୨୦୧୬ରେ ବି ବ୍ୟାପିଥିଲା ଏକ କରୋନା ଭୂତାଣୁ, ତଥ୍ୟ ଲୁଚାଇଥିଲା ଚୀନ
କରୋନା ଭୂତାଣୁ ସାରା ବିଶ୍ଵରେ ଦେଢ଼ବର୍ଷ ହେଲାଣି ମହାମାରୀ ରୂପ ଧାରଣ କରିଛି। ୨୦୧୯ ନଭେମ୍ବରରେ ଚୀନରୁ ଏହି ଭୂତାଣୁ ବ୍ୟାପିବା ଆରମ୍ଭ ହୋଇଥିଲା ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଚକ୍କିତ କଲା ଭଳି ତଥ୍ୟ ଏବେ ସାମ୍ନାକୁ ଆସିଛି। ୨୦୧୯ ନୁହେଁ, ବରଂ ୨୦୧୬ରୁ ଚୀନରେ କରୋନା ଭୂତାଣୁ ବ୍ୟାପିବା ଆରମ୍ଭ ହୋଇଥିଲା। କିନ୍ତୁ ଚୀନ ସରକାର ଏହି ତଥ୍ୟକୁ ସାରା ବିଶ୍ଵଠାରୁ ଗୋପନ ରଖିଥିଲେ, ଯାହା ଫଳରେ ୨୦୧୯ରେ ଏହି ଭୂତାଣୁ ବିସ୍ଫୋରକ ରୂପ ନେଇଥିଲା ବୋଲି କିଛି ବୈଜ୍ଞାନିକ ଦାବି କରିଛନ୍ତି।
ବୈଜ୍ଞାନିକଙ୍କ କହିବା ଅନୁସାରେ, ୨୦୧୬-୧୭ରେ ଚୀନରେ ୨୫ ହଜାର ଘୁଷୁରୀଙ୍କ ମୃତ୍ୟୁ ଘଟିଥିଲା। ଏହାର କାରଣ ଥିଲା ବାଦୁଡ଼ିଙ୍କଠାରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ। ହର୍ସଶୁ ନାମକ ଏକ ପ୍ରଜାତିର ବାଦୁଡ଼ିଙ୍କଠାରୁ ଏହି ଭୂତାଣୁର ଉତ୍ପତ୍ତି ହୋଇଥିଲା। ଏହି ବାଦୁଡ଼ିମାନଙ୍କ ଯୋଗୁ ୨୦୦୨ରେ ଚୀନରେ ସାର୍ସ ରୋଗ ବ୍ୟାପିଥିଲା।
୨୦୧୬-୧୭ରେ ୨୫ ହଜାରରୁ ଅଧିକ ଘୁଷୁରୀ ଯେଉଁ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲୋ, ତାହାର ନାମ ଥିଲା ‘ସ୍ବାଇନ ଆକ୍ୟୁଟ ଡାଇରିଆ ସିଂଡ୍ରୋମ କରୋନାଭାଇରସ-(SADS-CoV). ଏହି ଭୂତାଣୁରେ ମଣିଷ ସଂକ୍ରମିତ ହୋଇ ନ ଥିଲେ, କିନ୍ତୁ ଏହି ଭୂତାଣୁ ସାର୍ସ ଭୂତାଣୁ ସଂକ୍ରମଣ କଥାକୁ ମନେପକାଇ ଦେଇଥିଲା, ଯେଉଁ ସାର୍ସ ଭୂତାଣୁ ଯୋଗୁ ଚୀନରେ ୮୦୦୦ ଲୋକ ସଂକ୍ରମିତ ହୋଇଥିଲେ ଏବଂ ୭୭୪ ଜଣ ପ୍ରାଣ ହରାଇଥିଲେ।
୨୦୦୪ ପରଠାରୁ ଚୀନରେ ଆଉ ସାର୍ସ ଭୂତାଣୁ ଦେଖିବାକୁ ମିଳି ନ ଥିଲା। କିନ୍ତୁ ଗୁଆଙ୍ଗଡୋଙ୍ଗ ପ୍ରଦେଶର ୪ଟି ଘୁଷୁରୀ ଫାର୍ମରେ SADS-CoV ସଂକ୍ରମଣ ଲଗାତାର ଦେଖିବାକୁ ମିଳୁଥିଲା। ଇକୋହେଲ୍ଥ ଆଲାଏନ୍ସ, ଡ୍ୟୁକ୍-ଏନୟୁଏସ ମେଡିକାଲ ସ୍କୁଲ, ଉହାନ ଇନ୍ଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜି ମିଳିତ ଭାବେ ଏହି ଭୂତାଣୁକୁ ଚିହ୍ନଟ କରିଥିଲେ। ଏହାର ଅଧ୍ୟୟନ ପାଇଁ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ ଏଲର୍ଜି ଆଣ୍ଡ ଇନ୍ଫେକ୍ସିଅସ ଡିଜିଜେସ୍ ଅର୍ଥ ଯୋଗାଇ ଦେଇଥିଲା। ଏହାର ଗବେଷଣା ସମ୍ବନ୍ଧୀୟ ସନ୍ଦର୍ଭ ସାଇନ୍ସ ପତ୍ରିକା ‘ନେଚର’ରେ ବି ପ୍ରକାଶିତ ହୋଇଥିଲା।
ସେତେବେଳେ ବି ବୈଜ୍ଞାନିକମାନେ କହିଥିଲେ ଯେ, ପଶୁମାନଙ୍କଠାରେ କୌଣସି ଭୂତାଣୁକୁ ଖୋଜିବା ଏବଂ ତା ସମ୍ପର୍କରେ ତଥ୍ୟ ହାସଲ କରିବା ଅତ୍ୟନ୍ତ ଜରୁରୀ। କାରଣ ଯେକୌଣସି ସମୟରେ ଏହି ଭୂତାଣୁ ମଣିଷଙ୍କ ଶରୀରରେ ପ୍ରବେଶ କରିପାରେ। ଏଥିପାଇଁ ଏଭଳି ଭୂତାଣୁଠାରୁ ବର୍ତ୍ତିବା ଲାଗି ଅଧ୍ୟୟନର ଆବଶ୍ୟକତା ରହିଛି। କିନ୍ତୁ ଚୀନ ୨୦୧୬ରେ ଘୁଷୁରୀଙ୍କଠାରେ ଦେଖାଦେଇଥିବା କରୋନା ଭୂତାଣୁ SADS-CoV ବିଷୟରେ ତଥ୍ୟ ଲୁଚାଇଥିଲା। ଏହା ପରେ ୨୦୧୯ରେ ନୂଆ କରୋନା ଭୂତାଣୁର ସୃଷ୍ଟି ହୋଇଥିଲା। ଏହାଯୋଗୁ ଆଜି ଦୁନିଆରେ ଅନେକ ପ୍ରକାର କରୋନା ଭୂତାଣୁ ବୁଲୁଛନ୍ତି।
୨୦୧୬ ଅକ୍ଟୋବର ଶେଷ ଆଡକୁ ଗୁଆଙ୍ଗଡୋଙ୍ଗ ପ୍ରଦେଶର ଫୋଶାନସ୍ଥିତ ଏକ ଫାର୍ମରେ SADS-CoV ଯୋଗୁ ହଜାର ହଜାର ଘୁଷୁରୀ ପ୍ରାଣ ହରାଇଥିଲେ। ପ୍ରଥମେ ଜୀବ ବିଜ୍ଞାନୀମାନେ ଭାବିଥିଲେ ଯେ, ଏହା ପୋର୍ସିନ ଏପିଡେମିକ ଡାଇରିଆ ଭାଇରସ (PEDV), ଯାହା ଘୁଷୁରୀଙ୍କଠାରେ ଦେଖିବାକୁ ମିଳୁଥିବା ସାଧାରଣ କରୋନା ଭୂତାଣୁ। ୨୦୧୭ ଜାନୁୟାରୀ ବେଳକୁ PEDV ମାମଲା ଆସିବା ବନ୍ଦ ହୋଇଯାଇଥିଲା। କିନ୍ତୁ ଘୁଷୁରୀଙ୍କ ମୃତ୍ୟୁ ଜାରି ରହିଥିଲା।
ତେଣୁ ସେତେବେଳେ ବୈଜ୍ଞାନିକମାନେ ପୁଣି ଥରେ ଯାଞ୍ଚ ଆରମ୍ଭ କରିଥିଲେ। ଭିନ୍ନ ଭିନ୍ନ ସ୍ଥାନ ବୁଲି ଘୁଷୁରୀଙ୍କ ମୃତ୍ୟୁର କାରଣ ଖୋଜିଥିଲେ। ୨୦୧୭ ମେ ମାସରେ ସେମାନେ ଜାଣିବାକୁ ପାଇଥିଲେ ଯେ, କରୋନା ଭୂତାଣୁର ଏକ ନୂଆ ରୂପ SADS-CoV ଏହି ଘୁଷୁରୀମାନଙ୍କୁ ସଂକ୍ରମିତ କରିଛି, ଯେଉଁଥିପାଇଁ ସେମାନଙ୍କର ମୃତ୍ୟୁ ଘଟୁଛି। ବୈଜ୍ଞାନିକମାନେ ମୃତ ଘୁଷୁରୀମାନଙ୍କଠାରୁ ବାଦୁଡ଼ିଙ୍କଠାରେ ଦେଖିବାକୁ ମିଳୁଥିବା କରୋନା ଭୂତାଣୁର ଠାବ କରିଥିଲେ।
Comments are closed.