ବୌଦ୍ଧ ଜିଲାରେ ଗ୍ରାମୀଣ ଆବାସ ଯୋଜନା ଦୁର୍ନୀତି

ଗୃହ ନିର୍ମାଣ ନହୋଇ ହିତାଧିକାରୀଙ୍କ ନାମରେ ଟଙ୍କା ହଡପ ମାମଲାର ଭିଜିଲାନସ ତଦନ୍ତ ଦାବିକଲେ ସରପଞ୍ଚ

ବୌଦ୍ଧ: ବୌଦ୍ଧଜିଲାରେ ପ୍ରାଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଗୃହ ନିର୍ମାଣ ନହୋଇ ହିତାଧିକାରୀଙ୍କ ଏକାଉଣ୍ଟରୁ ଟଙ୍କା ହଡପ ମାମଲାର ଭିଜିଲାନସ ତଦନ୍ତ କରାଯିବାକୁ ବୌଦ୍ଧବ୍ଲକ ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ ଦାବି କରିଛନ୍ତି। ସରପଞ୍ଚ ସ୍ୱାଇଁ ବୌଦ୍ଧବ୍ଲକ ବିଡିଓଙ୍କୁ ତାଙ୍କରି ପଞ୍ଚାୟତରେ ଗ୍ରାମୀଣ ଅବାସ ଯୋଜନାରେ ହୋଇଥିବା ଘୋଟାଲା ସଂପର୍କରେ ଅବଗତ କରାଇବା ସହିତ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ସରପଞ୍ଚ ସ୍ୱାଇଁଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ମୁଣ୍ଡାପଡା ପଞ୍ଚାୟତର ୫ ଜଣ ଗରିବ ହିତାଧିକାରୀଙ୍କୁ ୨୦୧୯- ୨୦ରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଅବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ସହିତ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ନିୟମ ଅନୁଯାୟୀ ହିତାଧିକାରୀ ନିଜେ ଶ୍ରମ ଦାନ କରିବା ସହିତ ଫାଉଣ୍ଡେସନ ପର୍ଯ୍ୟନ୍ତ କାମ ସରିବା ପରେ ଦ୍ୱିତିୟ କିସ୍ତି ୩୦ ହଜାର ଓ ଛାତ ଲେବୁଲ କାମ ସରିଲେ ୪୦ ହଜାର ଏବଂ କାମ ସରିବା ପରେ ଅବଶିଷ୍ଟ ୩୦ ହଜାର ଟଙ୍କା ସହିତ ଶ୍ରମ ବାବଦକୁ ୧୮ ହଜାର ଟଙ୍କା ମଧ୍ୟ କିସ୍ତିରେ ମିଳିଥାଏ। ସେହିପରି ଧାର୍ଯ୍ୟ ସମୟ ମଧ୍ୟରେ ହିତାଧିକାରୀ କାର୍ଯ୍ୟ ସାମାପ୍ତ କଲେ ବୋନସ ବାବଦକୁ ଅଧିକ ୨୦ ହଜାର ଟଙ୍କା ମିଳିଥାଏ। ଗୃହ ନିର୍ମାଣ ପରେ ପ୍ରତ୍ୟେକ ପର୍ଯ୍ୟାୟରେ କାର୍ଯ୍ୟ ତଦାରଖ ସହିତ ଜିଓ ଟାଗିଂ ଜରିଆରେ ଫୋଟ ଅପଲୋଡ କରିବା ପରେ ହିତାଧିକାରୀଙ୍କ ଏକାଉଣ୍ଟକୁ ଟଙ୍କା ପଠାଯାଇଥାଏ। କିନ୍ତୁ ବୌଦ୍ଧଜିଲାରେ ପ୍ରାୟ ସମସ୍ତ ପଞ୍ଚାୟତରେ ଅନେକ ହିତାଧିକାରୀ କାର୍ଯ୍ୟାଦେଶ ପରେ ଗୃହ କାର୍ଯ୍ୟ ଆରମ୍ଭ କରି ନ ଥିବା ବେଳେ ବ୍ଲକ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କିଛି କର୍ମଚାରୀଙ୍କ ସଲାସୁତୁରାରେ ସେମାନଙ୍କ ଏକାଉଣ୍ଟରେ ଟଙ୍କା ପକାଇ ହଡପ କରାଯାଇଥିବା ଜଣାପଡିଛି। ଏହି ଘୋଟାଲାରେ ହିତାଧିକାରୀମାନେ ମଧ୍ୟ ସମାନ ଭାବରେ ସଂପୃକ୍ତ ଥିବା ଜଣାପଡିଛି।

ସେମାନଙ୍କ ମଧ୍ୟରୁ କିରାସିରା ଗ୍ରାମର ବିଧବା ମହିଳା ନେତ ନନ୍ଦୀ କାର୍ଯ୍ୟାଦେଶ ପାଇ ଗୃହ କାର୍ଯ୍ୟ ଆରମ୍ଭ କରିନଥିବାବେଳେ ତାଙ୍କରି ଏକାଉଣ୍ଟରେ ଦୁଇଟି କିସ୍ତିରେ ୭୦ ହଜାର ଟଙ୍କା ପକାଯାଇଛି। ସେହି ଟଙ୍କାରୁ ନେତଙ୍କ ପୁଅ ସପ୍ତେଶ୍ୱର ନନ୍ଦୀଙ୍କୁ ୪୦ ହଜାର ଟଙ୍କା ପ୍ରଦାନ କରି ସରକାରୀ ପାଶୱାର୍ଡ ବ୍ୟବହାର କରି ଟଙ୍କା ଉଠାଇବାରେ ସହଯୋଗ କରିଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କର୍ମଚାରୀ ପ୍ରକାଶ ପାଣ୍ଡେ ଓ ମଧ୍ୟସ୍ଥି ମୁଣ୍ଡାପଡା ଗ୍ରାମର ବସନ୍ତ ବାଘ ୩୦ ହଜାର ଟଙ୍କା ନେଇଥିବା ଜଣାପଡିଛି। ସମାନ ଭାବରେ ବଡମାଳ ଗ୍ରାମର ହିତାଧିକାରୀ କାର୍ତ୍ତିକ ନାଏକ କାର୍ଯ୍ୟାଦେଶ ସହ ପ୍ରଥମ କିସ୍ତି ଟଙ୍କା ପାଇବାପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କର ଏକମାତ୍ର ଝିଅ ଅନ୍ୟ ଗ୍ରାମରେ ବିବାହ କରି ଚାଲିଯିବା ପରେ ତାଙ୍କ ସହିତ ଯୋଗଯୋଗ କରି ମୃତ କାର୍ତ୍ତିକଙ୍କ ଏକାଉଣ୍ଟ୍‍କୁ ସଚଳ ରଖି ଗୃହ ନିର୍ମାଣ ହୋଇନଥିଲେ ମଧ୍ୟ ଏଟିଏମ ସାହାଯ୍ୟରେ ଏକାଉଣ୍ଟ୍‍ରୁ ଦୁଇଟି କିସ୍ତିର ୭୦ ହଜାର ଟଙ୍କା ଉଠାଇ ନିଆଯାଇଛି। ସମାନ ଭାବରେ କିରାସିରା ଗ୍ରାମର ହିତାଧିକାରୀ ସୁଶାନ୍ତ ବେହେରା ଯିଏକି ବୌଦ୍ଧ ସହରର ବୁଟୁପାଲି ଅଞ୍ଚଳରେ ରହୁଛନ୍ତି ଗ୍ରାମରେ ମାତ୍ର ଫାଉଣ୍ଡେସନ ପର୍ଯ୍ୟନ୍ତ ଗୃହ ନିର୍ମାଣ କରି ଦୁଇଟି କିସ୍ତିର ଟଙ୍କା ଉଠାଇ ନେବାସହ ସହଯୋଗ କରିଥିବା ବସନ୍ତ ବାଘ ଓ ପ୍ରକାଶ ପାଣ୍ଡେଙ୍କୁ ସେଥିରୁ୨୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ମୁଣ୍ଡାପଡା ଗ୍ରାମର ଲାଲମନି ନାଏକ ବଘିଆପଡା ଗ୍ରାମରେ ରହୁଥିବାବେଳେ ଫାଉଣ୍ଡେସନ ପର୍ଯ୍ୟନ୍ତ କାର୍ଯ୍ୟ କରି ୭୦ ହଜାର ଟଙ୍କା ପାଇବା ସହ ଉପରୋକ୍ତ କର୍ମଚାରୀ ଓ ମଧ୍ୟସ୍ଥିଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡିଛି। କନ୍ଧଧୃମାଲ ଗ୍ରାମର ରାଜେନ୍ଦ୍ର ନାଏକ କାର୍ଯ୍ୟାଦେଶ ପାଇବାପରେ ଶଗଡା ଗ୍ରାମରେ ରହୁଥିବାବେଳେ ଗୃହ ନିର୍ମାଣ ନକରି ତାଙ୍କରି ଏକାଉଣ୍ଟରେ ୯୦ ହଜାର ଟଙ୍କା ପକାଯାଇଛି ଏବଂ ତାଙ୍କ ଠାରୁ ସଂପୃକ୍ତ ବ୍ୟକ୍ତିମାନେ ୩୦ ହଜାର ଟଙ୍କା ନେଇଥିବା ଜଣାପଡିଛି। ଏହି ଦୁର୍ନୀତିରେ ଅନ୍ୟ ଲୋକଙ୍କ ଘର ଆଗରେ ହିତାଧିକାରୀମାନଙ୍କ ଫଟୋ ଉଠାଇ ଅପଲୋଡ କରାଯିବା ପରେ ଏକାଉଣ୍ଟକୁ ଟଙ୍କା ଯାଇଥିବା ଜଣାପଡିଥିବାବେଳେ ସରକାରୀ ପାଶୱାର୍ଡର ଅପବ୍ୟବହାର ମଧ୍ୟ କରାଯାଇଛି। ତେଣୁ ଦୁର୍ନୀତିରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କର୍ମଚାରୀଙ୍କଠାରୁ ଆରମ୍ଭ କରି ହିତାଧିକାରୀଙ୍କ ପର୍ଯ୍ୟନ୍ତ ସାମିଲ ଥିବାରୁ ଜିଲାରେ ଏହିଭଳି ହିତାଧିକାରୀଙ୍କ ସହ ସଲାସୁତୁରାରେ ସରକାରଙ୍କ କୋଟି କୋଟି ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହେଉଅଛି। ତେଣୁ ଏହି ସମ୍ବେଦନଶୀଳ ମାମଲାର ଭିଜିଲାନସ ତଦନ୍ତ କରାଯିବା ସହିତ ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଏକାଉଣ୍ଟ୍‍ ଯାଞ୍ଚ କରାଗଲେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତ୍ତ ପ୍ରକାଶ ପାଉଛି।

Comments are closed.