ଅଭୟ ପାଢ଼ୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ. ମିଶ୍ରଙ୍କ ଶୋକ

ସମ୍ବଲପୁର : ପ୍ରସାର ଭାରତୀର ପୂର୍ବତନ ବରିଷ୍ଠ ଅଧିକାରୀ ଓ ସୁସାହିତ୍ୟିକ ଶ୍ରୀ ଅଭୟ ପାଢ଼ୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ. ମିଶ୍ର ଶୋକ ପ୍ରକାଶ କରିଛନ୍ତି। ଡ. ମିଶ୍ର କହିଛନ୍ତି ଯେ, ବିଶ୍ୱାସ କରି ହେଉ ନାହିଁ ଯେ ଅଭୟ ପାଢ଼ୀ ଆଉ ନାହାନ୍ତି। ମାତ୍ର ତିନି ଚାରି ସପ୍ତାହ ଆଗରୁ ସେ ମୋ ସହିତ କଥା ହୋଇଥିଲେ। କଲେଜ ପଢ଼ା ସମୟରୁ ମୋର ତାଙ୍କ ସହିତ ବନ୍ଧୁତ। କଳା, ସଂସ୍କୃତି ଓ ସାହିତ୍ୟରେ ତାଙ୍କର ଗଭୀର ରୁଚି ଥିଲା। ସେ ଅତ୍ୟନ୍ତ ସ୍ପଷ୍ଟ ଓ ଅମାୟିକ ସ୍ୱଭାବର ଥିଲେ। କଲେଜ ପଢ଼ା ବେଳର କୌଣସି ଆଲୋଚନା ବା ତର୍କ ପ୍ରସଙ୍ଗ ହେଉ ବା ଆକାଶବାଣୀ (ପରେ ପ୍ରସାର ଭାରତୀ) ରେ ବୃତ୍ତି ଗତ ଜୀବନଚର୍ଯ୍ୟା ଏବଂ ସାହିତ୍ୟ ଓ ସାମାଜିକ ଚିନ୍ତନ ସବୁଥିରେ ସେ ସାରଗର୍ଭକ କଥାମାନ କହୁଥିଲେ। ତାଙ୍କର ଆକସ୍ମିକ ବିୟୋଗ ଯୋଗୁଁ ବିଶେଷକରି ଓଡିଶାର ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କର ପରିବାର ଓ ବନ୍ଧୁ ମାନଙ୍କ ପାଇଁ ଏହା ଏକ ବିରାଟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ। ସମସ୍ତଙ୍କୁ ମୋର ଗଭୀର ସମବେଦନା ବୋଲି ଡ. ମିଶ୍ର ତାଙ୍କର ଶୋକବାର୍ତ୍ତାରେ କହିଛନ୍ତି।

Comments are closed.