ସତ୍ୟ ହୋଇଥିଲେ ସାଂଘାତିକ

ତାଙ୍କ ଅବର୍ତ୍ତମାନରେ କୃତଜ୍ଞ ଜାତି ତାଙ୍କୁ ପୂଜା ନୁହେଁ, ବରଂ ତାଙ୍କ ଦର୍ଶନକୁ ଆପଣେଇ ପାରିଲେ ହିଁ ଦାସେ ଆପଣେଙ୍କ ପ୍ରତି ବାସ୍ତବ ଶ୍ରଦ୍ଧାଞ୍ଜଳି ହେବ

ଅଦାଲତରେ ପ୍ରତ୍ୟହ ହଜାର ହଜାର ମାମଲା ବିଚାର ପାଇଁ ଆସିଥାଏ ଏବଂ ସେଥି ସହ ସମ୍ପୃକ୍ତ ମୁଦାଲା, ମୁଦେଇ, ବାଦୀ-ପ୍ରତିବାଦୀ ଦୁଇପକ୍ଷ ଓକିଲ, ସାକ୍ଷୀ, ବିଭାଗୀୟ କର୍ମଚାରୀଙ୍କ ସମେତ ନିଜେ ହାକିମ ବା ବିଚାରପତିମାନେ ନିଜ ନିଜ ଉଦ୍ଦେଶ୍ୟ, ବୁଦ୍ଧି, ବିବେକ ତଥା ଦାୟିତ୍ୱ ଅନୁସାରେ କାର୍ଯ୍ୟ କରିଥାନ୍ତି। ମାମଲା ଦାୟର କରୁଥିବା ଲୋକଟିର ଲକ୍ଷ୍ୟ ସବୁବେଳେ ଯେ ନ୍ୟାୟ ହାସଲ ପାଇଁ ତା’ ନୁହେଁ। ଅଧିକାଂଶ କ୍ଷେତ୍ରରେ ଯେଉଁମାନେ ଅଭିଯୋଗ ଦାୟରକାରୀ ସେମାନେ ନିଜେ ଜାଣିଥାନ୍ତି ଯେ ସେମାନଙ୍କ ଦାବି ବା ତାଙ୍କ ଅଭିଯୋଗ ହିଁ ଅନ୍ୟାୟର ଆଧାରଶିଳା ଉପରେ ପର୍ଯ୍ୟବସିତ। ସେମାନଙ୍କ ଉଦ୍ଦେଶ୍ୟ କିଛି ଭିନ୍ନ ହୋଇଥିବାରୁ ତଦନୁଯାୟୀ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରି ବାଦୀ ହୋଇଥାଆନ୍ତି ମାମଲାରେ। ଓକିଲଙ୍କ ପାଖରେ ସବୁବେଳେ ଯେ ସତ୍ୟ ଉପସ୍ଥାପନ ସେମାନେ କରନ୍ତି ତା’ ମଧ୍ୟ ନୁହେଁ। ତେବେ ଆଇନଜୀବୀ ସେମାନଙ୍କ ପେସାର ଧର୍ମ ଅନୁସାରେ ମାମଲା ହାତକୁ ନିଅନ୍ତି ଓ ଅଦାଲତରେ ଲଢ଼େଇ ଚାଲେ। ଏହାଦ୍ୱାରା ନିରୀହ ପ୍ରତିବାଦୀ କେବଳ ଖର୍ଚ୍ଚାନ୍ତ, ନିର୍ଯାତିତ ହୁଏ ନାହିଁ ବରଂ ବିଚାରାଳୟର ବହୁମୂଲ୍ୟ ସମୟ ବରବାଦ ହୋଇଥାଏ।
ବ୍ୟକ୍ତିର ଖଳବୁଦ୍ଧି ଓ ମନୁଷ୍ୟ ଚରିତ୍ରର ଏହା ଏକ ପ୍ରତିଫଳନ। ଆମ ଭିତରେ ପଶୁ ପ୍ରବୃତ୍ତି ଯେତେବେଳେ ସବାର ହୁଏ ସେତେ‌େବଳେ ମଣିଷ ନିଜର କର୍ତ୍ତବ୍ୟ ଓ ହିତାହିତ ଜ୍ଞାନକୁ ବିସ୍ମୃତ ହୋଇ ଏହିପରି କାର୍ଯ୍ୟରେ ନିୟୋଜିତ ହୁଏ। ଏହି ଚରିତ୍ର ଏକବିଂଶ ଶତାବ୍ଦୀରେ ଯେ ପରିଦୃଶ୍ୟ ହେଉଛି ତା’ ନୁହେଁ। କାଳେ କାଳେ ଏହା ଦେଖାଯାଇଛି ଯେ ବିଚାରବିଭାଗକୁ ଭ୍ରମିତ କରି ନିଜର ମନ୍ଦ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଅସାମାଜିକ ଗୋଷ୍ଠୀ ଏଥିରେ ନିୟୋଜିତ ହୋଇଛନ୍ତି। କିନ୍ତୁ ସବୁଠାରୁ ଭୟଙ୍କର ଓ ଉଦ୍‍ବେଗର କାରଣ ହୋଇଯାଏ ଯେତେବେଳେ ପ୍ରଶାସନ ଏପରି ହୀନ ଉଦ୍ୟମରେ ସାମିଲ ହୋଇଯାଏ। ବାଡ଼ କ୍ଷେତ ଖାଇଲାପରି ପ୍ରଶାସନ ଓ ବିଚାର ବିଭାଗୀୟ ମିଥ୍ୟା ମାମଲାରେ ଯୋଡ଼ି ହୋଇଗଲା ପରେ ଲୋକମାନଙ୍କର ଆସ୍ଥା ତୁଟି ଯାଏ ନ୍ୟାୟପାଳିକା ଉପରେ।
ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିର କଥା। ୧୯୨୧ ଅଗଷ୍ଟ ୧୩ ତାରିଖ। ‘ସମାଜ’ ସମ୍ବାଦପତ୍ରରେ ‘ସତ୍ୟ ହୋଇଥିଲେ ସାଂଘାତିକ’ ଶିରୋନାମାରେ ଏକ ସମ୍ବାଦ ପ୍ରକାଶିତ ହେଲା। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସେତେବେଳେ ତା’ର ସମ୍ପାଦକ। ମାତ୍ର ଦୁଇ ବର୍ଷର ଶୈଶବାବସ୍ଥାରେ ‘ସମାଜ’ ଖବରକାଗଜ। ବେଗୁନିଆଠାରେ ଜଣେ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ ବଜାରଘାଟରେ ଭୀଷଣ ଚର୍ଚ୍ଚା ହେଲା। ପୁଲିସ କର୍ମଚାରୀଙ୍କ ଦୁଷ୍କର୍ମ ଜନିତ ଅପମାନରେ ଏହା ଏକ ଆତ୍ମହତ୍ୟା ବୋଲି ଚର୍ଚ୍ଚା ହେଉଥାଏ। ଏହି ଘଟଣା ସମ୍ପର୍କରେ ଉପରୋକ୍ତ ଶିରୋନାମାରେ ସମ୍ବାଦଟି ପ୍ରକାଶ ପାଇଥିଲା। ଗୋପବନ୍ଧୁ ସେତେବେଳେ ଉତ୍କଳଭୂମିରେ ଅସହଯୋଗର ଶଙ୍ଖଧ୍ୱନି କରିବା ସହ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଉଥାନ୍ତି। ‘ସମାଜ’ ଖବରକାଗଜ ୧୯୧୯ରେ ପ୍ରକାଶ ପାଇ ଏହି ଆନ୍ଦୋଳନକୁ ବେଶ ଶକ୍ତି ପ୍ରଦାନ କରୁଥାଏ। ଓଡ଼ିଶାର ପୁରପଲ୍ଲୀକୁ ଖବରକାଗଜ ଯାଇ ନ ପାରିଲେ ମଧ୍ୟ ଗୋଟିଏ ଗୋଟିଏ ସମ୍ବାଦପତ୍ର ସମଗ୍ର ଗ୍ରାମବାସୀ ବା ଅଞ୍ଚଳବାସୀଙ୍କୁ ଆନ୍ଦୋଳନର ଖବର ଦେଉଥାଏ। ତେଣୁ ବ୍ରିଟିଶ ଅଧିକାରୀମାନଙ୍କର ଏହା ମୁଣ୍ଡବ୍ୟଥାର କାରଣ ହୋଇଥାଏ। ‘ସମାଜ’କୁ କିପରି ଆଇନର ଜାଲରେ ଛନ୍ଦି ଏହାର ପ୍ରକାଶନ ବନ୍ଦ କରାଯାଇପାରିବ ସେ ଦିଗରେ ଇଂରେଜ ଅଧିକାରୀମାନେ ସମସ୍ତଙ୍କ ଅଲକ୍ଷ୍ୟରେ କାର୍ଯ୍ୟ କରୁଥାନ୍ତି। ଏପରି ଏକ ସମୟରେ ଏହି ସମ୍ବାଦଟି ବେଶ୍‍ ସୁହାଇଲା ପୁରୀ ଜିଲାର ଏସ୍‍.ପି. ମିଷ୍ଟର ଗାଇସଙ୍କୁ। ଗାଇସ କିଛି ମିଥ୍ୟା ସାକ୍ଷ୍ୟ ପ୍ରମାଣକୁ ଆଧାର କରି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବିରୋଧରେ ୫୦୦ ଦଫାରେ ଖୋର୍ଦ୍ଧାର ଦ୍ୱିତୀୟ ଅଫିସର ବାବୁ ସୁରେଶଚନ୍ଦ୍ର ବୋଷଙ୍କ ମହକୁମାରେ ମକଦ୍ଦମା କଲେ। ଗୋପବନ୍ଧୁଙ୍କୁ ଏଥିରେ ଗିରଫ କରାଯାଇ ସୁରେଶଚନ୍ଦ୍ର ବୋଷଙ୍କ କୋର୍ଟରେ ହାଜର କରାଗଲା। ସୁରେଶଚନ୍ଦ୍ର ଥିଲେ ନେତାଜୀ ସୁଭାଷ ବୋଷଙ୍କ ବଡ଼ଭାଇ। ଅଦାଲତରେ ଏସ୍‍.ପି. ଗାଇସ ନିଜେ ସ୍ୱୀକାର କରିଥିଲେ ଯେ ଏହି ମାନହାନି ମକଦ୍ଦମା ତାଙ୍କ ପ୍ରସ୍ତାବରେ ଦାୟର ହୋଇଥିଲା ଓ ସେ ନିଜେ ମଧ୍ୟ ଜଣେ ପ୍ରଧାନ ସାକ୍ଷୀ ଥିଲେ।
ମୁଦେଇମାନଙ୍କ ତରଫରୁ ଓକିଲ ନୁହେଁ ବରଂ ପୁରୀରୁ କୋର୍ଟ ଇନ୍‍ସ୍‍ପେକ୍ଟର ଯାଇ ମକଦ୍ଦମା ପରିଚାଳନା କରିଥିଲେ। ଯଦିଓ ଏହି ମୃତ୍ୟୁ ଘଟଣା ଲୋକମୁଖରେ ବିଶେଷ ଭାବେ ପ୍ରଚାରିତ ହୋଇଥିଲା। କିନ୍ତୁ, ଗାଇସ ସାଙ୍ଗରେ ନେଇ ଆସିଥିବା ୧୨ଜଣ କନଷ୍ଟେବଲ ସେମାନଙ୍କ ବିବୃତିରେ କହିଲେ, “ଆମ୍ଭେ ଏ ଖବର ‘ସମାଜ’ରୁ ପଢ଼ିଛୁ। ପୂର୍ବରୁ ଶୁଣିନାହୁଁ। ଏ ସମ୍ବାଦ ପଢ଼ି ବେଗୁନିଆର କନେଷ୍ଟବଲ ଯାକ ଖରାପ ଲୋକ ବୋଲି ଆମ୍ଭେ ବିଚାରିଲୁ।” ହାକିମ ଗୋପବନ୍ଧୁଙ୍କ ଜାମିନରେ ଯିବାକୁ ଚାହାନ୍ତି କି ପଚାରିବାରେ ସେ କହିଲେ, “ମୁଁ ଅସହଯୋଗୀ, ଧର୍ମତଃ ଜାମିନରେ ଯିବି ନାହିଁ, ମୋ କଥାରେ ବିଶ୍ୱାସ ଅଛି ତ ଛାଡ଼ି ଦିଅନ୍ତୁ ନ ହେଲେ ମୁଁ ହାଜତ ଯିବାକୁ ପ୍ରସ୍ତୁତ ଅଛି।” ଏପରି ଜବାବରେ ହତଭମ୍ବ ହୋଇଗଲେ ବିଚାରପତି। କାରଣ ଜେଲ ନ ଯାଇ ଜାମିନ ପାଇବାକୁ ମୁଦାଲା ଓ ତାଙ୍କ ଓକିଲ ନେହୁରା ହେବାର ସେ ଜାଣିଥିଲେ। କିନ୍ତୁ, ବିଚାରପତିଙ୍କ ସ୍ୱୀକୃତି ଥାଇ ନିଜ ଆଡୁ ପ୍ରତ୍ୟାଖ୍ୟାନ କରି କାରାବରଣକୁ ସ୍ୱୀକୃତି ଦେବା ସେ ହୁଏତ ପ୍ରଥମ ଦେଖିଲେ। ମୁଦାଲା କ’ଣ ସମୟ ମାଗିବେ ଓଲଟି ହାକିମ ସମୟ ମାଗି ଅଦାଲତ ସଂଲଗ୍ନ ତାଙ୍କ କୋଠରିକୁ ଗଲେ। ଗୋପବନ୍ଧୁ ହାକିମଙ୍କୁ ତାଙ୍କର ବିଶ୍ୱାସ ଥିଲେ ଜାମିନ୍‍ରେ ଛାଡ଼ିବାକୁ ଯେଉଁ ଆହ୍ୱାନ ଦେଲେ, ସେ ସଂକ୍ରାନ୍ତରେ ଆଇନରେ କ’ଣ ଅଛି, ତାହା ତର୍ଜମା କରିବା ପାଇଁ ସେ ବେଶ୍‍ କିଛି ସମୟ ନେଲେ।
ଇତ୍ୟବସରରେ ଆଉ ଏକ କୌତୂହଳପ୍ରଦ ଘଟଣା ଘଟିଲା। ପଣ୍ଡିତ ଗୋପବନ୍ଧୁ, ମୁକ୍ତିଆରଖାନାରେ ବସିଥିବା ବେଳେ, ପୁରୀର ଜଣେ ଓକିଲ ବନମାଳୀ ଦାସ, ଗୋପବନ୍ଧୁଙ୍କ ଅଜ୍ଞାତରେ ନିଜକୁ ତାଙ୍କ ଓକିଲ ବୋଲି ପରିଚୟ ଦେଇ, ଗୋପବନ୍ଧୁଙ୍କ ଜାମିନ୍‍ କରାଇ ଆଣିଲେ। ଦାସେ ଆପଣେଙ୍କୁ ଭଲ ପାଉଥିବା ହଜାର ହଜାର ଜନତାଙ୍କର ଭିଡ଼ ତାଙ୍କୁ ଖଲାସ କରି ନେବାର ଆନନ୍ଦରେ ଢେଉ ଭାଙ୍ଗୁଥିଲା। ଗୋପବନ୍ଧୁ ବନମାଳୀ ଦାସଙ୍କର ଏହି ଅଯାଚିତ ସାହାଯ୍ୟରେ କିନ୍ତୁ ଖୁସି ହେବେ କ’ଣ, ଓଲଟା ବିରକ୍ତି ପ୍ରକାଶ କଲେ ଓ ହାକିମଙ୍କୁ ପତ୍ରଟିଏ ଲେଖିଲେ।
“ମହାଶୟ,
ମୋତେ ମୋ କଥାରେ ବିଶ୍ୱାସ କରି ଛାଡ଼ିବେ କି ନା, ଏହା ଜାଣିବା କାରଣ, ଆପଣଙ୍କ ଉତ୍ତର ପ୍ରତୀକ୍ଷାରେ ମୁଁ ମୁକ୍ତିଆରଖାନାରେ ବସିଛି। ଶୁଣିଲି ଇତିମଧ୍ୟରେ, ପୁରୀର ଓକିଲ ବାବୁ ବନମାଳୀ ଦାସ, ମୋ ସକାଶେ ଜାମିନ୍‍ ହୋଇ ମୋତେ ଖଲାସ କରି ଆଣିଛନ୍ତି। ଯଦି ବନମାଳୀ ବାବୁ ବା ଅନ୍ୟ କେହି ମୋତେ ଏହି ଅନୁଗ୍ରହ ଦେଖାଇଥାନ୍ତି ଏହା ମୋ ପକ୍ଷରେ କେବେ ହେଁ ଅନୁଗ୍ରହ ନୁହେଁ; ବରଂ ଅପମାନର କଥା। ଆପଣ ଯଦି ଏ ଜାମିନ୍‍ ଉପରେ ମତେ ଛାଡ଼ି ଦେଇଥାନ୍ତି, ମୁଁ ଆପଣଙ୍କୁ ଜଣାଉ ଅଛି ଯେ ଏହା ମୋର ସମ୍ପୂର୍ଣ୍ଣ ଇଚ୍ଛା ବିରୁଦ୍ଧ। ଅସହଯୋଗୀ ହୋଇ ଜାମିନ୍‍ରେ ଖଲାସ ହେବା ମୋ ପକ୍ଷରେ ପାପ। ତେଣୁ ଏ ଜାମିନ ସକାଶେ ମୁଁ ଘୋର ଆପତ୍ତି କରୁଛି ଓ ହାଜତ୍‍ ଯିବାକୁ ପ୍ରସ୍ତୁତ ଅଛି।”
ହାକିମ ଏ ପତ୍ର ପାଇବା ପରେ ତାଙ୍କର ଆଉ କିଛି ଚାରା ନ ଥିଲା। ବନମାଳୀ ବାବୁ କରିଥିବା ଜାମିନ୍‍କୁ ବାଧ୍ୟ ହୋଇ ସେ ରଦ୍ଦ କଲେ। ଫଳତଃ ଗୋପବନ୍ଧୁ ଦାସଙ୍କୁ ପରବର୍ତ୍ତୀ ତାରିଖ ନଭେମ୍ବର ନ’ ପର୍ଯ୍ୟନ୍ତ ଜେଲ୍‍ ଯିବାକୁ ପଡ଼ିଲା। ହଜାର ହଜାର ଲୋକ ସଂକୀର୍ତ୍ତନରେ ତାଙ୍କୁ ଜେଲ୍‍ ଫାଟକ ପାଖରେ ବିଦାୟ ଦେଲାବେଳକୁ କାରାଗାରରୁ ସତେକି ବିଜୟର ବିଗୁଲ୍‍ ବାଜୁଥିଲା। ନଭେମ୍ବର ଆଠ ତାରିଖରେ ଏହି ବିଚାରର ଦ୍ୱିତୀୟ ଦିନ ଥିଲା। ପାଖାପାଖି ସାତ, ଆଠ ହଜାର ଲୋକ ଉତ୍କଳମଣିଙ୍କୁ ଜେଲ୍‍ ଫାଟକ ପାଖରୁ ପଟୁଆରରେ କଚେରିକୁ ଆଣିଥିଲେ। ମହାତ୍ମା ଗାନ୍ଧୀଙ୍କର ଜୟଜୟକାର ସହ ହରିବୋଲ୍‍ରେ ଗଗନ ପବନ ପ୍ରକମ୍ପିତ ହେଉଥାଏ। ଲୋକମାନେ ଆନନ୍ଦ ଆତିଶଯ୍ୟରେ ପୁଷ୍ପ ବୃଷ୍ଟି ସହ ଶଙ୍ଖଧ୍ୱନି ମଧ୍ୟ କରୁଥାନ୍ତି। ପରିସ୍ଥିତି କଚେରି ପହଞ୍ଚିବା ବେଳକୁ ଏପରି ଅଣାୟତ୍ତ ହେଲା ଯେ, କଚେରି ଚାଲିବା ଅସମ୍ଭବ ହୋଇପଡ଼ିଲା। ପଣ୍ଡିତ ଗୋପବନ୍ଧୁ କିନ୍ତୁ ଶାନ୍ତି ଶୃଙ୍ଖଳାର ପ୍ରତିଶ୍ରୁତି ଦେଇ କଚେରି ଘର ଭିତରେ ନ କରି ବାହାର ପଡ଼ିଆ ଗଛ ମୂଳେ କରିବା ପାଇଁ ନିବେଦନ କରିଥିଲେ। ଜଣେ ଅଭିଯୁକ୍ତଙ୍କର ନିବେଦନକୁ ରକ୍ଷା କରି ଘର ବାହାରେ ବୃକ୍ଷ ମୂଳରେ ଏଭଳି ଅଦାଲତ କାର୍ଯ୍ୟ ପରିଚାଳନା କରିବା ଘଟଣା ବୋଧେ ବିଶ୍ୱ ଇତିହାସରେ ବିରଳ। କିନ୍ତୁ ଗୋପବନ୍ଧୁଙ୍କ ଅନୁରୋଧ ରକ୍ଷା କରି ଲୋକମାନେ ସେ ଦିନ ସୂଚୀଭେଦ୍ୟ ନିରବତା ଅବଲମ୍ବନ କରିଥିଲେ ଓ କୋର୍ଟକାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳିତ ହୋଇଥିଲା।
ସେଦିନ ଜେରାରେ ୧୦ ଲୋକଙ୍କ ମଧ୍ୟରୁ ୩ଜଣ ପୁଲିସ ଚାକିରିଆ ଓ ଜଣେ ସରକାରୀ ଲୋକ ଥିଲେ। ଛଅଜଣଯାକ ଏ ଖବର ‘ସମାଜ’ରୁ ନୁହେଁ ହାଟରୁ ଶୁଣିଥିଲେ ବୋଲି କହିଲେ। ସରକାରୀ କର୍ମଚାରୀଙ୍କୁ କୋର୍ଟବାବୁ ପଚାରିଲେ ‘‘ସମାଜ’ ଖବରକାଗଜ ସବୁବେଳେ ସରକାରୀ କମିର୍ଚାରୀଙ୍କ ବିରୁଦ୍ଧରେ ଲେଖେ ନାହିଁ କି?” ସରକାରୀ କର୍ମଚାରୀ ବାରିକ ମିସ୍ତ୍ରି ତା’ର ଯାହା ଉତ୍ତର ଦେଲେ ତାହା କାଳଜୟୀ ଓ ଆଜି ବି ‘ସମାଜ’ ସମ୍ବାଦପତ୍ର ସେହି ଦର୍ଶନରେ ବିଶ୍ୱାସ କରେ। ତା’ ହେଲା- “ସମାଜରେ ସରକାରୀ କର୍ମଚାରୀଙ୍କ ବିଷୟରେ ସତ୍ୟ ଓ ଉପଯୁକ୍ତ ସମ୍ବାଦ ଓ ଟିପ୍ପଣୀ ପ୍ରକାଶ ପାଏ। ତାହା ସପକ୍ଷ ଓ ବିପକ୍ଷ ଉଭୟ ହୋଇପାରେ।”
ନଭେମ୍ବର ୧୬ରେ ତୃତୀୟ ତାରିଖ ହୋଇ ନଭେମ୍ବର ୨୧ରେ ଚତୁର୍ଥ ଓ ଶେଷ ତାରିଖ ଥିଲା ଏହି ମାମଲାର। ହଜାର ହଜାର ଲୋକଙ୍କ ଜୟଧ୍ୱନି ଭିତରେ ସେଦିନ ବିଚାରପତି ସୁରେଶଚନ୍ଦ୍ର ବୋଷ ଗୋପବନ୍ଧୁଙ୍କୁ ୫୦୦ ଦଫାରେ ଦୋଷୀ ନୁହେଁ ବୋଲି ଘୋଷଣା କରି ଖଲାସ କରିଦେଲେ। କେବଳ ସେତିକି ନୁହେଁ ଇଂରେଜ ସରକାରଙ୍କ ନିର୍ଦେଶ ବିରୁଦ୍ଧରେ ଏହି କାଳଜୟୀ ରାୟ ଦେଇ ନ୍ୟାୟ ମନ୍ଦିରରେ ସତ୍ୟର ଧ୍ୱଜା ସ୍ଥାପିତ କରିବା ସହ ନିଜେ ଚାକିରିରୁ ସେ ଇସ୍ତଫା ମଧ୍ୟ ଦେଇଥିଲେ।
ସତ୍ୟର ପ୍ରତିଷ୍ଠା ପାଇଁ କେବଳ ସତ୍ୟ କଥନ ବା ସତ୍ୟର ପ୍ରଚାର ନୁହେଁ ବରଂ ସତ୍ୟ ପାଇଁ କାରାବରଣ ପାଇଁ ପ୍ରସ୍ତୁତ ଥିଲେ ଗୋପବନ୍ଧୁ। ମହାତ୍ମା ଗାନ୍ଧୀଙ୍କ ବାସ୍ତବ ଶିଷ୍ୟ ବା ଅନୁଗାମୀ ଭାବେ ସେ ସତ୍ୟ ଓ ଅହିଂସାକୁ ଦେଶ ସେବା ଓ ସ୍ୱାଧୀନତା ସଂଗ୍ରାମର ମାଧ୍ୟମ କରିଥିଲେ। ଜଣେ ଗ୍ରାମୀଣ ଓ କ୍ଷୁଦ୍ରକାୟ ବ୍ୟକ୍ତି ହେଲେ ମଧ୍ୟ ସତ୍ୟ ଓ ନ୍ୟାୟ ପ୍ରତି ତାଙ୍କର ଅସାମାନ୍ୟ ନିଷ୍ଠା ଓ ବିଶ୍ୱାସ ବଳରେ ସେ ଲକ୍ଷ ଲକ୍ଷ ଜନତାଙ୍କ ହୃଦୟର ସମ୍ରାଟ ହେବା ସହ ଭାରତର ତତ୍କାଳୀନ ବହୁ ସଂଗ୍ରାମୀ ଓ ଜାତୀୟବାଦୀ ନେତାଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ତାଙ୍କ ଅବର୍ତ୍ତମାନରେ କୃତଜ୍ଞ ଜାତି ତାଙ୍କୁ ପୂଜା ନୁହେଁ ବରଂ ତାଙ୍କ ଦର୍ଶନକୁ ଆପଣେଇ ପାରିଲେ ହିଁ ଦାସେ ଆପଣେ‌ଙ୍କ ପ୍ରତି ବାସ୍ତବ ଶ୍ରଦ୍ଧାଞ୍ଜଳି ହେବ।

ଡ. ପ୍ରଭାସ ଆଚାର୍ଯ୍ୟ
ମୁଖ୍ୟ ପ୍ରଶାସନିକ ଅଧିକାରୀ,
‘ସମାଜ’, କଟକ-୧

Comments
Loading...