ବିମାନବନ୍ଦରରୁ ୨୨.୨୩ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ, ୪ ଅଟକ

0

ଭୁବନେଶ୍ୱର: ସୀମାଶୁଳ୍କ ବିଭାଗର ବିମାନ ଗୁଇନ୍ଦା ଶାଖାର ଅଧିକାରୀଙ୍କଠାରୁ ସୂଚନା ପାଇବା ପରେ ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟର କର୍ମଚାରୀମାନେ ବିଜୁ ପଟ୍ଟନାୟକ ବିମାନବନ୍ଦରଠାରେ ୪ ଜଣ ଯାତ୍ରୀଙ୍କ ନିକଟରୁ ୨୨,୨୩,୦୩୫ ଟଙ୍କାର ବିଦେଶୀ ମୁଦ୍ରା ଜବତ କରିଛନ୍ତି। ଦିଲ୍ଲୀ, କଲକାତା ଓ କଟକରେ ରହୁଥିବା ଏହି ୪ ଜଣ ଭାରତୀୟ ଯାତ୍ରୀ ବ୍ୟାଙ୍କକକ୍‌ରୁ ଏୟାରଇଣ୍ଡିଆର ଏଆଇ-୩୩୯ ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇବା ପରେ ସେମାନଙ୍କ ଲଗେଜ୍‌ ଯାଞ୍ଚ କରାଯିବା ବେଳେ ଏତେ ପରିମାଣର ବିଦେଶୀ ମୁଦ୍ରା ଠାବ କରାଯାଇଥିଲା। ସେହିପରି ଏହି ଯାତ୍ରୀମାନଙ୍କଠାରୁ ବିଦେଶରେ ନିର୍ମିତ ସୁନା ଅଳଙ୍କାର ଜବତ କରାଯାଇଛି। ଏସବୁ ବିଦେଶୀ ମୁଦ୍ରାକୁ ଯାତ୍ରୀମାନେ ସେମାନଙ୍କ ଲଗେଜ୍‌ରେ ଥିବା ପ୍ରସାଧନ ସାମଗ୍ରୀ ଭିତରେ ଲୁଚାଇ ରଖିଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି।
ଗତକିଛି ଦିନ ମଧ୍ୟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରଠାରେ ୩ ଥର ସୁନା ବିସ୍କୁଟ୍‌ ଓ ବିଦେଶୀ ମୁଦ୍ରା ବେଆଇନ୍‌ ଭାବେ ଚାଲାଣ କରାଯାଉଥିବା ବେଳେ ଧରାପଡିଛି। ପୂର୍ବରୁ ଜବତ ସୁନା ବିସ୍କୁଟ୍‌ର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କାରୁ ଅଧିକ ହେବ। ବିଦେଶରୁ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ନୂଆ କରି ବିମାନ ଆସୁଥିବାରୁ ଏହି କାରବାର ଏକ ପ୍ରକାର ଆରମ୍ଭ ହୋଇଛି। ବ୍ୟାଂକକ୍‌ରୁ ପ୍ରଥମ ଥର ଲାଗି ବିମାନରେ ଆସୁଥିବା ଯାତ୍ରୀଙ୍କଠାରୁ ବିଦେଶୀ ମୁଦ୍ରା ଜବତ ହୋଇଛି ବୋଲି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ସହକାରୀ କମିଶନର(ସୀମାଶୁଳ୍କ) ଶଶି ଭୂଷଣ ସୂଚନା ଦେଇଛନ୍ତି।

Leave A Reply