ଫେବୃଆରୀ ୮ରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ

ଭୁବନେଶ୍ବର: ଫେବୃଆରୀ ୮ରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୮ରୁ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ। ପୂର୍ବରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲି ସାରିଛି ଏବଂ କୋଭିଡ୍‌ କଟକଣା ଓ ନିୟମ ପାଳନ କରି ଛାତ୍ରଛାତ୍ରୀ କ୍ଲାସ କରୁଛନ୍ତି। ଠିକ୍‌ ସେହିପରି ସ୍କୁଲରେ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ କରିବାକୁ ରାଜ୍ୟ ସରକାର ଆଜି ନିର୍ଦେଶ ଜାରି କରିଛନ୍ତି। ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବା ଜରୁରୀ। ପାଠପଢ଼ା ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ସାଙ୍ଗକୁ କୋଭିଡ୍‌ ନିୟମ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।

ମହାମାରୀ କରୋନା ପାଇଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ତେବେ ଜାନୁଆରୀ ମାସ ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଥିଲେ। କରୋନା ଗାଇଡ୍‌ଲାଇନ୍‌ ଅନୁସାରେ ଛାତ୍ରଛାତ୍ରୀମାନେ ସ୍କୁଲରେ କ୍ଲାସ କରିବାକୁ କୁହାଯାଇଥିଲା। କୋର୍ସ ସାରିବାକୁ ରବିବାର କ୍ଲାସ ନିର୍ଦେଶ ଦିଆଯାଇଥିଲା। ସେହି ନିର୍ଦ୍ଦେଶନାମା ଅନୁସାରେ ଏବେ ଦଶମ ଓ ଦ୍ବାଦଶ ଶ୍ରେଣୀ କ୍ଲାସ୍‌ ଚାଲିଛି। ତେବେ ଫେବ୍ରୁଆରୀ ମାସର ଗାଇଡ୍‌ଲାଇନ୍‌ରେ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସମ୍ପୃକ୍ତ ବିଭାଗ ଉପରେ ଛାଡ଼ି ଦିଆଯାଇଥିଲା। ସେହିପରି ରାଜ୍ୟରେ ପ୍ରାଥମିକ ଶ୍ରେଣୀ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବାକୁ ଫେବୃଆରୀ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି।

Comments are closed.