ଡିଜିଟାଲ ଭାରତକୁ ଧକ୍କା ; ୯୯୪୦ ଗାଁରେ ନାହିଁ ଇଣ୍ଟରନେଟ ସେବା

ଗ୍ରାମାଞ୍ଚଳରେ ୨୮% ଲୋକଙ୍କ ନାହିଁ ଇଣ୍ଟରନେଟ ସଂଯୋଗ

-୪ ଜିଲାରେ ୮୦% ଛାତ୍ରଛାତ୍ରୀଙ୍କର ନାହିଁ ସ୍ମାର୍ଟ ଫୋନ, -ସହରାଞ୍ଚଳରେ ୮୩% କରୁଛନ୍ତି ଇଣ୍ଟରନେଟ ବ୍ୟବହାର
ଭୁବନେଶ୍ବର : କୋଭିଡ଼ କାଳ ସରିନାହିଁ; ତଥାପି ସ୍କୁଲ କଲେଜ ଖୋଲିବା ଆରମ୍ଭ ହୋଇଛି। ଅଭିଭାବକମାନଙ୍କଠାରୁ ଅଣ୍ଡରଟେକିଂ ଆଣି ପିଲାମାନେ ସ୍କୁଲ ଆସିବାକୁ ନିୟମ କରାଯାଇଛି । ଯେଉଁମାନେ ଅଣ୍ଡରଟେକିଂ ଦେଇ ପାରିବେ ନାହିଁ, ସେମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିବ ନାହିଁ।  ମାତ୍ର ଅନଲାଇନ ପାଠପଢ଼ାର ବିକଳ ଚିତ୍ର ଯୋଗୁଁ ସଂଶୟ ଭିତରେ ଥାଇ ବି ପିତାମାତା ପିଲାଙ୍କୁ ସ୍କୁଲ ପଠାଉଛନ୍ତି।

ଦେଶ ତଥା ରାଜ୍ୟକୁ ଡ଼ିଜିଟାଲ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା । ମାତ୍ର ଏହାର ଅଗ୍ରଗତି ସେତେ ଉତ୍ସାହଜନକ ହୋଇପାରିନି। ୨୦୧୮-୧୯ ଅର୍ଥନୈତିକ ସର୍ବେକ୍ଷଣ ଅନୁସାରେ ରାଜ୍ୟରେ ମୋଟ ୪୭୬୭୭ ଗାଁ ମଧ୍ୟରୁ ପ୍ରାୟ ୧୧ ହଜାର ଗାଁରେ ଇଣ୍ଟରନେଟ୍ ସଂଯୋଗ ହୋଇନାହିଁ। ସେହିପରି ୨୦୧୯ ଜୁଲାଇ ୨୪ ତାରିଖରେ ସାଂସଦ ପିନାକୀ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ଓଡ଼ିଶାର ୯୯୪୦ ଗାଁ ଇଣ୍ଟରନେଟ ସୁବିଧାରୁ ଏବେ ବି ବଞ୍ଚିତ ବୋଲି ବିଭାଗୀୟ ମନ୍ତ୍ରୀ ସଂସଦରେ ଉତ୍ତର ରଖିବା ପରେ ଡ଼ିଜିଟାଲ ଓଡ଼ିଶାର ବାସ୍ତବ ରୂପ ପଦାରେ ପଡିଛି।

‘ଡାଉନ ଟୁ ଆର୍ଥ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଓଡ଼ିଶାର ସହରାଞ୍ଚଳରେ ଇଣ୍ଟରନେଟ୍ ଗ୍ରାହକଙ୍କ ସଂଖ୍ୟା ୮୩.୩% ହୋଇଥିବାବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୨୮.୨୨% । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଗଣମାଧ୍ୟମକୁ କିଛିଦିନ ତଳେ ଦେଇଥିବା ରିପୋର୍ଟ ଅନୁସାରେ ରାଜ୍ୟର ୨ ଲକ୍ଷ ସ୍କୁଲ ପିଲା ଅନଲାଇନ କ୍ଲାସ କରୁଛନ୍ତି। ମାତ୍ର ବାସ୍ତବରେ ଏହି ସଂଖ୍ୟା ମୋଟ ସ୍କୁଲ ଛାତ୍ରଛାତ୍ରୀଙ୍କ ସଂଖ୍ୟାର ମାତ୍ର ୩୩%। ତେବେ ଅବଶି‌ଷ୍ଟ ୬୭% ପିଲା କିପରି ପାଠ ପଢ଼ିବେ ତାହା ସବୁଠାରୁ ବଡ଼ ପଶ୍ନ।

ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ରିପୋର୍ଟ ଅନୁଯାୟୀ ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା ଏବଂ ଦେଓଗଡ ଜିଲାର ଏଭଳି ପିଲାମାନଙ୍କର ଅତି କମରେ ୮୦% ପ୍ରତିଶତ ପିତାମାତାଙ୍କର ସ୍ମାର୍ଟଫୋନ୍ ନାହିଁ। କଳାହାଣ୍ଡି ଏବଂ ମାଲକାନଗିରି ଜିଲାର  ଅତି କମରେ ୪୦ ପ୍ରତିଶତ ପିତାମାତାଙ୍କର ନିୟମିତ ମୋବାଇଲ୍ ଫୋନ୍ ନାହିଁ। ରାଜ୍ୟର ୬୭୧୨୮ ସରକାରୀ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ କେବଳ ୨୭.୬୮ ପ୍ରତିଶତ ଅନଲାଇନ୍ ଶିକ୍ଷା ପ୍ରଦାନ କରୁଛନ୍ତି ଓ ଅନଲାଇନରେ ମାତ୍ର ୩୧.୯୫% ଛାତ୍ରଛାତ୍ରୀ ସ୍ମାର୍ଟଫୋନ୍ ମାଧ୍ୟମରେ ଅନଲାଇନ୍ ପାଠପଢ଼ାରେ ଭାଗ ନେଇ ପାରୁଛନ୍ତି। ଓଡ଼ିଶାର  ୧୭ଟି ଜିଲାର  ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ପିଲାମାନଙ୍କର ଶିକ୍ଷଣ ଫଳାଫଳକୁ ଆକଳନ କରିବା ପାଇଁ ଓଡିଶା ଶ୍ରମଜୀବୀ ମଞ୍ଚ ଏବଂ ମହିଲା ଶ୍ରମଜୀବୀ ମଞ୍ଚ ମିଳିତ ଭାବେ  ନିକଟରେ କରିଥିବା ଏକ ଅଧ୍ୟୟନର ରିପୋର୍ଟ ‘ଡ଼ାଉଟ ଟୁ ଆର୍ଥ’ ପ୍ରକାଶ କରିଛି। ଅଧ୍ୟୟନ ତଥ୍ୟ ଅନୁଯାୟୀ ଅଷ୍ଟମ ଶ୍ରେଣୀରେ ନମୁନା ନିଆାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୮ ପ୍ରତିଶତ ପିଲାଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିମ୍ନମାନର । ଗଣିତରେ ୪୫% ଛାତ୍ରଛାତ୍ରୀ ଓ ମାତୃଭାଷା ଓଡ଼ିଆରେ ୨୧% ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷଣ ମାନ ପୂରଣ କରିବାରେ ଅସଫଳ ହୋଇଛନ୍ତି । ୫ମ ଶ୍ରେଣୀରେ ୫୯% ଛାତ୍ରଛାତ୍ରୀ ଇଂରାଜୀରେ ଆବଶ୍ୟକ ଶିକ୍ଷଣସ୍ତର ପୂରଣ କରିପାରି ନାହାନ୍ତି । ଗଣିତ ଓ ମାତୃଭାଷା ଓଡ଼ିଆରେ ଏହି ଅନୁପାତ ଯଥାକ୍ରମେ ୫୩% ଓ ୩୧% ବୋଲି ଏହି ରିପୋର୍ଟରେ କୁହାଯାଇଛି। ଅନୁରୂପ ଭାବରେ ତୃତୀୟ ଶ୍ରେଣୀରେ ଗଣିତ ବିଷୟରେ ୪୩.୪୨% ଏବଂ ଓଡ଼ିଆରେ ୨୬.୫୪% ଉପଯୁକ୍ତ ଶିକ୍ଷଣସ୍ତର ପାଇବାରେ ବିଫଳ ହୋଇଛନ୍ତି। ଏହା ପଛରେ ଯେଉଁ କାରଣ ଥାଉ ନା କାହିଁକି ଇଣ୍ଟରନେଟ ସେବାର ଅଭାବ ଶିକ୍ଷା ସମସ୍ୟାରେ ସବୁଠାରୁ ବାଧକ ହୋଇଛି । ଲୋକସଭାରେ କେନ୍ଦ୍ର ସରକାର ଦେଇଥିବା ତଥ୍ୟ ଅନୁସାରେ  ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ୪୭୬୭୭ ରାଜସ୍ବ ଗ୍ରାମ ମଧ୍ୟରୁ ଏବେ ବି ୯୯୪୦ ଗାଁ ଇଣ୍ଟରନେଟ୍ ସଂଯୋଗରୁ ବଞ୍ଚିତ ହୋଇଛି । ଇଣ୍ଟରନେଟ ସଂଯୋଗ କ୍ଷେତ୍ରରେ ସବୁଠୁ ଆଗରେ ଅଛି ବାଲେଶ୍ବର। ଏହି ଜିଲାର ୨୬୩୫ ଗାଁ ମଧ୍ୟରୁ ୨୬୩୪ ଗାଁରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ । ମାତ୍ର ଗୋଟିଏ ଗାଁରେ ଇଣ୍ଟରନେଟ ସଂଯୋଗ ହୋଇନାହିଁ। ସେହିପରି ଭଦ୍ରକ ଜିଲାରେ ୨ଟି, ଜଗତସିଂହପୁର ଜିଲାlର  ୩ଟି, ଯାଜପୁର ଜିଲାରେ ୯ଟି, କେନ୍ଦ୍ରାପଡ଼ା ଜିଲାରେ ୭ଟି ଓ ପୁରୀ ଜିଲାରେ ୬ଟି ଗାଁରେ ଇଣ୍ଟରନେଟ୍ ନାହିଁ।

ଖୋର୍ଦ୍ଧା ଜିଲାରେ ଇଣ୍ଟରନେଟ ସଂଯୋଗ ନ ଥିବା ଗାଁ ସଂଖ୍ୟା ହେଉଛି ୨୫ ଓ କଟକ ଜିଲାରେ ୩୪ । କନ୍ଧମାଳ ଜିଲାରେ ସବୁଠାରୁ ଅଧିକ ୧୬୪୨ ଗାଁ ଇଣ୍ଟରନେଟ ସଂଯୋଗରୁ ବଞ୍ଚିତ । ରାୟଗଡ଼ା ଜିଲାରେ ୧୪୯୮ ଗାଁ, କୋରାପୁଟ ଜିଲାରେ ୧୦୨୦ ଗାଁରେ ଇଣ୍ଟରନେଟ୍ ବ୍ୟବସ୍ଥା ନାହିଁ।  ଗଜପତି ୮୯୦, ସୁନ୍ଦରଗଡ଼ ୩୯୫, ସମ୍ବଲପୁର ୨୯୫, କଳାହାଣ୍ଡି ୭୩୩, ଗଞ୍ଜାମ ଜିଲାରେ ୩୩୦, ଅନୁଗୋଳ ୨୨୭, ବଲାଙ୍ଗୀର ୧୫୩, ବରଗଡ଼ ୪୯, ବୌଦ୍ଧ ୩୬୧, ଢ଼େଙ୍କାନାଳ ୨୧୨, ଢ଼େଙ୍କାନାଳ ୬୮, ଝାରସୁଗୁଡ଼ା ୧୭, କେନ୍ଦୁଝର ୨୯୫, ମାଲକାନଗିିରି ୬୦୧, ନୟାଗଡ଼ ୩୪୨, ନୂଆପଡ଼ାରେ ୧୩୨, ସୋନପୁର ଜିଲାରେ ୮୭ଟି ଗାଁ ଏବେ ବି ବିଜୁଳି ସଂଯୋଗରୁ ବଞ୍ଚିତ ହୋଇ ରହିଛି।

Comments
Loading...