ପ୍ରକାଶ ପାଇଲା ନୂତନ ସାମୁଦ୍ରିକ ଝଡ଼ ତାଲିକା

ନୂଆଦିଲ୍ଲୀ : ବିଭିନ୍ନ ସାଗର ଓ ମହାସାଗରରୁ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବିଶ୍ୱର ଅନେକ ଦେଶରେ ତାଣ୍ଡବ ଖେଳାଇ ଆସିଛି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମଣିଷ ଯେତେ ଅଗ୍ରଗତି କରୁପଛେ ପ୍ରକୃତିଠାରେ ସର୍ବଦା ହାର ମାନିଛି। ଊନବିଂଶ ଶତାବ୍ଦୀ ପୂର୍ବରୁ ସାମୁଦ୍ରିକ ଝଡର ପୂର୍ବାନୁମାନ ସମ୍ପର୍କରେ ବିଶ୍ୱବାସୀ ଜାଣି ପାରୁ ନଥିଲେ। ଫଳତଃ ହଠାତ୍‍ ଏହି ଝଡ ପହଞ୍ଚି ସବୁ କିଛି ଧ୍ୱଂସ କରି ଦେଇ ଚାଲି ଯାଉଥିଲା। କାଳକ୍ରମେ ସୂଚନା ପ୍ରଯୁକ୍ତି ବିଦ୍ୟାର ପ୍ରସାର ଫଳରେ ଏବେ ସାମୁଦ୍ରିକ ଝଡର ପୂର୍ବାନୁମାନ କରାଯାଇ ପାରୁଛି। ଯାହାଫଳରେ ଜନସାଧାରଣ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିପାରୁଛନ୍ତି। ପୃଥିବୀର ବିଭିନ୍ନ ମହାସାଗର ଓ ସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ଝଡର ନାମକରଣ କରାଯାଇଛି। ୧୯୫୩ ମସିହାରେ ସର୍ବପ୍ରଥମେ ସାମୁଦ୍ରିକ ଝଡ଼ର ନାମକରଣ ହୋଇଥିଲା। ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ମିଆମିଠାରେ ଏକ ସମ୍ମିଳନୀରେ ସାମୁଦ୍ରିକ ଝଡ଼ଗୁଡିକର ନାମକରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ଆଟଲାଣ୍ଟିକ ମହାସାଗରରୁ ସୃଷ୍ଟ ଝଡ଼ସମୂହର ନାମକରଣ ହୋଇଥିଲା। ଗଣମାଧ୍ୟମ ଓ ସାଧାରଣ ଲୋକ ଯେପରି ଏହାକୁ ମନେରଖିପାରିବେ ସେହି ଅନୁଯାୟୀ ଝଡର ନାମକରଣ ହୋଇଥିଲା। ଝଡ଼ ପୂର୍ବରୁ ତାହାର ନାମକରଣ କରାଯିବା ଅର୍ଥ ଲୋକଙ୍କୁ ସଚେତନ କରାଇବା। ପରବର୍ତ୍ତୀ ସମୟରେ ଦକ୍ଷିଣ ଏସିଆ ଓ ମଧ୍ୟ ପ୍ରାଚ୍ୟ ଦେଶସମୂହ ଏକତ୍ର ହୋଇ ଭାରତ ମହାସାଗର, ବଙ୍ଗୋପସାଗର ଓ ଆରବ ସାଗରରୁ ସୃଷ୍ଟ ଝଡର ନାମକରଣ କରିଥିଲେ।

୨୦୦୪ ମସିହାରେ ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଝଡ଼ସମୂହର ନାମକରଣ ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟିରେ ଭାରତ, ପାକିସ୍ତାନ, ବାଂଲାଦେଶ, ମାଲଦୀପ, ମିଆଁମାର, ଓମାନ, ଶ୍ରୀଲଙ୍କା ଓ ଥାଇଲ୍ୟାଣ୍ଡ ପ୍ରମୁଖ ୮ଟି ସଦସ୍ୟ ରାଷ୍ଟ୍ର ଯୋଗ ଦେଇଥିଲେ। ଆଗାମୀ ଝଡ ପାଇଁ ପ୍ରତ୍ୟେକ ଦେଶ ୮ଟି ଲେଖାଏଁ କରି ୬୪ଟି ନାମ ଦେଇଥିଲେ। ଏହି ୮ଟି ଦେଶର ସରକାର ନିଜ ଦେଶର ଜନସାଧାରଣ ବୁଝି ପାରିବା ଭଳି ୮ ଟି ଲେଖାଏଁ ନାମ ପ୍ରଦାନ କରିଥିଲେ। ଝଡ଼ ସମୂହର ନାମ ଯେପରି ସଂକ୍ଷିପ୍ତ ଓ ପ୍ରସାରଣ ପାଇଁ ସରଳ ହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା। କୌଣସି ବିବାଦୀୟ ନାମ କିମ୍ବା କୌଣସି ବ୍ୟକ୍ତି ବିଶେଷକୁ ଆକ୍ଷେପ କରୁଥିବା ଭଳି ନାମ ଦିଆଯାଇ ପାରିବ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ନିଜ ଦେଶର ଲୋକଙ୍କ ପାଇଁ ଯେପରି ସରଳ ଓ ବୋଧଗମ୍ୟ ହେବ ସେହିପରି ନାମ ଦେବାକୁ କୁହାଯାଇଥିଲା। ପରେ ଏହି ୮ଟି ଦେଶ ଝଡ଼ ପୂର୍ବରୁ ୬୪ଟି ନାମ ପ୍ରଦାନ କରିଥିଲେ। ମାହାବାତ୍ୟା ‘ଅମ୍ଫାନ ହେଉଛି ତାଲିକାର ଶେଷ ନାମ । ଏହାପରେ ପୁୁଣି ୨୦୨୦ ମସିହାରେ ଝଡ଼ଗୁଡ଼ିକର ନୂତନ ନାମ ତାଲିକା ପ୍ରକାଶ ପାଇଛି। ଏଥିରେ ପ୍ରଥମ ଥର ପାଇଁ ସାଉଦିଆରବ, କତାର ୟେମେନ ଓ ୟୁଏଇକୁ ସାମିଲ କରାଯାଇଛି ।  ଫଳରେ ତାଲିକାରେ ପୂର୍ବରୁ ଥିବା ୮ଟି ଦେଶ ଏବେ ୧୩କୁ ବୃଦ୍ଧି ପାଇଛି ।  ଅମ୍ଫାନ ପରେ ପୁନଃ ନିସର୍ଗ ଦେଖାଦେବ । ଏହି ନାମ ବାଂଲାଦେଶ ପ୍ରଦାନ କରିଛି । ପରେପରେ ଭାରତର ନାମ ‘ଗତି’ ଦେଖାଦେବ । ଏହିପରି ଉଲ୍ଲେଖ ଥିବା ସ୍ତମ୍ଭରେ ତାଲିକା-୧ର ନିସର୍ଗଠାରୁ ଆରମ୍ଭ ହୋଇ ଝଡ଼ର ନାମ ତାଲିକା-୧୩ର ଶେଷରେ ଥିବା ‘ସମ୍‌ହାରେ ଶେଷ ହେବ। ୧୩ଟି ଦେଶ ୧୩ଟି ଲେଖାଏଁ ମୋଟ୍‌ ୧୫୯ଟି ଝଡ଼ର ନାମ ପ୍ରଦାନ କରିଛନ୍ତି ।ଏହି ଝଡ଼ଗୁଡ଼ିକ ଶେଷ ହେଲେ ପୁଣି ୧୩ଟି ଦେଶ ଏକତ୍ର ବସି ନୂତନ ନାମ ସ୍ଥିର କରିବେ।
ସାମୁଦ୍ରିକ ଝଡ଼ ସମ୍ପର୍କରେ ଲୋକମାନଙ୍କୁ ସତର୍କ କରାଇବାର ମୁଖ୍ୟ ଦାୟିତ୍ୱ ଗଣମାଧ୍ୟମର। ସ୍ଥାନୀୟ ଓ ବିଦେଶୀ ଗଣମାଧ୍ୟମଙ୍କ ପାଇଁ ଯେପରି ଅସୁବିଧା ସୃଷ୍ଟି ନହୁଏ ଓ ଲୋକେ ଯେମିତି ମନେରଖି ପାରିବେ ସେଥିପାଇଁ ଝଡ଼ ସମୂହର ନାମକରଣ ହୋଇଛି। ପୂର୍ବରୁ ଏଗୁଡିକର ନାମ ସ୍ଥିରୀକୃତ ହୋଇଥିବାରୁ ପାଣିପାଗ ବିଶେଷଜ୍ଞ ଓ ଗଣମାଧ୍ୟମ ପାଇଁ ପ୍ରାୟତଃ କିଛି ସମସ୍ୟା ସୃଷ୍ଟି ହୁଏ ନାହିଁ।

Comments are closed.