ଜିଲା ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ୧୨ କୋଭିଡ୍ ଯୋଦ୍ଧା ସମ୍ବର୍ଦ୍ଧିତ

ଫୁଲବାଣୀ : ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଆଇନ ସଚେତନତା  କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡଃ. ମିନତୀ ବେହେରା ପୁରୁଷ ଓ ନାରୀଙ୍କୁ ସର୍ବଶ୍ରେଷ୍ଠ ସୃଷ୍ଟି ବୋଲି ମତବ୍ୟକ୍ତ କରିଥିଲେ। ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କର ସମାନ ଦାୟିତ୍ୱ ରହିଛି। ମତଭେଦ ହେଲେ ସେମାନେ ଆପୋଷ ସମାଧାନ କରିଦେବା ଆବଶ୍ୟକ। ମହିଳାମାନଙ୍କର ପୂର୍ବାପେକ୍ଷା ଦକ୍ଷତା ବୃଦ୍ଧି ହେଉଛି। ସେମାନେ କୌଣସି ଗୁଣରେ ବି ପୁରୁଷମାନଙ୍କ ଠାରୁ ନ୍ୟୁନ ନୁହଁନ୍ତି। କେବଳ ଜାତୀୟ ନୁହେଁ ବରଂ ଆନ୍ତର୍ଜାତୀୟ  କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମଧ୍ୟ ହାସଲ କଲେଣି। ମାତ୍ର  ସେମାନେ କୌଣସି ନା କୌଣସି କ୍ଷେତ୍ରରେ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ମହିଳା କମିଶନ  ତାଙ୍କର କାର୍ଯ୍ୟଧାରା ଜାରି ରଖିଛନ୍ତି ଏବଂ ଜାଗ୍ରତ ପ୍ରହରୀ ଭାବେ କାମ ମଧ୍ୟ କରୁଛନ୍ତି। ଦେଖାଯାଉଛି ଏବେ ମଧ୍ୟ ସେମାନେ ସେମାନଙ୍କର ଅଧିକାର ସମ୍ପର୍କରେ ଜ୍ଞାତ ନାହାଁନ୍ତି ଯାହା ଫଳରେ କି ସେମାନେ ନିର୍ଯ୍ୟାତିତ ହେଉଛନ୍ତି ବୋଲି ଅଧ୍ୟକ୍ଷା କହିଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଆକାଂକ୍ଷା ପ୍ରଧାନ  ଜିଲ୍ଲାପାଳ ଡା. ବୃନ୍ଦା ଡି. କହିଲେ, ମହିଳାମାନେ ପ୍ରଥମେ ଜାଣିବା ଆବଶ୍ୟକ ଯେ, କେଉଁ ପ୍ରକାର ସମସ୍ୟା ପାଇଁ କାହାଙ୍କର ସାହାଯ୍ୟ ଆବଶ୍ୟକ।  ଗ୍ରମାଞ୍ଚଳରେ ରହୁଥିବା ମହିଳାମାନଙ୍କୁ ସୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଏ ଦିଗରେ ସଚେତନ କରିବା ନିହାତି ଜରୁରୀ ବୋଲି ଜିଲ୍ଲାପାଳ କହିଥିଲେ। କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଭିନୀତ୍ ଅଗ୍ରୱାଲ୍ ମହିଳାମାନଙ୍କ ସୁରକ୍ଷା ପାଇଁ ପୁଲିସ ବିଭାଗ ତରଫରୁ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥିମାନଙ୍କ ଦ୍ୱାରା କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ୧୨ ଜଣ କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାର ସର୍ବଶ୍ରେଷ୍ଠ ଆଶା କର୍ମୀ ଭାବେ ରାଇକିଆ ବ୍ଳକର ମିନତୀ ସାହାଣୀ, ସର୍ବଶ୍ରେଷ୍ଠ ଅଙ୍ଗନୱାଡ଼ି  କର୍ମୀ ଭାବେ ଫିରିଙ୍ଗିଆ ବ୍ଳକର ରଞ୍ଜନ୍ତୀ ଥାଟି, ସର୍ବଶେଷ୍ଠ ପୋଲିସ୍ ଅଧିକାରୀ ଭାବେ ଘୁ.ଉଦୟଗିରି ଥାନାର ଏସ୍.ଆଇ କୌଶଲ୍ୟା ବେହେରା, ସର୍ବଶ୍ରେଷ୍ଠ ଡାକ୍ତର ଭାବେ ଟିକାବାଲି ସ୍ୱାସ୍ଥ୍ୟ କେନ୍ଦ୍ରର ଡା.ଜ୍ୟୋତିରଞ୍ଜନ ଜେନା, ସର୍ବଶ୍ରେଷ୍ଠ  ସ୍ୱୟଂ ସହାୟିକା ଗୋଷ୍ଠୀ ଭାବେ ଟିକାବାଲି ବ୍ଳକ ଅନ୍ତର୍ଗତ ମା ସାରଳା ବିଶ୍ୱ  ସ୍ୱୟଂ ସହାହିକା ଗୋଷ୍ଠୀ, ସର୍ବଶ୍ରେଷ୍ଠ ସରପଞ୍ଚ ଭାବେ ସୌଦାମିନି ମଲ୍ଲିକ, ସର୍ବଶ୍ରେଷ୍ଠ  ପ୍ରୋଗ୍ରାମ ଅଧିକାରୀ ଭାବେ ଏସ୍. ଗାୟତ୍ରୀ, ସର୍ବଶ୍ରେଷ୍ଠ  ସାମାଜିକ କର୍ମୀ ଭାବେ ଟିମ୍ ହ୍ୟିମାନିଟ୍ କନ୍ଧମାଳର  ସାଇରାମ ପାତ୍ର, ସର୍ବଶ୍ରେଷ୍ଠ ମହିଳା ଆଡ୍ଭୋକେଟ୍ ଭାବେ ବିଣାପାଣୀ ପ୍ରଧାନ,  ୱାନ୍ ଷ୍ଟପ୍ ସେଣ୍ଟର ପ୍ରଶାସିକା ପ୍ରାଚିପ୍ରଭା ତ୍ରିପାଠୀ, ଓଡ଼ିଶା ରାଜ୍ୟ ମହିଳା ଆୟୋଗ ସଦସ୍ୟା ଜାଲିନା ପ୍ରିୟଦର୍ଶିନୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନସ୍ୱିନୀ ମିଶ୍ର ପ୍ରମୁଖଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ପ୍ରଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ବିଜୟା ବେରୁଆ, ଓଡ଼ିଶା ରାଜ୍ୟ ମହିଳା ଆୟୋଗ ସଦସ୍ୟା ସ୍ନେହାଞ୍ଜଳୀ ମହାନ୍ତି, ସୁଶ୍ରୀ ଜଲିନା ପ୍ରିୟଦର୍ଶନୀଙ୍କ ସମେତ ବହୁ ସରକାରୀ ପଦାଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନର କାର୍ଯ୍ୟନିର୍ବାହୀ  ଅଧିକାରୀମାନେ ଯୋଗ ଦେଇଥିଲେ।

 

Comments are closed.