ପୁଣି ଥରେ କ୍ଷମା ମାଗିଲେ ଅଭିଜିତ

0

ଭୁବନେଶ୍ୱର: ଓଡ଼ିଶାର କଳା, ସଂସ୍କୃତି ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ବରିଷ୍ଠ ସାମ୍ବାଦିକ ଅଭିଜିତ ଆୟାର ମିତ୍ର ପୁଣି ଥରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ପୂର୍ବରୁ ସେ ଗୃହ କମିଟି ନିକଟକୁ କ୍ଷମା ପ୍ରାର୍ଥନା କରି ଇମେଲ୍‍ ପଠାଇଥିଲେ।
ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଅବସରରେ ଅଭିଜିତ କହିଛନ୍ତି ଯେ ମୁଁ ଟ୍ୱିଟରକୁ ଥଟ୍ଟା ପାଇଁ ବ୍ୟବହାର କରିଥାଏ। କିନ୍ତୁ ଏହା ଠିକ ନୁହେଁ ବୋଲି ଏବେ ବୁଝୁଛି। ମୋର ଓଡ଼ିଶା ପ୍ରତି ଉଚ୍ଚ ସମ୍ମାନବୋଧ ରହିଛି। ଭାରତୀୟ ସଂସ୍କୃତିକୁ ଓଡ଼ିଶାର ଅବଦାନ ଅନେକ। ଓଡ଼ିଶା ବିଷୟରେ ଅଧିକ ଜାଣିବାକୁ ଯାଇଥିଲି। ଭିଡିଓରେ ଦେଇଥିବା ମନ୍ତବ୍ୟରେ କିଛି ମନ୍ଦ ଉଦ୍ଦେଶ୍ୟ ନଥିଲା। ଯଦି ମୋ ମନ୍ତବ୍ୟ କାହାକୁ ଆଘାତ ପହଞ୍ଚାଇଛି ସେଥିପାଇଁ ମୁଁ ଦୁଃଖିତ। କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କରେ ମତ ଦେଇ ଅଭିଜିତ କହିଛନ୍ତି ଯେ ବୈଜୟନ୍ତଙ୍କ ସହିତ ବୁଲିବାକୁ ମୁଁ ଯାଇ ନଥିଲି। ବୈଜୟନ୍ତଙ୍କ ସହିତ ମୋର ବନ୍ଧୁତା ନାହିଁ। ଥରେ ଦି ଥର ତାଙ୍କ ସହିତ ସାକ୍ଷାତ ହୋଇଛି।
ସୂଚନାଯୋଗ୍ୟ, ବୈଜୟନ୍ତ ଓ ଆରତି ଟିକୁ ସିଂହଙ୍କ ସହିତ ଓଡ଼ିଶା ଭ୍ରମଣ ଅବସରରେ ଅଭିଜିତ ଅନେକ ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇଥିଲେ। ‘କୋଣାର୍କର କଳା ଭାସ୍କର୍ଯ୍ୟକ ଅରୁଚିକର ଓ ମୁସଲମାନଙ୍କ ଷଡ଼ଯନ୍ତ୍ର। ପୁରୀ ଏକ ଧାର୍ମିକ ସ୍ଥଳ ନୁହେଁ। ଶ୍ରୀ ଜଗନ୍ନାଥ ପଶ୍ଚିମବଙ୍ଗର। ଓଡ଼ିଶାର ରାଜା ପଶ୍ଚିମବଙ୍ଗରୁ ଚୋରାଇ ଆଣିଥିଲେ। ଓଡ଼ିଶା ବି ସ୍ୱତନ୍ତ୍ର ରାଜ୍ୟ ନୁହେଁ। ଓଡ଼ିଶାର ବିଧାୟକମାନେ ବୋକା। ବ୍ୟଙ୍ଗ କଣ ଜାଣନ୍ତି ନାହିଁ।’ ଏ ସମ୍ପର୍କିତ ଭିଡିଓ ଓ ଟ୍ୱିଟର ଭାଇରାଲ ହେବା ପରେ ଓଡ଼ିଶାରେ ପ୍ରତିବାଦର ସ୍ୱର ତୀବ୍ର ହୋଇଥିଲା। ଏହା ପରେ ତାଙ୍କ ବିରୋଧରେ କୋଣାର୍କ ଓ ଭୁବନେଶ୍ୱର ସହିଦନଗର ଥାନାରେ ମାମଲା ଦାଏର ହୋଇଥିବା ବେଳେ ଓଡ଼ିଶା ବିଧାନସଭାରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆସିଥିଲା। ଏହାପରେ ତାଙ୍କ ମନ୍ତବ୍ୟର ତଦନ୍ତ କରିବା ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠିତ ହୋଇଛି। ଗତ୧୧ ତାରିଖରେ ହାଜର ହେବା ପାଇଁ କମିଟି ପକ୍ଷରୁ ନୋଟିସ ପଠାଯାଇଥିଲେ ମଧ୍ୟ ଅଭିଜିତ ହାଜର ନ ହୋଇ ଇମେଲ୍‍ରେ କ୍ଷମାପ୍ରାର୍ଥନା ପଠାଇଥିଲେ। କିନ୍ତୁ ଗୃହ କମିଟି ପୁଣି ଥରେ ତାଙ୍କୁ ହାଜର ହେବା ପାଇଁ ନୋଟିସ ପଠାଇବା ପରେ ସେ ଆସନ୍ତା ୨୩ ତାରିଖରେ ହାଜର ହେବା ପାଇଁ କହିଛନ୍ତି।

Leave A Reply