ଗଙ୍ଗାରୁ ଉଦ୍ଧାର ହେଲା ‘ଗଙ୍ଗା’

ଆଗ୍ରା: ବର୍ତ୍ତମାନ ସମାଜରେ କନ୍ୟା ସନ୍ତାନ କିଭଳି ଅଲୋଡା ହୋଇପଡୁଛନ୍ତି ତାହା ବିଭିନ୍ନ ସମୟରେ ବିଭିନ୍ନ ଢଙ୍ଗରେ ସର୍ବସମ୍ମଖକୁ ଆସୁଛି । ତେବେ ଏଠାରେ ଏକ କନ୍ୟା ସନ୍ତାନକୁ ତାହାର ପିତା ମାତା ଓ ପରିବାର ଲୋକ ଯେଉଁଭଳି ଭାବରେ ଛାଡିଦେଇଛନ୍ତି, ତାହା ଶୁଣିଲେ ଏବଂ ଦେଖିଲେ ଲୋମ ଟାଙ୍ଗୁରି ଉଠିବ । ସହଜେ ଏବେ ମୌସୁମୀ ଋତୁ ଆରମ୍ଭ ହୋଇଯାଇଛି । ଦେଶବ୍ୟାପୀ ଲଗାତର ବର୍ଷା ଚାଲିଛି । ଏଭଳି ଏକ ପରିସ୍ଥିତିରେ ଯେକେହି ବ୍ୟକ୍ତି ସାଧାରଣ ନଦୀ ପାଣିରେ ଗୋଡ ବୁଡାଇବାକୁ ମଧ୍ୟ ଭୟ କରିବ । ଆଉ ଗଙ୍ଗା ନଦୀ କଥା ଛାଡ । ସେଥିରେ ତ ବର୍ଷ ତମାମ ପାଣି ଥାଏ । ଗଙ୍ଗା ନଦୀରେ ବର୍ତ୍ତମାନ ପରିସ୍ଥିତିରେ ଯଦି କେହି ଅଭିଜ୍ଞ ପହଁରାଳିଙ୍କୁ ଗୋଟିଏ କୂଳରୁ ପହଁରି ଆର କୂଳକୁ ଯିବାକୁ କୁହାଯାଏ ତେବେ ସେ ମଧ୍ୟ ପଛଘୁଞ୍ଚା ଦେବେ । କିନ୍ତୁ ସେହି ଗଙ୍ଗା ନଦୀ ଜଳରେ କେହି ଏକ ୨୧ ଦିନର ଶିଶୁକନ୍ୟାକୁ ଭସାଇ ଦେଇଥିଲା । କିନ୍ତୁ ହୁଏତ ଭଗବାନଙ୍କର ଇଛା ଥିଲା ତାକୁ ଜୀବିତ ରଖି ସଭ୍ୟ ଶିକ୍ଷିତ ବୋଲାଉଥିବା ଆଧୁନିକ ସମାଜକୁ ଉଚିତ ଜବାବ ଦେବାକୁ ।
ଉତ୍ତରପ୍ରଦେଶର ଘାଜିପୁର ବାସିନ୍ଦା ନାଉରିଆ ଗୁଲ୍ଲୁ ଚୌଧରୀ ସବୁଦିନ ଭଳି ସକାଳୁ ଗଙ୍ଗା କୂଳ ଦାଦ୍ରିଘାଟକୁ ଯାଇଥିଲେ । ସେଠାରେ ତାଙ୍କୁ ଏକ କଅଁଳ ଶିଶୁର କାନ୍ଦ ଶୁଭିଲା । ସେହି କାନ୍ଦ ବନ୍ଦ ହେଉନଥିଲା । ପାଖରେ ଥିବା କିଛି ଲୋକ ମଧ୍ୟ ସେହି କାନ୍ଦ ଶୁଣିବାକୁ ପାଇଲେ । ଏହାପରେ ସମସ୍ତେ ଖୋଜି ବୁଲିଲେ କାନ୍ଦ କେଉଁଠୁ ଆସୁଛି । ଦେଖିଲେ ଗଙ୍ଗା ନଦୀ ଜଳରେ ଏକ ବାକ୍ସ ଭଳି କିଛି ଭାସୁଛି । ତାହା ଲାଲରଙ୍ଗ ଦେଖାଯାଉଥିଲା । ହେଲେ ଗଙ୍ଗା ଭିତରକୁ ଯିବାକୁ କେହି ପ୍ରସ୍ତୁତ ନଥିଲେ । କିନ୍ତୁ ସବୁଦିନେ ଗଙ୍ଗା ମାତାଙ୍କୁ ଦେଖିଆସୁଥିବା ନାଉରିଆ ଗୁଲ୍ଲୁ ପାଣି ଭିତରକୁ ଯାଇଥିଲେ । ସନ୍ଦେହରେ ଉକ୍ତ ବାକ୍ସ ପାଖରେ ପହଞ୍ଚି ତାକୁ କୂଳକୁ ଆଣିଲେ । ବାକ୍ସକୁ ଖୋଲି ଦେଖିବାପରେ ସେମାନେ ମୁଣ୍ଡରେ ହାତ ଦେଇ ଦେଇଥିଲେ । କାହା ପାଟିରୁ କଥା ବାହାରୁନଥିଲା ।
ବାକ୍ସଟି କାଠରେ ତିଆରି ହୋଇଥିଲା । ଭିତରେ ଲାଲ କପଡା ସଜାଇ ଦିଆଯାଇ ତାହା ଉପରେ ଏକ କଅଁଳ ଶିଶୁ କନ୍ୟାକୁ ଶୁଆଇ ଦିଆଯାଇଥିଲା । ଶିଶୁଟି ଉପରେ ଲାଲ କପଡା ଘୋଡାଇ ଦିଆଯାଇ ତାହା ନିକଟରେ ଅଗରବତୀ ରଖାଯାଇଥିଲା । ବାକ୍ସ ଭିତରପଟେ ଦୁର୍ଗାମାତାଙ୍କ ଫଟୋ ଲଗାଯାଇଥିଲା । ଶିଶୁ ନିକଟରେ ଖଣ୍ଡେ ଛୋଟ କାଗଜ ରଖାଯାଇଥିଲା । ସେଥିରେ ଲେଖାଥିଲା ‘ଗଙ୍ଗା ମାତାଙ୍କ କନ୍ୟା’ । ତାହାସହିତ ପିଲାର ଜନ୍ମ ସମୟ ଆଦି ମଧ୍ୟ ଲେଖାଥିଲା । ସେଥିରୁ କନ୍ୟା ସନ୍ତାନ ମାତ୍ର ୨୧ ଦିନର ହୋଇଥିବା ଜଣାପଡିଲା । ଏହାଦେଖି ଗୁଲ୍ଲୁ ତୁରନ୍ତ ବାକ୍ସରୁ କନ୍ୟା ସନ୍ତାନକୁ କାଢି ଘରକୁ ଦୌଡିଥିଲେ । ଏହି ଖବର ବିଜୁଳି ବେଗରେ ଖେଳିଗଲା । ଖବର ପାଇ ଘାଜିପୁର ଜିଲା ପ୍ରଶାସନିକ ଅଧିକାରୀ ଗୁଲ୍ଲୁ ଘରେ ପହଞ୍ଚି ଶିଶୁର ଚିକିତ୍ସା ପାଇଁ ତାକୁ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ । ଶିଶୁଟିକୁ ଶିଶୁଯତ୍ନ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ କହିଛନ୍ତି । ତେବେ ଗୁଲ୍ଲୁ ଉକ୍ତ କନ୍ୟାକୁ ନିଜେ ଲାଳନ ପାଳନ କରିବାକୁ ଇଛା ପ୍ରକାଶ କରିଛନ୍ତି । ଗଙ୍ଗା ମାତା ତାଙ୍କୁ ଏହି ଶିଶୁଟିକୁ ଦେଇଥିବାରୁ ସେ ତାହାର ଯତ୍ନ ନେବେ ବୋଲି କହିଛନ୍ତି । ଉତ୍ତରପ୍ରଦେଶ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିବାବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନାଉରୀ ଗୁଲ୍ଲୁ ଚୌଧରୀକୁ ଧନ୍ୟବାଦ ଜଣାଇବା ସହିତ ସରକାରୀ ବ୍ୟବସ୍ଥା ଅନୁଯାୟୀ ତାଙ୍କୁ ସାହାଯ୍ୟ କରାଯିବ ବୋଲି କହିଛନ୍ତି । ଏଥିସହିତ ଉତ୍ତର ପ୍ରଦେଶ ସରକାର ଉକ୍ତ କନ୍ୟା ସନ୍ତାନର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Comments are closed.