କାର୍ ଡ଼ିଲରଙ୍କୁ ଚୂନ: ଜାଲ ଚେକ୍ ଦେଇ ଧୂର୍ତ କିଣିଲେ କୋଟିଏ ଟଙ୍କିଆ କାର୍

ଲୋକମା​‌ନେ ଠକିବା ପାଇଁ କେତେକେତେ ବାଟ ଖୋଜିଥାଆନ୍ତି । ମାତ୍ର ଫ୍ଲୋରିଡ଼ାର ଜଣେ ଯୁବକ ନିଜ ଘରେ କମ୍ପ୍ୟୁଟରରେ ଏକ ଜାଲ୍ ଚେକ୍ ପ୍ରସ୍ତୁତ କରି ଏଥିରେ କୋଟିଏ ଟଙ୍କାର ପୋର୍ସେ କାର କିଣିବା ଘଟଣା ଚହଳ ପକାଇ ଦେଇଛି । ଏତେ ଚତୁରତାର ସହ ଏହି ଚେକ୍ ପ୍ରସ୍ତୁତ ହୋଇଥିଲା ଯେ ତାହାକୁ ଡ଼ିଲର ବା ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ବ୍ୟକ୍ତିମାନେ ଧରି ପାରି ନ ଥିଲେ ।

ୱାଲଟନ୍ କାଉଣ୍ଟି ସରିଫଙ୍କ କାର୍ଯ୍ୟାଳୟ ସୂଚନା  ଅନୁଯାୟୀ ଏହି ବ୍ୟକ୍ତିଙ୍କ ନାମ କେସି ୱିଲିୟମ୍ କେଲି । ଜାଲ ଚେକ୍ ଦେଇ ଏକ ବିଳାସପୂର୍ଣ୍ଣ ଗାଡ଼ି ଠକିନେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଉକ୍ତ ବ୍ୟକ୍ତି  ଜୁଲାଇ ୨୭ ରେ ଫ୍ଲୋରିଡାର ଡେଷ୍ଟିନରେ ଥିବା ପୋର୍ସେ ଡିଲରସିପ୍‌ ନିକଟକୁ ଯାଇଥିଲେ । ଏକ ବିଳାସପୂର୍ଣ୍ଣ କାର କିଣିବା ପାଇଁ ନିଜ କମ୍ପ୍ୟୁଟରରୁ ମୁଦ୍ରଣ କରିଥିବା କ୍ୟାସିୟରଙ୍କ ଚେକ୍ ଦେଇଥିଲେ । ଏହି ଚେକ​‌ରେ କାର ମୂଲ୍ୟ ବାବଦକୁ ୧୩୯୨୦୩.୦୫ ଡ଼ଲାର ଲେଖା ଯାଇଥିଲା । ଯାହା ଭାରତୀୟ ମୁଦ୍ରାରେ ୧ କୋଟି ଟଙ୍କାରୁ ଅଧିକ ହେବ ।

ନକଲି ଚେକ ଦେଇ କାର କିଣିବା ପରେ ତାଙ୍କର ଲୋଭ ଆହୁରି ବଢ଼ି ଯାଇଥିଲା । ସେ ୩ଟି ରୋଲେକ୍ସ ଘଣ୍ଟା କିଣିବା ପାଇଁ ଆଉ ଏକ ନକଲି ଚେକ୍ ବ୍ୟବହାର କରିଥିଲେ । ମିଆଁମୀ ଉପକୂଳରେ ଥିବା ଏକ ଅଳଙ୍କାର ଦୋକାନରେ ସେ ଏଥିପାଇଁ ୬୧୫୨୧ ଡ଼ଲାରର ଏକ ଚେକ୍ ପ୍ରଦାନ କରିଥିଲେ । ମାତ୍ର କାର୍ ଡ଼ିଲର ଓ ଅଳଙ୍କାର ଦୋକାନୀ ଚେକ୍ ଦୁଇଟିକୁ ବ୍ୟାଙ୍କରେ ଜମା ନିମନ୍ତେ ପଠାଇବା ପରେ ତାହା ଜାଲ ବୋଲି ଜଣା ପଡ଼ିଥିଲା ।  ପୁଲିସ ଗିରଫ କରିବା ପରେ କେଲି ନିଜର ଠକେଇ ସ୍ବୀକାର କରିଛନ୍ତି ।  ନିଜ ଘର କମ୍ପ୍ୟୁଟରରୁ ଚେକ୍ ପ୍ରସ୍ତୁତ କରିଥିବା କହିଛନ୍ତି ।

Comments are closed.