ହରଭଙ୍ଗାରେ ଅବକାରୀ ଚଢଉ

ଦେଶୀ ମହୁଲି ମଦ ସହ ୨ ଗିରଫ, ୨ କ୍ୱିଂଟାଲ ମହୁଲ ପୋଚ ନଷ୍ଟ।

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ପୃଥକ ପୃଥକ ତିନୋଟି ସ୍ଥାନରେ ରବିବାର ଅବକାରୀ ବିଭାଗ ଚଢଉ କରି ୧୨ଲିଟର ଦେଶୀ ହାତରନ୍ଧା ମହୁଲି ମଦ ସହ ଦୁଇ କ୍ୱିଂଟାଲ ମହୁଲ ପୋଚ ନଷ୍ଟ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଅବକାରୀ ବିଭାଗ ପକ୍ଷରୁ ପୁରୁଣାକଟକ ବଜାରରେ ପ୍ରଥମେ ଚଢଉ କରି ରାବଣ ସାହୁ (୪୫)ଙ୍କ ଠାରୁ ୭ଲିଟର ଦେଶୀ ହାତରନ୍ଧା ମହୁଲିମଦ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଚାରିଛକ ଝାଡ୍ରାଜିଂରେ ଚଢଉ କରି ଗୀତା ବେହେରା(୨୫)ଙ୍କ ଠାରୁ ୫ଲିଟର ଦେଶୀ ରନ୍ଧା ମହୁଲି ମଦ ଜବତ ସହ ତାଙ୍କୁ ଗିରଫ କରିଛି। ଶେଷରେ ଚାରିଛକ କହଁର ସାହି ନାଳ ନିକଟରୁ ବେଆଇନ ଦେଶୀ ମହୁଲି ମଦ ରନ୍ଧା ହେଉଥିବା ଖବର ପାଇ ସେଠାରେ ଅବକାରୀ ଟିମ ଚଢଉ କରିଥିଲା। ସେଠାରୁ ୨ଶହ କେ.ଜି ମହୁଲ ପୋଚ ନଷ୍ଟ କରିବା ସହିତ ମଦ ତିଆରି ସାମଗ୍ରୀ ଗୁଡିକ ଜବତ କରିଥିବା ସୂଚନା ମିଳିଛି। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ୬୩/୬୪/୨୧ରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ହରଭଙ୍ଗା ଅବକାରୀ ଇନିସପେକ୍ଟର ରମେଶ ମହାନ୍ତି ସୂଚନା ଦେଇଛନ୍ତି।

Comments are closed.