ପିନ୍ଧି କାମ କରିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇଛି । ପ୍ରଚଣ୍ଡ ଗରମରେ ଦୀର୍ଘସମୟ ପିପିଇ କିଟ୍ ପିନ୍ଧିବା ଦ୍ବାରା ସେମାନେ ପାଣି ପିଇ ପାରୁନାହାନ୍ତି, ଖାଇ ପାରୁନାହାନ୍ତି, ଶୌଚାଳୟ ମଧ୍ୟ ଯାଇ ପାରୁନାହାନ୍ତି । ପିପିଇ କିଟ୍ ମଧ୍ୟରେ ଝାଳରେ ଭିଜି ଯାଉଛନ୍ତି ।
ସ୍ବାସ୍ଥ୍ୟ କର୍ମୀଙ୍କ ସହ ଦୁର୍ବ୍ୟବହାର, ହିଂସାତ୍ମକ ବ୍ୟବହାର

ଆମନେଷ୍ଟି ଇଣ୍ଟରନେସନାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କରୋନା ସମୟରେ ଡ଼ାକ୍ତର ଓ ନର୍ସମାନଙ୍କ ପ୍ରତି ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । କିଛି ଦେଶରେ ସେମାନଙ୍କ ଉପରେ ଆକ୍ରମଣ ହୋଇଛି । ମେକ୍ସିକୋରେ ଅସାମାଜିକ ଲୋକମାନେ ନର୍ସମାନଙ୍କ ଉପରେ କ୍ଲୋରିନ ଫିଙ୍ଗିଥିବା ଦେଖିବାକୁ ମିଳିଛି । ଫିଲପାଇନ୍ସରେ ଡ଼ାକ୍ତରଖାନାରେ ଜଣେ କର୍ମଚାରୀଙ୍କ ମୁହଁରେ ବ୍ଲିଚିଂ ଫିଙ୍ଗିଛନ୍ତି । ପାକିସ୍ତାନ ଓ ଭାରତରେ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ହିଂସାର ଶିକାର ହେବାକୁ ପଡ଼ିଛି । ଘରକୁ ଘର ବୁଲି ସର୍ଭେ କରିବା, ସ୍ବାବ ସଂଗ୍ରହ କରିବା ଓ ସଚେତନ କରିବା ସମୟରେ ସ୍ବାସ୍ଥ୍ୟ କର୍ମୀଙ୍କ ସହ ଦୁର୍ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି ।

Comments are closed.