ସମସ୍ତଙ୍କୁ ମୁକ୍ତ ମୌଳିକ ଶିକ୍ଷା ପାଇଁ ଉଦ୍ୟମ କରିଥିଲେ ଲାଲାଜୀ

କଟକ: ପଞ୍ଜାବକେଶରୀ ଲାଲା ଲଜପତ ରାୟ ପରାଧୀନ ଭାରତର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ବହୁ କାର୍ଯ୍ୟ କରିଯାଇଛନ୍ତି। ପ୍ରକୃତ ନେତାପଣ ତାଙ୍କଠାରେ ଥିଲା। ଦେଶକୁ ସ୍ବାଧୀନ କରିବା ପାଇଁ ଲଢ଼ି ସେ ପ୍ରାଣବଳି ଦେଇଥିଲେ ବୋଲି ଲୋକସେବକ ମଣ୍ଡଳ ପକ୍ଷରୁ ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନ ପରିସରରେ ବୁଧବାର ଆୟୋଜିତ ଲାଲ ଲଜପତ ରାୟଙ୍କ ୯୩ତମ ବଳିଦାନ ଦିବସରେ ଅତିଥିମାନେ ମତପ୍ରକାଶ କରିଛନ୍ତି।

ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଡିଏଭି ଶିକ୍ଷାନୁଷ୍ଠାନ ସମୂହର ପ୍ରାକ୍ତନ ଆଞ୍ଚଳିକ ନିର୍ଦେଶକ ହିମାଂଶୁ କୁମାର ମହାନ୍ତି କହିଲେ, ୧୯୦୮ରେ ପ୍ରଥମେ ଲାଲାଜୀ ସମସ୍ତଙ୍କ ପାଇଁ ମୌଳିକ ଶିକ୍ଷା ଲାଗୁ କରିବା ପାଇଁ ଉଦ୍ୟମ କରିଥିଲେ। ଭାରତୀୟ ଶିକ୍ଷା ବ୍ୟବସ୍ଥାର ସଂସ୍କାର ପାଇଁ ଲାଲାଜୀଙ୍କ ଅବଦାନ ଅତୁଳନୀୟ। ସେ ଡିଏଭି ବିଦ୍ୟାଳୟ ପ୍ରତିଷ୍ଠା କରି ଶିକ୍ଷା କ୍ଷେତ୍ରରେ ବିପ୍ଳବର ଧାରା ସୃଷ୍ଟି କରିଛନ୍ତି।

ସମ୍ମାନିତ ବକ୍ତା ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଡ. ସୁରେଖା ସୁନ୍ଦରୀ ସ୍ବାଇଁ କହିଲେ, ପଞ୍ଜାବ ମାଟିର ଲୋକେ ଭାରି ସାହସୀ। ସେହି ମାଟିର ସନ୍ତାନ ଭାବରେ ଲାଲା ଲଜପତ ରାୟଙ୍କ ଜୀବନ ସଂଗ୍ରାମମୟ ଥିଲା। ଦେଶର ସ୍ବାଧୀନତା ଓ ଉନ୍ନତି ପାଇଁ ସେ ସର୍ବଦା ଚିନ୍ତା କରିଥିଲେ। ସେ ପ୍ରଚଣ୍ଡ ସ୍ବାଭିମାନୀ ଥିଲେ। ଲାଲାଜୀ କେବେ ଥକି ନାହାନ୍ତି କି କାହାରିକୁ ସାହାଯ୍ୟ ମାଗିନାହାନ୍ତି। ସେ ଜଣେ ଯୋଗଜନ୍ମା ଥିଲେ। ଜାତୀୟ କଂଗ୍ରେସରେ ସେ ପ୍ରମୁଖ ଭୂମିକା ନିଭାଇଥିଲେ। ତାଙ୍କ ଜୀବନୀକୁ ଖାଲି ଆଲୋଚନା କଲେ ହେବ ନାହିଁ, ଆମେ ପ୍ରତ୍ୟେକ ନିଜ ଜୀବନରେ ପରିପାଳନ କରିବା ଆବଶ୍ୟକ। ସଭାପତି ଶ୍ରୀ ରଥ ଲାଲାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ, ସ୍ବାଧୀନତା ସଂଗ୍ରାମର ଆଗରେ ଥିଲେ ଲାଲାଜୀ। ତାଙ୍କ ଦେଶପ୍ରୀତି ଅନନ୍ୟ ଓ ଅସାଧାରଣ ଥିଲା। ବ୍ରିଟିଶ ଶକ୍ତିକୁ ଭାରତ ମାଟିରୁ ତଡ଼ିତା ପାଇଁ ସେ ଆପ୍ରାଣ ଉଦ୍ୟମ ଜାରି ରଖିଥିଲେ। ତାଙ୍କଠାରେ ମଣିଷପଣିଆ ଥିଲା। ଗୋପବନ୍ଧୁଙ୍କୁ ଦେଖି ଲାଲା ଲଜପତ ରାୟ ବହୁଭାବେ ଅନୁପ୍ରାଣିତ ହୋଇଥିଲେ। ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି କୃତଜ୍ଞତା ଜ୍ଞାପନ କରିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ. ପ୍ରଭାସ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ସୁରେଶ ଚନ୍ଦ୍ର ମନ୍ତ୍ରୀ, ଅଭିମନ୍ୟୁ ଦାଶ, ବରଦା ପ୍ରସନ୍ନ ଦାସ ଓ ନୃସିଂହ ଚରଣ ସାହୁଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।

Comments are closed.