ଈଶ୍ବରଙ୍କ କାମ

ଭରପୂର ଦରବାରରେ ସେଦିନ ବାଦ୍‌ଶାହ ଆକବର ବୀରବଲଙ୍କୁ ପଚାରିଥିଲେ- ସଦାସର୍ବଦା ତୁମେ ଈଶ୍ବରଙ୍କ ନାମ ଜପ କରୁଛ। ମୋତେ କହିପାରିବ କି ଈଶ୍ବର କେଉଁଠି ରହନ୍ତି, କ’ଣ କରନ୍ତି, କିପରି ତାଙ୍କୁ ପାଇହେବ? ଏଭଳି ପ୍ରଶ୍ନ ଶୁଣି ବୀରବଲ ହତଚକିତ ହୋଇଯାଇଥିଲେ। ଏହାର କି ଉତ୍ତର ଦେବେ ଜାଣି ପାରିନଥିଲେ। ପ୍ରକୃତିସ୍ଥ ହୋଇ କହିଥିଲେ- ‘ମୋତେ ସାତଦିନ ସମୟ ଦିଅନ୍ତୁ। ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବି।’

ଏହା ଭିତରେ ଛ’ଦିନ ବିତିଯାଇଥିଲା, ହେଲେ ବୀରବଲ ଏହାର କୌଣସି ସଠିକ୍‌ ଉତ୍ତର ପାଇ ନଥିଲେ। ସପ୍ତମ ଦିନ ତାଙ୍କର ଚିନ୍ତା ଢ଼େର୍‌ ବଢ଼ିଯାଇଥିଲା। ତାଙ୍କର ଏଭଳି ଚିନ୍ତିତ ଅବସ୍ଥା ଦେଖି ପୁଅ ଏହାର କାରଣ ପଚାରିଥିଲେ। ବୀରବଲ ପ୍ରଥମେ ଏହାକୁ ଟାଳିଦେବାକୁ ବସିଥିଲେ, ହେଲେ ବାରମ୍ବାର ପୁଅ ପଚାରିବାରୁ ପୁଅକୁ ସତକଥା କହିଥିଲେ।

ଏହା ଶୁଣି ପୁଅ ଆଶ୍ବାସନା ଦେଇ କହିଥିଲେ, ଆପଣ ନିଶ୍ଚିନ୍ତ ରହନ୍ତୁ, ମୋତେ ଦରବାରକୁ ନେଇ ଚାଲନ୍ତୁ। ମୁଁ ତାଙ୍କ ପ୍ରଶ୍ନର ସଠିକ ଉତ୍ତର ଦେବି। ପରଦିନ ବୀରବଲ ପୁଅକୁ ନେଇ ଦରବାରକୁ ଯାଇଥିଲେ ଓ ନିଜ ଆସନରେ ଉପବେଶନ କରିଥିଲେ। ପୁଅ ସାଧାରଣ ଲୋକଙ୍କ ମଧ୍ୟରେ ଠିଆ ହୋଇଥିଲା। ବାଦଶାହଙ୍କ ନିର୍ଦେଶକ୍ରମେ ଦରବାର କାର୍ୟ୍ୟ ଆରମ୍ଭ ହୋଇଥିଲା।

ବାଦଶାହ ବୀରବଲଙ୍କୁ ପଚାରିଥିଲେ- ମୋର ପ୍ରଶ୍ନର ଉତ୍ତର ଦେବ କି? ଜାହାଁପନା! ମୋର ପୁଅ ହିଁ ଆପଣଙ୍କ ପ୍ରଶ୍ନର ଉତ୍ତରଦେବ ବୀରବଲ କହିଥିଲେ। କେଉଁଠି ପୁଅ, ତାକୁ ଡାକ। ସାଧାରଣ ଲୋକଙ୍କ ଭିଡ଼ ଠେଲି ପୁଅ ଆଗକୁ ଆସି କହିଥିଲେ- ଜାହାଁପନା! ଆପଣଙ୍କ ତିନି ପ୍ରଶ୍ନର ଉତ୍ତର ମୁଁ ଦେବି।

ବାଦ୍‌ଶାହ ପୁଣି ଥରେ ନିଜ ପ୍ରଶ୍ନ ଦୋହରାଇଥିଲେ। ପ୍ରଶ୍ନ ଶୁଣି ପୁଅ ଏକ ପାତ୍ରରେ କିଛି ଦୁଗ୍ଧ ଆଣିବା ନିମନ୍ତେ କହିଥିଲେ। ବାଦଶାହଙ୍କ ନିର୍ଦେଶରେ ଏହା ଆସିଥିଲା। ବାଦଶାହଙ୍କୁ ପୁଅ ପ୍ରଶ୍ନ କରିଥିଲେ- ଏହି ଦୁଗ୍ଧ ଭିତରେ ଲହୁଣି କେଉଁଠାରେ ଅଛି? ଜାହାଁପନା ଉତ୍ତର ଦେଇଥିଲେ- ପାତ୍ରରେ ଥିବା ଦୁଗ୍ଧରେ ତ ଲହୁଣି ରହିଛି। ପୁଅ ପ୍ରଶ୍ନ କରିଥିଲେ- ବାଦଶାହଙ୍କୁ ଲହୁଣି ଦୃଶ୍ୟମାନ ହେଉଛି କି? ବାଦଶାହ ନାସ୍ତିସୂଚକ ଉତ୍ତର ଦେଇଥିଲେ।

ବୀରବଲଙ୍କ ପୁଅ ପ୍ରଶ୍ନ କରିଥିଲେ- ଲହୁଣି କିଭଳି ଭାବରେ ଦୃଶ୍ୟମାନ ହେବ?

ଏହାକୁ ମନ୍ଥନ କଲେ-ବାଦ୍‌ଶାହ କହିଥିଲେ। ଏହା ଶୁଣି ବୀରବଲଙ୍କ ପୁଅ କହିଥିଲେ, ଆପଣଙ୍କ ଦୁଇଟି ପ୍ରଶ୍ନର ଉତ୍ତର ପାଇଗଲେ। ଈଶ୍ବର ସର୍ବତ୍ର ବିଦ୍ୟମାନ; କିନ୍ତୁ ଦୃଶ୍ୟମାନ ହୁଅନ୍ତି ନାହିଁ। ଜ୍ଞାନରୂପକ ଦଣ୍ଡରେ ମନ୍ଥନ ମାଧ୍ୟମରେ ତାଙ୍କୁ ପାଇହେବ। ଦେଖି ହେବ ମଧ୍ୟ (ଅନୁଭବ କରିହେବ)।

ହେଲେ ଈଶ୍ବର କ’ଣ କରନ୍ତି- ବାଦ୍‌ଶାହ ପ୍ରଶ୍ନ କରିଥିଲେ। ବୀରବଲଙ୍କ ପୁଅ କହିଥିଲେ- ଆପଣ ଏହି ପ୍ରଶ୍ନ ରାଜ୍ୟର ସର୍ବମୟ କର୍ତ୍ତା ହିସାବରେ ପଚାରୁଛନ୍ତି ନା ମୋତେ ଗୁରୁ ବୋଲି ସ୍ବୀକାର କରି?

ବାଦଶାହ ଉତ୍ସୁକ ହୋଇ କହିଥିଲେ- ଗୁରୁ ବୋଲି ଭାବି। ବୀରବଲଙ୍କ ପୁଅ କହିଥିଲା- ‘ଭାରତୀୟ ସଂସ୍କୃତିରେ ଗୁରୁ ତଳେ ବସିବେ, ଶିଷ୍ୟ ଉଚ୍ଚାସନରେ ବସିବା ଶୋଭା ପାଏନାହିଁ। ଏହା ନିୟମ ବିରୁଦ୍ଧ। ବାଦଶାହ ଏହା ଶୁଣିବା ମାତ୍ରେ ସିଂହାସନରୁ ଉଠିଆସିଥିଲେ ଓ ବୀରବଲଙ୍କ ପୁଅକୁ ବସାଇ ଦେଲେ। ଏହି ସମୟରେ ବୀରବଲଙ୍କ ପୁଅ କହିଥିଲେ- ଈଶ୍ବର, ଏହି କର୍ମ ହିଁ କରିଥାନ୍ତି- ଉପର ବାଲାକୁ ତଳକୁ ଆଣିଥାନ୍ତି ଓ ତଳବାଲାକୁ ଉପରକୁ ଉଠାଇଥା’ନ୍ତି। ସମସ୍ତେ ଏହି ଉତ୍ତରରେ ଖୁସି ହୋଇଥିଲେ। ପୁଅର ଏଭଳି ପ୍ରତ୍ୟୁତ୍ପନ୍ନମତିତା ଦେଖି ବୀରବଲ ଉତ୍‌ଫୁଲ୍ଲିତ ହୋଇଯାଇଥିଲେ।

Comments are closed.