ଆଉ ୧୪ ଦିନ ବଢ଼ିଲା ଅଭିଜିତଙ୍କ ବିଚାର ବିଭାଗୀୟ ହେପାଜତ

0

ଭୁବନେଶ୍ୱର : ଅଭିଜିତ ଆୟାର ମିତ୍ରଙ୍କ ବିଚାର ବିଭାଗୀୟ ହେପାଜତ ଅବଧିକୁ ସ୍ଥାନୀୟ ଏସ୍‍ଡିଜେଏମ୍‍ ଆଉ ୧୪ ଦିନ ବୃଦ୍ଧି କରିଛନ୍ତି। ସୋମବାର ଅଭିଜିତଙ୍କୁ ଝାରପଡ଼ା ଜେଲ୍‍ସ୍ଥିତ କ୍ୟାମ୍ପକୋର୍ଟରେ ହାଜର କରାଯାଇଥିଲା। ଭୁବନେଶ୍ୱର ଏସ୍‍ଡିଜେଏମ୍‍ଙ୍କ ନିକଟରେ ହାଜର କରାଯିବା ପରେ ତାଙ୍କର ବିଚାର ବିଭାଗୀୟ ହାଜତ ସମୟ ଆଉ ୧୪ ଦିନ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ବିଧାନସଭା ଗୃହ କମିଟି ନିକଟରେ ସେ ଅକ୍ଟୋବର ୨୩ ତାରିଖରେ ହାଜର ହୋଇଥିଲେ। ତେବେ ତାଙ୍କୁ କମିସନରେଟ୍‍ ପୁଲିସ ସହିଦନଗର ଥାନାର ଏକ ମାମଲାରେ ୨୩ ତାରିଖରେ ଗିରଫ କରି କୋର୍ଟରେ ହାଜର କରିବା ପରେ ଏସ୍‍ଡିଜେଏମ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଥିଲେ।
ଓଡ଼ିଶା, କୋଣାର୍କ ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଭିଜିତ ତାଙ୍କ ଟୁଇଟର୍‍ ଏବଂ ଫେସ୍‍ବୁକ୍‍ ଆକାଉଣ୍ଟରେ ଏକାଧିକ ପୋଷ୍ଟ କରିଥିବାରୁ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ କୋଣାର୍କ ଥାନା ପୁଲିସ ମଧ୍ୟ ଆଉ ଏକ ମାମଲା ରୁଜୁ କରିଥିଲା। କୋଣାର୍କ ଥାନା ପୁଲିସ ଅଭିଜିତଙ୍କୁ ୨ ଦିନ ପାଇଁ ହେପାଜତରେ ନେଇ ପଚରାଉଚରା କରିଥିଲା। ଗତ ୨୭ ତାରିଖଠାରୁ ଏପର୍ୟ୍ୟନ୍ତ ସେ ଝାରପଡ଼ା ସ୍ୱତନ୍ତ୍ର ଜେଲ୍‍ରେ ଅଛନ୍ତି। ତାଙ୍କ ପକ୍ଷରୁ ଆବେଦନ ହୋଇଥିବା ଜାମିନ ଆବେଦନ ଏସ୍‍ଡିଜେଏମ୍‍ଙ୍କ କୋର୍ଟରେ ଖାରଜ ହୋଇଯାଇଥିଲା। ତାଙ୍କ ଆଇନଜୀବୀ ଆଇନଜୀବୀ ନିଖିଲ୍‍ ମେହେରା ଦୌରାଜଜ୍‍ଙ୍କ କୋର୍ଟରେ ପୁଣି ଜାମିନ ଆବେଦନ କରିଛନ୍ତି। ଏହି ଆବେଦନ ଉପରେ ଶୁଣାଣି ହୋଇନାହିଁ। ଅନ୍ୟପକ୍ଷରେ ସାରା ରାଜ୍ୟରେ ଆଇନଜୀବୀଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବାରୁ ଅଭିଜିତଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି।

Leave A Reply