ବର୍ଷାରେ ଭିଜୁଛି ଧାନ ବସ୍ତା: ଆସୁନି ଟୋକନ୍‌, ଖୋଲା ଆକାଶ ତଳେ ୯ ଲକ୍ଷ ବସ୍ତା ଧାନ

ବରଗଡ: ବରଗଡ ଜିଲାରେ ଧାନ କିଣା ବିକା ଗତ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିଲା। ୧୮୫ ଟି କେନ୍ଦ୍ରରେ ଧାନ କିଣାବିକା ହେଉଥିଲା। ମାତ୍ର ଏବେ ଅଧିକାଂଶ ପ୍ୟାକ୍ସ ବନ୍ଦ ହେଇଗଲାଣି।ଧାନ କିଣାବିକାରେ ଚାଷୀ ଯେତେ ସଂପୃକ୍ତ ନୁହନ୍ତି, ତା’ଠୁ ଅଧିକ ସଂପୃକ୍ତ ଅଛନ୍ତି ଧାନ ବେପାରୀ। ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରି ବେପାରୀ ମାନେ ଧାନ କିଣାବିକା କରୁଛନ୍ତି।

ଦୁଇମାସ ଧରି କାରବାର ହେଉଥିଲେ ମଧ୍ୟ ଜିଲାର ଚାଷୀ ଶୃଙ୍ଖଳିତ ଭାବେ ଧାନ ବିକ୍ରି କରିପାରୁ ନଥିବା ଅଭିଯୋଗ ହେଉଛି। ଚଳିତବର୍ଷ ବରଗଡ ଜିଲାକୁ ୭୪ ଲକ୍ଷ ୧୬ ହଜାର ୫୨୫ କ୍ୱଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆଯାଇଛି। ଶନିବାର ସୁଦ୍ଧା ୭୧ ଲକ୍ଷ ୩୨ ହଜାର୮୧୨ କ୍ୱିଣ୍ଟାଲ ଧାନ କିଣାଯାଇଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକାଂଶ ମଣ୍ଡିରେ ଧାନ ବସ୍ତା ଗଦା ହୋଇ ରହିଛି। ବରଗଡ ଜିଲାକୁ ରାଜ୍ୟ ବାହାରୁ ଧାନ ଚାଲାଣ ହେଉଛି। ମଣ୍ଡିରେ ଧାନ ପଡି ରହିଥିବା ବେଳେ ଏଠାରେ ଟାର୍ଗେଟ ଦିଆଯାଉ ନାହିଁ। ମାତ୍ର ଏଠାକାର ମିଲର୍ସ ମାନଙ୍କୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରପଡା ଜିଲାରୁ ଧାନ ଉଠାଇବା ପାଇଁ ଅନୁମତି ଦିଆଯାଉଛି। ଏହି ଅନୁମତି ବଳରେ ବିଭିନ୍ନ ଫନ୍ଦି ଫିକର କରାଯାଇ ବେଆଇନ ଭାବେ ଧାନ ଚୋରା ଚାଲାଣ ହେଉଛି। ପ୍ରଶାସନ ପକ୍ଷରୁ ଧାନକୁ ଜବତ କରାଯାଉଥିଲେ ମଧ୍ୟ ତାର କିଛି ଫରକ ପଡୁ ନାହିଁ।

ଓଡିଶାରେ ଧାନର କ୍ୱିଣ୍ଟାଲ ପିଛା୧୮୬୮ ଟଙ୍କା ଥିବା ବେଳେ ଛତିଶଗଡରେ କ୍ୱିଣ୍ଟାଲ ପିଛା ଧାନର ମୂଲ୍ୟ ୨୫ଶହ ରହିଛି। ଗତ ଖରିଫରେ ଛତିଶଗଡ ଚାଷୀ କ୍ୱିଣ୍ଟାଲ ପିଛା ୨୫ଶହ ଟଙ୍କାରେ ଧାନ ବିକ୍ରି କରିଥିଲେ। ମାତ୍ର ରାଜ୍ୟ ସରକାରଙ୍କ ଏହି ବୋନସ୍‌ ରାଶିକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କିଛିଟା ଦ୍ୱନ୍ଦ୍ବ ଉପୁଜିବା ପରେ ଚଳିତ ବର୍ଷ ଛତିଶଗଡ ସରକାର ଧାନର କ୍ୱିଣ୍ଟାଲ ପିଛା ମୂଲ୍ୟ ୧୮୬୮ ରଖିଛନ୍ତି। ମାତ୍ର ଚାଷୀଙ୍କୁ ପ୍ରତି ଏକର ପିଛା ୧୦ ହଜାର ଟଙ୍କା ବୋନସ୍‌ ରାଶି ପ୍ରାଦାନ କରିଛନ୍ତି। ରାଜୀବ ଗାନ୍ଧୀ ନ୍ୟାୟ ଯୋଜନା ନାଁରେ ଚାଷୀ ମାନଙ୍କୁ ଏହି ବୋନସ୍‌ ରାଶି ପ୍ରଦାନ କରାଯାଉଛି। ବରଗଡ ଜିଲାରେ ଧାନର ସହାୟକ ମୂଲ୍ୟ ୧୮୬୮ ରହିଥିଲେ ହେଁ ପ୍ଳାଷ୍ଟିକ ବ୍ୟାଗ ବାବଦକୁ ଓଜନ କଟୁଛି। କଟନି ନାଁରେ ପ୍ରତିବସ୍ତାରେ ୨ରୁ ୫ କେଜି କଟାଯାଉଛି। ସରକାରଙ୍କ ମଣ୍ଡି ବ୍ୟବସ୍ଥାରେ ୧୦ ପ୍ରତିଶତ ଚାଷୀ ମଣ୍ଡିରେ ଧାନ ବିକ୍ରି କରୁଥିବା ବେଳେ ୯୦ ପ୍ରତିଶତ ବେପାରୀ ଧନ ବିକ୍ରି କରୁଛନ୍ତି। ମଣ୍ଡି ଗୁଡିକରେ ସିସି ଟିଭି ନଥିବାରୁ କେତେବେଳେ କିଏ ଆସୁଛି ଓ କେଉଁ ଗାଡି ବାରମ୍ବାର ଆସୁଛି ତାହା ଜଣାପଡୁ ନାହିଁ। ସିସି ଟିଭି କୁ ଜାଣି ଶୁଣି ବ୍ୟବହାର କରାଯାଉ ନାହିଁ। କାଗଜପତ୍ରରେ କେବଳ ଧାନ କିଣା ବିକା ହେଉଥିବା ଯୋଗୁଁ ପ୍ରକୃତ ଚାଷୀ ନା ଧାନ କିଣୁଛି ନା ମଣ୍ଡିର ଲାଭ ପାଉଛି।
ଚଳିତବର୍ଷ ୧ ଲକ୍ଷ ୩୨ ହଜାର ଚାଷୀ ଧାନ ବିକିବା ପାଇଁ ପଂଜିକୃତ ହୋଇଥିଲେ। ସେଥିମଧ୍ୟରୁ ଏକ ଳକ୍ଷ ୧୪ ହଜାର ୫୩୦ ଜଣ ଚାଷୀଙ୍କ ଧାନ ବିକ୍ରି ହୋଇଯାଇଛି। ଏବେ ୧୮ ହଜାର ଚାଷୀଙ୍କ ଧାନ ବିକ୍ରି ହୋଇ ପାରି ନାହିଁ। ମଣ୍ଡିରେ ଧାନ ପଡି ରହିଥିବା ବେଳେ ଚାଷୀଙ୍କ ଟୋକନ୍‌ ଲାପ୍ସ ହୋଇଗଲାଣି। ଯେଉଁ ଚାଷୀମାନଙ୍କ ଟୋକନ୍‌ ଲାପ୍ସ ହୋଇଯାଇଛି ସେମାନଙ୍କ ଧାନ କିପରି ମଣ୍ଡିରୁ ଉଠିବ ସେ ନେଇ ଯୋଗାଣ ବିଭାଗ ଅଧିକାରୀଙ୍କ ପାଖରେ କୌଣସି ସୂଚନା ନାହିଁ। ୧୮ ହଜାର ଚାଷୀ ଏଯାଏଁ ଧାନ ବିକି ନାହାନ୍ତି, ମାତ୍ର ଧାନର ଟାର୍ଗେଟ ପୂରଣ ହେବା ଉପରେ।

ଗତ ତିନି ଦିନ ହେଲା ବରଗଡ ଜିଲାରେ କୋହଲା ପାଗ ସାଙ୍ଗକୁ କିଛି କିଛି ବର୍ଷା ହେଉଛି। ଖୋଲା ଆକାଶ ତଳେ ପଡିରହିଥିବା ଧାନ ବସ୍ତା ଏବେ ଓଦା ହେଲାଣି। ଏମିତିରେ ଧାନ ଉଠାଇବା ପାଇଁ ମିଲର୍ସ ମାନେ ଚାହୁଁ ନାହାନ୍ତି, କାରଣ ଆଗାମୀ ଦିନରେ ଏହା ସେମାନଙ୍କୁ ସୁହାଇବ। ଏ ପର୍ଯ୍ୟନ୍ତ ଅତାବିରା ଓ ବରଗଡ ଅଂଚଳରୁ ଧାନ ଉଠିଯାଇଥିବା ବେଳେ ପଦ୍ମପୁର ଅଂଚଳରୁ ଧାନ ଉଠିନି ଏବଂ ପାଖାପାଖି ୯ ଲକ୍ଷ ବସ୍ତା ଧାନ ଖୋଲା ଆକାଶ ତଳେ ପଡି ରହିଛି। ମଣ୍ଡି ବ୍ୟବସ୍ଥାକୁ ଦୁର୍ବଳ କରି ଦେଇ ଚାଷୀ ମାନଙ୍କୁ ମାର୍କେଟ ୟାର୍ଡରୁ ମୁହଁ ଫେରାଇ ନେବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି ଚାଷୀ ମାନେ ଅଭିଯୋଗ କରୁଛନ୍ତି।

ବରଗଡ ଜିଲାରେ ମଣ୍ଡି ବ୍ୟବସ୍ଥାକୁ ଅଧିକ ଜଟିଳ ଓ ବେପାରୀମାନଙ୍କ କବଜାରେ ଛାଡି ଦିଆଯାଉଥିବାରୁ ଚାଷୀମାନେ ଏହି ବ୍ୟବସ୍ଥା ଅପେକ୍ଷା ନିଜ ଉଦ୍ୟମରେ କମ୍‌ ଦାମ୍‌ରେ ହେଉ ପଛେ ଧାନ ବିକ୍ରି କରିବାକୁ ପସନ୍ଦ କରୁଛନ୍ତି। ପ୍ରତିମଣ୍ଡିରେ ଯଦି ସିସି ଟିଭି ବ୍ୟବହାର କରାଯାଇ ଲୋକଙ୍କ ଗତିବିଧିକୁ ନୀରକ୍ଷଣ କରାଯାଆନ୍ତା ତାହେଲେ ମଣ୍ଡିରେ ଚୋରା କାରବାର ଅଧା କମିଯାଆନ୍ତା। ଚୋରା ଚାଲାଣ କୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଟାକ୍ସ ଫୋର୍ସ ଗଠନ କରାଯାଇଛି। ମାତ୍ର ପ୍ରକୃତରେ ମାର୍କେଟୟାର୍ଡ ଗୁଡିକୁ ଜଗିବା ପାଇଁ ବ୍ୟବସ୍ଥା ହେବା କଥା। ଚାଷୀଙ୍କ ନାଁରେ ମଣ୍ଡି କାରବାର କରାଯାଉଥିଲେ ମଧ୍ୟ ଏହା କେବଳ ବେପାରୀମାନଙ୍କ ସଲାସୁତୁରା ଓ ମିଲର୍ସମାନଙ୍କ ଚକ୍ରାନ୍ତରେ ଚାଲୁଥିବା ଅଭିଯୋଗ ହେଉଛି। ଏବେ ମଣ୍ଡିରେ ଧାନ ପଡିଛି ହେଲେ ଚାଷୀଙ୍କ ପାଖରେ ଟୋକନ୍‌ ନାହିଁ। ପଂଜିକୃତ ହୋଇଥିବା ଚାଷୀ ଟୋକନ୍‌ ପାଇ ମଧ୍ୟ ଧାନ ବିକ୍ରି କରିବାରୁ ବଂଚିତ ହେଉଛନ୍ତି। ଏବେ ଯେଉଁମାନଙ୍କ ଟୋକନ୍‌ ଲାପ୍ସ ହୋଇଯାଇଛି ସେମାନଙ୍କ ଧାନ ଉଠିବ ନା ନାହିଁ ଏବଂ ଯେଉଁ ମାନେ ମଣ୍ଡିରେ ଧାନ ପକାଇଛନ୍ତି ସେମାନେ ବିକ୍ରି କରି ପାରିବେ ନା ନାହିଁ ତାକୁ ନେଇ ଚାଷୀ ଚିନ୍ତିତ ଅଛନ୍ତି।

Comments
Loading...