କଲକାତାରେ ଅଭିଷେକଙ୍କ ଏକମୋ ଚିକିତ୍ସା ଆରମ୍ଭ

ଭୁୁବନେଶ୍ୱର/କଲକାତା: କରୋନାରେ ଆକ୍ରାନ୍ତ ହୋଇ ସଙ୍କଟାପନ୍ନ ଅବସ୍ଥାରେ ଥିବା ଭଦ୍ରକ ବାସୁଦେବପୁର ଅଞ୍ଚଳର ଯୁବ ଇଞ୍ଜିନିୟର ଅଭିଷେକ ମହାପାତ୍ର ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ କଲକାତାରେ ପହଞ୍ଚିଛନ୍ତି। ନେତାଜୀ ବିମାନ ବନ୍ଦରଠୁ ‘ଗ୍ରୀନ୍‌ କରିଡ଼ର’ ଯୋଗେ ମେଡିକା ହାସପାତାଳକୁ ତାଙ୍କୁ ନିଆଯାଇଥିଲା। ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଅଣାଯାଇ ଶ୍ରୀ ମହାପାତ୍ରଙ୍କୁ ମେଡ଼ିକାର ବିଶେଷ ଆଇସିୟୁର ‘ଏକମୋ’ ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ଚିକିତ୍ସା ନିମନ୍ତେ ‘ମେଡ଼ିକା’ ଚେୟାରମ୍ୟାନ୍‌ ଆଲୋକ ରାୟଙ୍କ ନେତୃତ୍ବରେ ପାଞ୍ଚଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି।

ଏହି ଡାକ୍ତରୀ ଦଳର ନେତୃତ୍ବରେ ଥିବା ଡାକ୍ତର ଅର୍ପଣ ‘ସମାଜ’କୁ କହିଛନ୍ତି ଯେ ଶ୍ରୀ ମହାପାତ୍ରଙ୍କ ରକ୍ତଚାପ ସଠିକ ଥିଲେ ସୁଦ୍ଧା ଶ୍ବାସପ୍ରଶ୍ବାସ ‘ଏକମୋ’ ବ୍ୟବସ୍ଥା ମଧ୍ୟରେ ଚାଲିଛି। ଆଶା କରାଯାଏ ୧୧ଦିନ ସେ ଏହି ବ୍ୟବସ୍ଥାରେ ରହିବେ। ତାଙ୍କ ଚିକିତ୍ସା ଦାୟିତ୍ବରେ ବରିଷ୍ଠ ଯକୃତ ବିଶେଷଜ୍ଞ ଏବଂ ‘ଗ୍ୟାଷ୍ଟ୍ରୋଏ​‌େ​‌ଣ୍ଟ୍ରାଲୋଜି’ ଡାକ୍ତର ପିକେ ସେଠୀ, ଡାକ୍ତର ଅଭିରାଳ ରାୟ, ଡାକ୍ତର ତନ୍ମୟ ବାନାର୍ଜୀ, ଡାକ୍ତର ଦ୍ବୀପାଞ୍ଜନ ପ୍ରମୁଖ ଅଛନ୍ତି। ଡାକ୍ତର ଅର୍ପଣ କହିଛନ୍ତି ଯେଉଁ ବ୍ୟବସ୍ଥାରେ ସେ ଚିକିତ୍ସାଧୀନ ରହିଛନ୍ତି, ଆଶା କରାଯାଏ ଖୁବ୍‌ ଶୀଘ୍ର ସ୍ବାଭାବିକ ହେବେ। ଆଜି ଅପରାହ୍ନରେ କଳିଙ୍ଗ ହସ୍ପିଟାଲରୁ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରକୁ ଗ୍ରୀନ୍‍ କରିଡର ମଧ୍ୟରେ ଆମ୍ବୁଲାନ୍ସରେ ନିଆଯାଇଥିଲା।

ଓଡ଼ିଶାରେ କୌଣସି ସରକାରୀ ମେଡିକାଲରେ ଏକମୋ ମେସିନ ନାହିଁ। ଯାହାଫଳରେ ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାର ଆମ୍ବୁଲାନ୍ସରେ ଯିବାକୁ କରିବାକୁ ପଡ଼ୁଛି। ସପ୍ତାହ ମଧ୍ୟରେ ୩ ଜଣଙ୍କୁ ଏୟାରଲିଫ୍ଟିଂ କରାଗଲାଣି। ପ୍ରଥମେ ଗଞ୍ଜାମର ଅମ୍ରିତ ପ୍ରଧାନଙ୍କୁ ଚେନ୍ନାଇକୁ ପଠାଯାଇଥିବାବେଳେ ମଙ୍ଗଳବାର ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ ଓ ଆଜି ଭଦ୍ରକର ଅଭିଷେକ ମହାପାତ୍ରଙ୍କୁ କୋଲକତାକୁ ପଠାଯାଇଛି। ତେବେ ଆଗାମୀ ଦିନରେ କ୍ୟାପିଟାଲ ହସ୍ପିଟାଲରେ ଏହି ଜୀବନ ରକ୍ଷାକାରୀ ‘ଏକମୋ’ ମେସିନ ଲଗାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ସିଏସ୍‌ଆର ପାଣ୍ଠି ଜରିଆରେ ଏହି ମେସିନ ପ୍ରତିଷ୍ଠା କରାଯିବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Comments are closed.