ସାମ୍ବାଦିକ ସ୍ବର୍ଗତ ରଣଜିତ ଗୁରୁ ସ୍ମାରକୀ ଆନ୍ତର୍ଜାତିୟ ସମ୍ପାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ , ଜବାହରଲାଲ ନେହେରୁ ମହାବିଦ୍ୟାଳୟ , କୁଆଁପାଳ ଓ “ସେଣ୍ଟର ଫର ଆଦିବାସୀ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଓଡ଼ିଶା” ପକ୍ଷରୁ ବିଶିଷ୍ଟ ସାମ୍ବାଦିକ ସ୍ବର୍ଗତ ରଣଜିତ ଗୁରୁ ସ୍ମାରକୀ ଆନ୍ତର୍ଜାତିୟ ସମ୍ପାନ କାର୍ଯ୍ୟକ୍ରମ ତୃତୀୟ ସୋପାନରେ ପହଞ୍ଚିଛି। ଏହି କାର୍ଯ୍ୟକ୍ରମରେ ବକ୍ତା ଭାବରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଅର୍ଥନୀତିଜ୍ଞ ପ୍ରଫେସର କୁମର ବର ଦାସ, ଅମେରିକାନ ୟୁନିଭରସିଟି ଅଫ ବେରୁଟ, ଲେବାନନରୁ ପ୍ରଫେସର ଦିଗମ୍ବର ପାତ୍ର ଏବଂ ଶାଖା ମୁଖ୍ୟ ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଶ୍ଚିମ ବଙ୍ଗରୁ ଶୁଭେନ୍ଦୁ ସେନାପତି ଯୋଗ ଦେଇ “Impact of Globalization on Odisha” ଶିର୍ଷକ ବିଷୟ ବସ୍ତୁ ସମ୍ବନ୍ଧରେ ମତ ଉପସ୍ଥାପନ କରିଥିଲେ।
ପ୍ରଫେସର ଦାସ ଆଧୁନିକ ପୁଞ୍ଜିବାଦୀ ବ୍ୟବସ୍ଥା ଦ୍ୱାରା ପରିଚାଳିତ ଅସମତୁଳ ବିକାଶ ପ୍ରକ୍ରିୟାକୁ ସମାଲୋଚନା କରିଥିଲେ। ଆଧୁନିକ ବିକାଶ ପ୍ରକ୍ରିୟା କିଭଳି ଆଦିବାସୀ ଓ ଅବହେଳିତ ସମୁଦାୟ ର ସ୍ୱାର୍ଥ କୁ ଗୁରୁତ୍ୱ ଦେଇ ଲୋକଭିୁମୁଖୀ ହୋଇପାରିବ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟ ପକ୍ଷରେ ପ୍ରଫେସର ପାତ୍ର (କେବିକେ) KBK ଅଞ୍ଚଳରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ (ଏନଆଇଟି) NIT ଭଳି ଶିକ୍ଷାନୁଷ୍ଠାନର ଗୁରୁତ୍ୱତା ଓ ଜଗତିକରଣ ପ୍ରକ୍ରିୟାରେ ବୃହତ ଶିଳ୍ପର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ।
ସେହିପରି ଭାବରେ ବକ୍ତା ଶୁଭେନ୍ଦୁ ସେନାପତି ବିଦେଶକୁ କଞ୍ଚାମାଲ ରପ୍ତାନି କରିବା ପରିବର୍ତ୍ତେ ଭାରତ ନିଜସ୍ୱ ଶିଳ୍ପ ପ୍ରତିଷ୍ଠା କରି ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି କହିଥିଲେ ।
ଆବାହକ ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁଗ୍ମ ସଂଯୋଜିକା ମିସ ପାୟଲ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ରୁଦ୍ର ନାରାୟଣ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକ , ଗବେଷକ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଶେଷରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଶୁଭମ ଦାସ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.