ବିଶ୍ବର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟରଙ୍କୁ ଆନନ୍ଦଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ୧୨ ବର୍ଷ ୪ ମାସ ଓ ୨୫ ଦିନ ବୟସରେ ବିଶ୍ବର ସର୍ବକନିଷ୍ଠ ଚେସ୍ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି ଆମେରିକାର ଭାରତୀୟ ବଂଶୋଦ୍ଭବ ଅଭିମନ୍ୟୁ ମିଶ୍ର। ବୁଦାପେଷ୍ଟରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ୩ୟ ଗ୍ରାଣ୍ଡମାଷ୍ଟର ନର୍ମ ହାସଲକରି ଏବଂ ୨୫୦୦ ଏଲୋ ପଏଣ୍ଟ ଅତିକ୍ରମ କରି ଏତେ କମ୍ ବୟସରେ ଅଭିମନ୍ୟୁ ଗ୍ରାଣ୍ଡମାଷ୍ଟର ହୋଇ ପାରିଛନ୍ତି। ଆମେରିକାର ନ୍ୟୁ ଜର୍ସି ବାସିନ୍ଦା ସ୍ବାତୀ ଓ ହେମନ୍ତ ମିଶ୍ରଙ୍କ ସୁପୁତ୍ର ଅଭିମନ୍ୟୁ ୧୯ ବର୍ଷର ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ୨୦୦୨​‌ରେ ରୁଷିଆର ସର୍ଗେଇ କାର୍ୟାକିନ୍‌ଙ୍କଠାରୁ ୨ ମାସ ଓ ୫ ଦିନ ପୂର୍ବରୁ ଅଭିମନ୍ୟୁ ସର୍ବକନିଷ୍ଠ ଚେସ୍ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି।

ଚେସ୍ ଇତିହାସରେ ଅଦ୍ୟାବଧି ମାତ୍ର ୫ ଜଣ ଖେଳାଳି ୧୩ ବର୍ଷରେ ପହଞ୍ଚିବା ପୂର୍ବରୁ ଗ୍ରାଣ୍ଡମାଷ୍ଟର ହୋଇ ପାରିଛନ୍ତି। ଅଭିମନ୍ୟୁଙ୍କ ଏପରି ବିଶ୍ବ କୀର୍ତ୍ତିମାନ ପାଇଁ ତାଙ୍କୁ ଏକାଧିକ ବିଶ୍ବ ଚମ୍ପିଆନ୍ ଭାରତୀୟ ଗ୍ରାଣ୍ଡମାଷ୍ଟର ବିଶ୍ବନାଥନ୍ ଆନନ୍ଦ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ ଚେସ୍ ପାଇଁ ଏହା ବହୁତ ବଡ଼ ଖବର ବୋଲି ଆନନ୍ଦ କହିଛନ୍ତି। ଜୁଲାଇ ୧୦ରୁ ରୁଷିଆର ସୋଚିଠାରେ ଅଭିମନ୍ୟୁ ଫିଡେ ବିଶ୍ବକପ୍‌ ଚେସ୍ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛନ୍ତି।

Comments are closed.