ଗୌତମ ଗମ୍ଭୀରଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଅଭିଯୋଗ ଆଣିଲେ ଆପ ପ୍ରାର୍ଥୀ ଅତିଶୀ

ନୂଆଦିଲ୍ଲୀ : ପୂର୍ବ ଦିଲ୍ଳୀ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ଆମ ଆଦମୀ ପାର୍ଟି (ଆପ) ପ୍ରାର୍ଥିନୀ ଅତିଶୀ ଗୁରୁବାର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ କ୍ରିକେଟର ଗୌତମ ଗମ୍ଭୀରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଆପ ପକ୍ଷରୁ ଗୁରୁବାର ଡକାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଅତିଶୀ କାନ୍ଦି ପକାଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ ଗୌତମ ଗମ୍ଭୀର ତାଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଉଛନ୍ତି ଓ ଏନେଇ ପ୍ରଚାରପତ୍ର ବାଣ୍ଟୁଛନ୍ତି। ଏହାସହ ସେ ପ୍ରଶ୍ନ କରିଛନ୍ତି ଯେ ମୋ ଭଳି ଜଣେ ସଶକ୍ତ ମହିଳାଙ୍କୁ ହରାଇବା ପାଇଁ ଗୌତମ ଗମ୍ଭୀର ଯଦି ଏତେ ନିମ୍ନସ୍ତରକୁ ଖସିପାରୁଛନ୍ତି ତେବେ ସାଂସଦ ହେବା ପରେ ସେ ନିଜ ଅଞ୍ଚଳର ମହିଳାଙ୍କୁ କିପରି ସୁରକ୍ଷା ଦେବେ। ସେହିପରି ଆପର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ୱିଟ୍‍ କରି ଗମ୍ଭୀରଙ୍କୁ ସମାଲୋଚନା କରିଛନ୍ତି। ଗମ୍ଭୀର ଏତେ ନିମ୍ନସ୍ତରକୁ ଖସିପାରିବେ ବୋଲି ସେ କଳ୍ପନା କରିନଥିଲେ ବୋଲି କହିଛନ୍ତି।
ଅପରପକ୍ଷରେ ପରାଜୟକୁ ପାଖରେ ଦେଖି ଆପ ନେତମାନେ ଅଭିନୟ କରୁଛନ୍ତି ଓ ମିଥ୍ୟା ଅଭିଯୋଗ ଆଣୁଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଗୌତମ ଗମ୍ଭୀରଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଦଳ ଖଣ୍ଡନ କରିଛି। ପ୍ରକାଶ ଯେ ଏହି ଲୋକସଭା ଆସନରୁ ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ମହେଶ ଗିରି ବିଜୟୀ ହୋଇଥିଲେ।

Comments are closed.