ରାଜଧାନୀରେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ପୁଣି ହତ୍ୟାକାଣ୍ଡ। ୧୫ବର୍ଷର ନାବାଳିକାକୁ ଦୁର୍ବୃତ୍ତମାନେ ବଳାତ୍କାର ପରେ ହତ୍ୟାକରି ହାତଗୋଡ ବାନ୍ଧି ଗଛରେ ଟାଙ୍ଗି ଦେଇଛନ୍ତି। ସୋମବାର ସକାଳେ ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମା ଫେଜ-୨ ଜଗନ୍ନାଥ ମନ୍ଦିର ନିକଟସ୍ଥ ପିଜୁଳି ଗଛରୁ ନାବାଳିକାଙ୍କ ମୃତଦେହ ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତ ନାବାଳିକା ଯାଜପୁର ଜିଲାର ବୋଲି ଜଣାପଡ଼ିଛି। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ହତ୍ୟାମାମଲା ରୁଜୁ କରିଛି।

ଯୁବତୀ ଜଣେ ଯୁବକକୁ ଭଲ ପାଉଥିଲେ। ଉକ୍ତ ଯୁବକ ଏବଂ ତା’ର ସାଥୀମାନେ ମିଶି ତାଙ୍କ ଝିଅକୁ ବଳାତ୍କାର କରିବା ପରେ ହାତଗୋଡ ବାନ୍ଧି ମାରିଦେଇ ଗଛରେ ଟାଙ୍ଗି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା। ଯୁବତୀ ଭଲ ପାଉଥିବା ଯୁବକକୁ ସ୍ଥାନୀୟ ଲୋକେ ଧରି ମାଡ ମାରି ପୁଲିସ ଜିମା ଦେଇଛନ୍ତି। ପୁଲିସ ଯୁବକକୁ ରଖି ପଚରାଉଚରା କରୁଛି।

ପୁଲିସ କହିବା ଅନୁସାରେ ବ୍ୟକ୍ତିଜଣକ ଡୁମୁଡୁମା ଫେଜ-୨ରେ ପରିବାର ସହ ରହୁଛନ୍ତି। ବ୍ୟକ୍ତିଜଣକ ହୋଟେଲରେ କାମ କରୁଥିଲେ। ଏବେ ହୋଟେଲ ବନ୍ଦ ଥିବାରୁ ସେ ପରିବା ବେପାର କରୁଛନ୍ତି। ଝିଅ ଭଲ ଗୀତ ବୋଲନ୍ତି। ତେଣୁ ସେ ପୋଖରୀପୁଟକୁ ଗୀତ ଶିଖିବାକୁ ଯାଉଥିବା ବେଳେ ଜଣେ ଯୁବକଙ୍କ ତାଙ୍କର ସମ୍ପର୍କ ହୋଇଥିଲା। ଏହା ଜାଣିବା ପରେ ପରିବାର ଲୋକେ ବିରୋଧ କରିଥିଲେ। ହେଲେ ଯୁବକ ଜଣକ ବାରମ୍ବାର ଘର ପାଖକୁ ଆସି ଯୁବତୀଙ୍କୁ ହଇରାଣ କରୁଥିଲା। ରବିବାର ରାତିରେ ଝିଅଟି ପରିସ୍ରା କରିବାକୁ ଘରୁ ବାହାରକୁ ଆସି ଆଉ ଘରକୁ ଫେରିନଥିଲା। ରାତି ପ୍ରାୟ ୧୨ଟାରେ ପଡୋଶୀଙ୍କ କୁକୁର ଭୁକିବାରୁ ତାଙ୍କ ମା’ ପଦାକୁ ବାହାରିଥିଲେ ଓ ପିଜୁଳି ଗଛରେ ତାଙ୍କ ଝିଅ ଝୁଲୁଥିବା ଦେଖିଥିଲେ। ଝିଅଟିର ହାତଗୋଡ ବନ୍ଧା ହେବା ସହ ମୁହଁରେ କପଡା ବନ୍ଧା ଯାଇଥିଲା। ଲୋକଙ୍କ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇ ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.