ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ପିପିଲି : ପିପିଲି ଥାନା ବାଗେଶ୍ୱରପୁର ଗ୍ରାମର ନିଖୋଜ ଥିବା ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଗୁରୁବାର ଅପରାହ୍ନରେ ସେହି ଗ୍ରାମର ଏକ ପୋଖରୀରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ମହିଳାଙ୍କ ନାମ ଶାନ୍ତିଲତା ପଣ୍ଡା(୬୦) ଓ ସେ ବାଗେଶ୍ୱରପୁର ଗ୍ରାମର ନବକିଶୋର ପଣ୍ଡାଙ୍କ ପତ୍ନୀ ହୋଇଥିବା ସୂଚନା ମିଳିଛି। ଶାନ୍ତିଲତା ମାନସିକ ବିକୃତ ଥିବା ବେଳେ ସେ ଗତ ଶନିବାର ସକାଳୁ ନିଖୋଜ ଥିବା ସମ୍ପର୍କରେ ତାଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ସହ ବନ୍ଧୁବାନ୍ଧବଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜଖବର ପାଇନଥିଲେ। ତେବେ ତାଙ୍କ ଘର ନିକଟବର୍ତ୍ତି ଏକ ପୋଖରୀରେ ଗୁରୁବାର ଜଣେ ମହିଳାଙ୍କ ମୃତଦେହ ଭାସୁଥିବାର ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପିପିଲି ଥାନା ଏସ୍‍ଆଇ ସଂଘମିତ୍ରା ଚାନ୍ଦ, ଏଏସ୍‍ଆଇ ବିଦ୍ୟାଧର ଭୋଳ ପ୍ରମୁଖ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଖରୀରୁ ମୃତଦେହକୁ ଉଦ୍ଧାର କରିବା ପରେ ତାହା ଶାନ୍ତିଲତାଙ୍କର ବୋଲି ଚିହ୍ନଟ ହୋଇଥିଲା। ଏ ସମ୍ପର୍କରେ ପିପିଲି ପୁଲିସରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ କେଉଁ ପରିସ୍ଥିତିରେ ଶାନ୍ତିଲତାଙ୍କ ମୃତ୍ୟୁ ଘଟିଲା ସେନେଇ ପୁଲିସ ଅନୁସନ୍ଧାନ ଚଳାଇଥିବା ସୂଚନା ମିଳିଛି।

Comments are closed.