୫୮ ଆସନରେ ଆପ୍‌, ବିଜେପି ୧୨ରେ ଆଗୁଆ; ପଛରେ ପଡ଼ିଛନ୍ତି ହେଭିୱେଟ୍‌

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଥିବାବେଳେ ଆମ୍‌ ଆଦମୀ ପାର୍ଟି(ଆପ୍‌) ବହୁ ଆସନରେ ଆଗୁଆ ରହିଛି। ବିଜେପି ବହୁ ପଛରେ ପଡ଼ିଯାଇଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ହୋଇଥିବା ଗଣତିରେ ମୋଟ ୭୦ ଆସନରୁ ଆପ୍‌ ୫୮ ଏବଂ ବିଜେପି ୧୨ଟି ଆସନରେ ଆଗୁଆ ଅଛି। ଅନ୍ୟତମ ପ୍ରମୁଖ ଦଳ କଂଗ୍ରେସର ଚିହ୍ନବର୍ଣ୍ଣ ଦେଖିବାକୁ ମିଳିନାହିଁ। ତେବେ ଦଳବଦଳ କରିଥିବା କିଛି ନେତାଙ୍କ ସହିତ ଅନ୍ୟ କେତେଜଣ ହେଭିୱେଟ୍‌ ନେତା ପଛୁଆ ରହିଥିବା ଦେଖିବାକୁ ମିଳିଛି। ମଡେଲ ଟାଉନ ଆସନରୁ ବିଜେପିର କପିଲ ମିଶ୍ରା ପଛୁଆ ରହିଛନ୍ତି। ସେ ଆପ୍‌ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ସେହିପରି ପତପରଗଞ୍ଜ ଆସନରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ପଛୁଆ ରହିଛନ୍ତି। ସେହିପରି ସକୁର ବସ୍ତି ଆସନରେ ଆପ୍‌ର ସତ୍ୟେନ୍ଦ୍ର ଜୈନ ଏବଂ କଲକାଜି ଆସନରୁ ଆପ୍‌ର ଅତିଶି ପଛୁଆ ଅଛନ୍ତି। ଶାହିନବାଗ ଅଞ୍ଚଳ ଆସୁଥିବା ଓଖଲା ଆସନରୁ ଆପ୍‌ ପ୍ରାର୍ଥୀ ଅମାନତୁଲ୍ଲା ପଛରେ ପଡ଼ିଯାଇଛନ୍ତି। ନିକଟରେ ଆପ୍‌ ଛାଡ଼ି କଂଗ୍ରେସରେ ଯୋଗଦେଇଥିବା ହେଭିୱେଟ୍‌ ନେତା ଅଳକା ଲାମ୍ବା ମଧ୍ୟ ଚାନ୍ଦନୀଚୌକ ଆସନରେ ପଛୁଆ ଅଛନ୍ତି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ଆସନ ଏବଂ ମାଲବ୍ୟ ନଗର ଆସନରେ ଆପ୍‌ର ସୋମନାଥ ଭାରତୀ ଆଗରେ ରହିଛନ୍ତି। ରୋହିନି ଆସନରେ ବିଜେପିର ବିଜେନ୍ଦର କୁମାର ଆଗୁଆ ଅଛନ୍ତି।

Comments are closed.