କଲକାତାରେ ସିଆଇଏସଏଫ ହେଡ କନଷ୍ଟେବଳଙ୍କ ଏକେ-୪୭ରୁ ଗୁଳିବର୍ଷା: ଏଏସଆଇ ମୃତ, କମାଣ୍ଡାଣ୍ଟ ଗୁରୁତର

କଲକାତା: କଲକାତାରେ ଥିବା ଦେଶର ସର୍ବପୁରାତନ ମ୍ୟୁଜିୟମରେ ସିଆଇଏସଏଫର ଜଣେ ଓଡିଆ ହେଡକନଷ୍ଟେବଳ ଏକେ-୪୭ରେ ଆଖିବୁଜା ଗୁଳିମାଡ କରିଛନ୍ତି । ଏଥିରେ ସିଆଇଏସଏଫର ଜଣେ ଏଏସଆଇ ପ୍ରାଣ ହରାଇଥିବାବେଳେ ଜଣେ କମାଣ୍ଡାଣ୍ଟ ଗୁରୁତର ଆହତ ହୋଇଛନ୍ତି। ଗୁଳିମାଡ କରିଥିବା କନଷ୍ଟେବଳ ଓଡିଆ ହୋଇଥିବାବେଳେ ପ୍ରାଣ ହରାଇଥିବା ଏଏସଆଇ ବି ଓଡିଆ ବୋଲି ଜଣାପଡିଛି।
ଛୁଟି ନ ମିଳିବାରୁ ଭୟଙ୍କର କାଣ୍ଡ ଘଟାଇଛନ୍ତି ସିଆଇଏସଏଫରେ କାମ କରୁଥିବା ଜଣେ ଓଡ଼ିଆ ଯବାନ। ସିଆଇଏସଏଫରେ ହେଡ କନଷ୍ଟେବଲ ଭାବେ କାମ କରୁଥିବା ଓଡ଼ିଶାର ଅକ୍ଷୟ ମିଶ୍ର ଆଜି ନିଜର ଉପରିସ୍ଥ ଅଧିକାରୀ ଓ ଆଉ ଜଣେ ସହଯୋଗୀଙ୍କ ଉପରକୁ ଆଖିବୁଜା ଗୁଳିବର୍ଷା କରିଛନ୍ତି। ପଶ୍ଚିମବଙ୍ଗର ରାଜଧାନୀ କୋଲାକତାରେ ଥିବା ଇଣ୍ଡିଆନ ମ୍ୟୁଜିୟମର ହେଡ କନଷ୍ଟେବଲ ଅକ୍ଷୟ ମିଶ୍ରଙ୍କ ଗୁଳିମାଡ଼ରେ ଏସଏସ୍‌ଆଇ ଆରକେ ଷଡ଼ଙ୍ଗୀ ପ୍ରାଣ ହରାଇଛନ୍ତି। ଏସଆଇ ଷଡ଼ଙ୍ଗୀଙ୍କ ଘର ମଧ୍ୟ ଓଡ଼ିଶାରେ ବୋଲି ଜଣାପଡ଼ିଛି। ଗୁଳିମାଡ଼ରେ ସିଆଇଏସଏଫ କମାଣ୍ଡାଣ୍ଟ ସୁବୀର ଘୋଷ ଗୁରୁତର ଆହତ ହୋଇଛନ୍ତି। ଅକ୍ଷୟ ମିଶ୍ର ଛୁଟି ମାଗି ନିରାଶ ହେବାରୁ ନିଜ ଏକେ ୪୭ରୁ ୨୫ରୁ ୩୦ ରାଉଣ୍ଡ ଗୁଳିମାଡ଼ କରିଛନ୍ତି।
ଘଟଣା ପ୍ରାୟ ସନ୍ଧ୍ୟା ୬.୩୦ରେ ଘଟିଥିଲା। ଅକ୍ଷୟଙ୍କୁ ଧରିବା ପାଇଁ ପୁଲିସର ଦୁଇଟି ଟିମ ଘଟଣାସ୍ଥଳକୁ ଯାଇଥିଲା। ଏଥିରେ କମାଣ୍ଡୋ ବି ସାମିଲ ହୋଇଥିଲେ। ବୁଲେଟପ୍ରୁଫ ଜାକେଟ ସହ ସେମାନେ ମ୍ୟୁଜିୟମ ଭିତରକୁ ଯାଇଥିଲେ। ଅକ୍ଷୟଙ୍କୁ ଧରିବାକୁ ପଶ୍ଚିମବଙ୍ଗ ପୁଲିସକୁ ନାକେଦମ ହେବାକୁ ପଡିଥିଲା। ଶେଷରେ ଅକ୍ଷୟ ମିଶ୍ରଙ୍କୁ ଗିରଫ କରାଯାଇଥିଲା।

Comments are closed.