କରୋନା ପଜିଟିଭ୍‍ ଭୟରେ ଯୁବକଙ୍କ ଆତ୍ମହତ୍ୟା

ନବରଙ୍ଗପୁର : ନବରଙ୍ଗପୁର ଜିଲା ବଡମସିଗାଁ ପଞ୍ଚାୟତ ସଦର ମହକୁମାର ଜଣେ ଯୁବକ କରୋନା ପଜିଟିଭ ଭୟରେ ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ସୋମବାର ଦିନ ଗାଁରେ କରୋନା ପାଇଁ ସ୍ୱାବ ପରୀକ୍ଷା ହୋଇଥିଲା। ଗ୍ରାମର ଝାଡେଶ୍ୱର ବିଷୋୟୀଙ୍କ ପୁଅ ନରେନ୍ଦ୍ର ବିଷୋୟୀ(୧୯) ଙ୍କର  ପଜିଟିଭ ରିପୋର୍ଟ ଜାଣିବା ପରେ ସେ  ଆଉ ଘରକୁ ଫେରିନଥିଲା। ପଜିଟିଭକୁ ଭୟ ନକରି ତାଙ୍କର ମା ଘରକୁ ଆସି ଖାଇବା ପାଇଁ ଖବର ମଧ୍ୟ ଦେଇଥିଲେ। ପୁଅ ଘରକୁ ଯାଇନଥିଲା। ଅପରାହ୍ନରେ ଘରକୁ ଆସି କୀଟନାଶକ ଔଷଧ ପିଇବା ବେଳେ ପରିବାର ଲୋକ ଛଡାଇଥିଲେ। ସେହି ସମୟରେ ସେ କିଛି ମାତ୍ରାରେ ସେବନ କରି ସାରିଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ତୁରନ୍ତ ନବରଙ୍ଗପୁର ଜିଲା ସଦର ମହକୁମା ଡାକ୍ତରଖାନାକୁ ନିଆଯାଇଥିଲେ। ସନ୍ଧ୍ୟାରେ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଶବକୁ ଡାକ୍ତରଖାନା ଶବଗୃହରେ ରଖାଯାଇଥିବାବେଳେ ଆସନ୍ତାକାଲି ପରିବାରଲୋକଙ୍କୁ ଦିଆଯିବ ବୋଲି ଜଣାପଡିଛି।

Comments are closed.