ଚେଲ୍ଲାକୁମାର ଓଡ଼ିଶା କଂଗ୍ରେସ ନୂଆ ପ୍ରଭାରୀ

ଭକ୍ତଙ୍କୁ ମିଜୋରାମ ଓ ମଣିପୁର ଦାୟିତ୍ୱ; ରାମ ଖୁଣ୍ଟିଆ ବାଦ୍‌

ନୂଆଦିଲ୍ଲୀ : ଓଡ଼ିଶା କଂଗ୍ରେସର ନୂତନ ପ୍ରଭାରୀ ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଡକ୍ଟର ଏ ଚେଲ୍ଲାକୁମାରଙ୍କୁ ନିଯୁକ୍ତି ମିଳିଛି। ପୂର୍ବରୁ ଡକ୍ଟର ଚେଲ୍ଲାକୁମାର ଗୋଆ କଂଗ୍ରେସ ସଂଗଠନ ଦାୟିତ୍ୱରେ ରହିଥିଲେ। ପୂର୍ବରୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱ ତୁଲାଉଥିବା ଜିତେନ୍ଦ୍ର ସିଂଙ୍କୁ ଆସାମ କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ମିଜୋରାମ ଓ ମଣିପୁର ରାଜ୍ୟର କଂଗ୍ରେସ ପ୍ରଭାରୀ ଦାୟିତ୍ୱ ମିଳିଛି। ଏଥିସହ ଅଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ କମିଟିର ୨୬ ଜଣିଆ  ସ୍ଥାୟୀ ନିମନ୍ତ୍ରିତ ସଭ୍ୟ ତାଲିକାରେ ଭକ୍ତ ଚରଣ ଦାସଙ୍କୁ ସ୍ଥାନ ମିଳିଛି। ଏଆଇସିସି ଅଦଳବଦଳ ପ୍ରକ୍ରିୟାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବରୁ ତେଲେଙ୍ଗାନା କଂଗ୍ରେସ ପ୍ରଭାରୀ ଦାୟିତ୍ୱରେ ରହିଥିବା ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ଦଳ ଦାୟିତ୍ୱରୁ ବାଦ୍‍ ଦେଇଛି।

କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ଡକ୍ଟର ଚେଲ୍ଲାକୁମାରଙ୍କ ନିଯୁକ୍ତି ପରେ ରାଜ୍ୟ କଂଗ୍ରେସ ସଂଗଠନ ପୁଣି ଚଳଚଞ୍ଚଳ ହେବା ନେଇ ଆଶା ସଞ୍ଚାର ହୋଇଛି। ଦକ୍ଷ ସଂଗଠକ ଭାବେ ଜଣାଶୁଣା ଡକ୍ଟର ଚେଲ୍ଲାକୁମାରଙ୍କୁ ୨୦୧୭ରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ସ୍ଥାନରେ ଗୋଆ କଂଗ୍ରେସ ପ୍ରଭାରୀ ଦାୟିତ୍ୱ ମିଳିଥିଲା। ସାଂସଦ ଓ ବିଧାୟକ ଭାବେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ୨୦୧୯ ସାଧାରଣ ନିର୍ବାଚନରେ ତାମିଲନାଡୁର କ୍ରିଷ୍ଣାଗିରି ଆସନରୁ ବିଜୟୀ ହୋଇ ଲୋକସଭାକୁ ପ୍ରତିନିଧିତ୍ୱ କରୁଛନ୍ତି ଡକ୍ଟର ଚେଲ୍ଲାକୁମାର। ୧୯୯୧-୨୦୦୧ ମଧ୍ୟରେ ତାମିଲନାଡୁର ଆନ୍ନାନଗର ବିଧାନସଭା କ୍ଷେତ୍ରରୁ ଦୁଇ ଥର ବିଧାୟକ ଭାବେ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି। ୧୨ ଜାନୁଆରୀ ୧୯୬୦ରେ ତାମିଲନାଡ଼ୁ କନ୍ୟାକୁମାରୀ ଜିଲା ନାଗେରକୋଟରେ ଜନ୍ମିତ ଡକ୍ଟର ଚେଲ୍ଲାକୁମାର ପେଶାରେ ଜଣେ ଏମବିବିଏସ ଡାକ୍ତର।

Comments are closed.