ଦେଶରେ ଆରୋଗ୍ୟ ଲାଭ କଲେ ରେକର୍ଡ ସଂଖ୍ୟକ ୩୬,୧୪୫ କରେନା ଆକ୍ରାନ୍ତ; ମୃତ୍ୟହାର ୨.୩୧%

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ରବିବାର ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଆଜି ରେକର୍ଡ ସଂଖ୍ୟକ ୩୬ ହଜାର ୧୪୫ କରେନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ କୋଭିଡ୍‍-୧୯ ଆରୋଗ୍ୟ ହାର ୬୩.୯୧%କୁ ବୃଦ୍ଧି ପାଇଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ହାର ୨.୩୧%ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଦେଶରେ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ସାଢେ ୮ ଲକ୍ଷ ୮୫ ହଜାର ୫୭୭ରେ ପହଞ୍ଚିଛି। ଅନ୍ୟପକ୍ଷରେ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୬୭ ହଜାର ୮୮୨ ରହିଛି । ଗତ ୨୪ ଘଣ୍ଟା ଭିତରେ ଆଉ ୪୮ ହଜାର ୬୬୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ମୋଟ୍‍ ସଂକ୍ରମିତମାନଙ୍କ ସଂଖ୍ୟା ୧୩ ଲକ୍ଷ ୮୫ ହଜାର ୫୨୨ ରହିଛି। ସେହିପରି ଗୋଟିଏ ଦିନରେ ଆଉ ୭୦୫ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି, ଫଳରେ ଦେଶରେ କୋଭିଡ୍‍ ମୃତ୍ୟୁସଂଖ୍ୟା ୩୨ ହଜାର ୬୩ରେ ପହଞ୍ଚିଛି।

ଅନ୍ୟପକ୍ଷରେ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ(ଆଇସିଏମଆର)କହିଛି,ଗୋଟିଏ ଦିନରେ ଦେଶର ବିଭିନ୍ନ ପରୀକ୍ଷାଗାରରେ ରେକର୍ଡ ସଂଖ୍ୟକ ୪ ଲକ୍ଷ ୪୨ ହଜାର ୨୬୩ ନମୁନା ପରୀକ୍ଷା କରାଯାଇଛି। ଏଯାବତ ଏକ କୋଟି ୬୨ ଲକ୍ଷ ୯୧ ହଜାର ୩୩୧ ନବୁନା ପରୀକ୍ଷା କରାଯାଇଛି।

ତେବେ ଦେଶରେ ଆରୋଗ୍ୟ ହାର ଦୃଷ୍ଟିରୁ ଦିଲ୍ଲୀ ଶୀର୍ଷରେ ରହିଛି। ଏଠାରେ ଆରୋଗ୍ୟ ହାର ୮୭.୨୯%କୁ ବୃଦ୍ଧି ପାଇଛି। ସେହିପରି ଆରୋଗ୍ୟ ହାରରେ ଦିଲ୍ଲୀ ପଛକୁ ଲଦାଖ ୨ୟ, ହରିଆଣା ୩ୟ, ତେଲଙ୍ଗାନା ୪ର୍ଥ ଓ ଆସାମ ୫ମ ସ୍ଥାନରେ ରହିଛି। ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ୭୪%ରୁ ଅଧିକ ରହିଛି। ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ମଧ୍ୟ ଜାତୀୟ ଆରୋଗ୍ୟ ହାର ୬୩.୯୧% ଠାରୁ ଅଧିକ ରହିଛି। ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ସର୍ବୋଚ୍ଚ ସ୍ଥାନରେ ଥିବା ବେଳେ ୨ୟ ସ୍ଥାନରେ ତାମିଲନାଡୁ ଏବଂ ତା ପଛକୁ ଦିଲ୍ଲୀ ଓ ଆନ୍ଧ୍ର ପ୍ରଦେଶ ରହିଛି।

ଅନ୍ୟପକ୍ଷରେ ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କରୋନା ମୃତ୍ୟୁ ହାର ଜାତୀୟ ମୃତ୍ୟୁ ହାରଠାରୁ ନିମ୍ନରେ ରହିଛି। ତେବେ ମୋଟ୍‍ ସଂକ୍ରମିତମାନଙ୍କ ମଧ୍ୟରୁ ୬୮.୪୬% ସଂକ୍ରମିତ ମହାରାଷ୍ଟ୍ର, କର୍ଣ୍ଣାଟକ,  ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରେ ରହିଛନ୍ତି।

Comments are closed.