ଆଶା କର୍ମୀଙ୍କ ୧୦ ଲକ୍ଷ ଟଙ୍କା ହଡପ ଅଭିଯୋଗ

ବରଗଡ଼ : ବରଗଡ଼ ଜିଲା ଅନ୍ତର୍ଗତ ଝାରବନ୍ଧ ବ୍ଲକର ଡଭାଭ ସି ଏଚ ସି ଅଧିନରେ କାର୍ୟ୍ୟରତ ୭୨ ଜଣ ଆଶାକର୍ମୀଙ୍କ ୫ ମାସର ପ୍ରୋତ୍ସାହନ ରାଶି (ଇନଟେନସିଭ ଟଙ୍କା) ପାଖାପାଖି ୧୦ ଲକ୍ଷ ଟଙ୍କା ହଡପ ହୋଇଯାଇଥିବା ଅଭିଯୋଗ ହୋଇଛି। ୨୦୧୯ ବର୍ଷ ଏପ୍ରିଲ ମାସରୁ ଅଗଷ୍ଟ ମାସ ପର୍ୟ୍ୟନ୍ତ ଆଶା କର୍ମୀ ମାନଙ୍କ ଡଭା ସିଏଚସିକୁ ଇନଟେନସିଭ ବାବଦକୁ ଆସିଥିବା ପ୍ରାୟ ୧୦ ଲକ୍ଷ ଟଙ୍କା କର୍ମୀମାନଙ୍କ ହିସାବ ଖାତା (ଏକାଉଣ୍ଟରେ) ଜମା ନ କରି ଡଭା ସିଏଚସିର ଜନୈକ ଏକାଉଣ୍ଟେନ ଶ୍ରୀ ଅଭୟ ସିଦ୍ଧାର ହଡପ କରି ଦେଇଥିବାର ଗୁରୁତ୍ୱର ଅଭିଯୋଗ ଆସିଛି।

କାର୍ୟ୍ୟରତ ୭୨ ଜଣ ଆଶା କର୍ମୀ ଏ ସଂପର୍କରେ ଡଭା ସିଏଚସି ର ଅଧିକାରୀ ଓ ବରଗଡ଼ ସିଡିଏମଓଙ୍କୁ ବାରମ୍ବାର ଜଣାଉ ଥିଲେ ମଧ୍ୟ ଏ ଦିଗରେ ଅଧିକାରୀମାନେ କୌଣସି ପଦକ୍ଷେପ ନ ନେଇ ନିରବ ରହୁଛନ୍ତି , କେବଳ ଟଙ୍କା ପାଇବ ବୋଲି ପ୍ରତିଶୃତି ଦେଉଛନ୍ତି । ଇତି ମଧ୍ୟରେ ହିସାବ ରକ୍ଷକ (ଏକାଉଣ୍ଟେନ) ଶ୍ରୀ ସିଦ୍ଧାର ବଦଳି ହୋଇ ତାଳପାଲି ସିଏଚସିରେ କାର୍ୟ୍ୟରତ ରହିଛନ୍ତି । ଡବା ସିଏଚସି ଇନଚାର୍ଜ ଡା ମଧୁମିତା ମେହେରଙ୍କୁ ପଚାରିବାରୁ ଆଶା କର୍ମୀଙ୍କ ଟଙ୍କା ହଡପ ହୋଇଥିବା ସ୍ୱୀକାର କରିବା ସହ ବରଗଡ଼ ସିଡିଏମଙ୍କୁ ଜଣାଇଥିବା କହିଛନ୍ତି । ଟୁହୁଙ୍ଗିଦାଦର ଗ୍ରାମର ଆଶା କର୍ମୀ ସୁଷମା ବାରିକ ନୁଆଁଖାଇ ପୂର୍ବରୁ ଆଶାକର୍ମୀଙ୍କୁ ଟଙ୍କା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଅନୁରୋଧ କରିଛନ୍ତି । ଆଶାକର୍ମୀମାନଙ୍କ ଦରମା ନଥିବା ବେଳେ କେବଳ ଏହି ପ୍ରୋତ୍ସାହନ ରାଶି ଉପରେ ନିର୍ଭର କରି ଚଳିଥାନ୍ତି ବୋଲି ସୂଚନା ମିଳିଛି ।

Comments are closed.